ଭୁବନେଶ୍ୱର : ଏସିଆର ବୃହତ୍ତମ ପ୍ରାକୃତିକ ଲବଣାକ୍ତ ହ୍ରଦ ଚିଲିକା ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ପାଲଟିଛି ପ୍ରମୁଖ ବିପତ୍ତିର କାରଣ । ଭୁବନେଶ୍ୱରରୁ ନିର୍ଗତ ନାଳ, ନର୍ଦ୍ଦମା ସମେତ ସହରର ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଗଙ୍ଗୁଆ ଓ ଦୟା ନଦୀ ବାଟ ଦେଇ ଚିଲିକାରେ ମିଶୁଥିବାରୁ ଏହାର ଜଳ ପ୍ରଦୂଷିତ ହେବାରେ ଲାଗିଛି ।
ଏଠାରେ ଉଲ୍ଲେଖନୀୟ ଯେ ଗଙ୍ଗୁଆ ଓ ଦୟାର ଜଳ ବ୍ୟବହାର ଉପଯୋଗୀ ନୁହେଁ ବୋଲି କର୍ତ୍ତୃପକ୍ଷ ବାରମ୍ବାର ସତର୍କ କରାଇ ଆସୁଛନ୍ତି । ଗଙ୍ଗୁଆର ଜଳ ଏଭଳି ବିଷାକ୍ତ ହେଲାଣି ଯେ ଏଥିରେ ଆଉ ମାଛ ଓ ଅନ୍ୟ ଜଳଜୀବ ବଞ୍ଚିବା ମୁସ୍କିଲ । ସେହିପରି ଦୟା ନଦୀରେ ବି ପୂର୍ବ ତୁଳନାରେ ବିଶେଷ ମାଛ ଦେଖାଯାଉ ନାହାନ୍ତି । ଫଳରେ ରାଜଧାନୀବାସୀ ଏହାର ନିକଟରେ ପ୍ରବାହିତ ଗଙ୍ଗୁଆ, ଦୟା, କୁଆଖାଇ, ଭାର୍ଗବୀ ଆଦି ନଦୀର ମଧୁର ମାଛ ଖାଇବାରୁ ବଞ୍ଚିତ ହେଉଛନ୍ତି ।
କେବଳ ରାଜଧାନୀର ବର୍ଜ୍ୟବସ୍ତୁ ନୁହେଁ, ଏହିସବୁ ନଦୀ ପ୍ରବାହିତ ହେଉଥିବା ଅଞ୍ଚଳରେ ବ୍ୟବହାର କରାଯାଉଥିବା ବିପଦଜନକ କୀଟନାଶକ ଓ ରସାୟନିକ ସାରର ପ୍ରଭାବ ବି ନଦୀଜଳରେ ରହୁଥିବା ପରିବେଶବିଜ୍ଞାନୀମାନେ ବାରମ୍ବାର କହୁଛନ୍ତି । ଦୟା ଓ ଗଙ୍ଗୁଆ ବଞ୍ଚାଅ ଅଭିଯାନ ପକ୍ଷରୁ ବି ଏହି ଦୁଇ ନଦୀର ପୁନରୁଦ୍ଧାର ଓ ସୁରକ୍ଷା ଲାଗି ବାରମ୍ବାର ଦାବି ହେଉଛି । ଉପରମୁଣ୍ଡରୁ ଜଳ ପ୍ରଦୂଷଣ ହେଉଥିବା ପରିପ୍ରେକ୍ଷୀରେ ତଳମୁଣ୍ଡରେ କଣାସ ଅଞ୍ଚଳରେ ବାରମ୍ବାର ଏହାର ପ୍ରଭାବରେ ଲୋକେ ରୋଗବ୍ୟାଧିରେ ପଡୁଥିବା ଘେନି ବି ନଜିର ରହିଛି ।
ଚିଲିକାରେ ମିଶିଥିବା ୧୩ଟି ନଦୀ ନାଳର ଉପରମୁଣ୍ଡରେ ବ୍ୟାପକ ମୃତ୍ତିକା କ୍ଷୟ ଲାଗି ରହିଛି । ବିଶେଷକରି ଉପର ଅଞ୍ଚଳରୁ ଜଙ୍ଗଲ ସଫା ହେବା ସହିତ କଂକ୍ରିଟ ନିର୍ମାଣ ବଢି ଚାଲିବା ଫଳରେ କ୍ଷୟ ହେଉଥିବା ମୃତ୍ତିକାର ପ୍ରମୁଖ ଅଂଶ ଏସବୁ ନଦୀ ନାଳ ଦେଇ ଚିଲିକା ହ୍ରଦରେ ଜମୁଥିବା ଘେନି ବାରମ୍ବାର ପରିବେଶ ବିଶେଷଜ୍ଞମାନେ ଚେତାବନୀ ଦେଇ ଆସୁଛନ୍ତି ।
ଚିଲିକାର ସାମୁଦ୍ରିକ ମୁହାଣ ପୋତିହୋଇ ଆସୁଥିବା ସହିତ ହ୍ରଦ ଭିତରେ ବି ବିଭିନ୍ନ ଗୁଳ୍ମରାଜି ପଚିବା କାରଣରୁ ହ୍ରଦ ପୋତିହୋଇ ପଡୁଛି । ଅବଶ୍ୟ ଗତ ୪୦ ବର୍ଷ ଭିତରେ ଚିଲିକା ହ୍ରଦରୁ ପଙ୍କୋଦ୍ଧାର ସହିତ ମୁହାଣ ଖନନ କାର୍ଯ୍ୟ ବାରମ୍ବାର ହୋଇଛି । ତେବେ ଚିଲିକାର ଗୋଟିଏ ଅଞ୍ଚଳରୁ ପଙ୍କ ବାହାର କରି ହ୍ରଦ ଭିତରେ ଅନ୍ୟ ଅଞ୍ଚଳରେ ଗଦାକରି ରଖିବା ଫଳରେ ତାହା ପୁଣି ହ୍ରଦକୁ ପୋତୁଛି ।
ଚିଲିକା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉପରେ ପ୍ରଶ୍ନ ଉଠୁଥିବାରୁ ଅନେକ ପାରମ୍ପାରିକ ମାଛଧରା କାମ ଛାଡି କାମଧନ୍ଧା ଅନ୍ୱେଷଣରେ ଅନ୍ୟତ୍ର ପଳାଉଛନ୍ତି । ଅନେକ ମତ୍ସ୍ୟଜୀବୀ ସ୍ୱୀକାର କରୁଛନ୍ତି ଯେ ୩୦/୪୦ ବର୍ଷ ତଳେ ଚିଲିକାରେ ଯେତେ ମାଛ, ଚିଙ୍ଗୁଡି ଓ କଙ୍କଡା ଆଦି ଉତ୍ପାଦନ ହେଉଥିଲା ଏବେ ତାହାର ପରିମାଣ ଢେର କମିଯାଇଛି ।
ଚିଲିକାକୁ ଅବଶ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପର୍ଯ୍ୟଟକଙ୍କ ଚାହିଦା ମେଣ୍ଟାଇବାପାଇଁ ହ୍ରଦରେ ସଂଖ୍ୟାଧିକ ଡିଜେଲ ଚାଳିତ ଡଙ୍ଗା ବ୍ୟବହୃତ ହେଉଥିବାରୁ ଏହା ମଧ୍ୟ ଚିଲିକାର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଉଭୟ ପର୍ଯ୍ୟଟନ ଓ ମାଛଧରା ପାଇଁ ବ୍ୟବହୃତ ଡଙ୍ଗାଗୁଡିକୁ ବ୍ୟାଟେରୀଚାଳିତ କରିବାଲାଗି ବାରମ୍ବାର କୁହାଯାଉଥିଲେ ମଧ୍ୟ ଏଯାବତ୍ ସଂଖ୍ୟାଧିକ ଡଙ୍ଗା ଡିଜେଲ ଚାଳିତ । ଏହି ଡଙ୍ଗାର ଶବ୍ଦ ଯୋଗୁଁ ବି ଚିଲିକାକୁ ଆସୁଥିବା ପକ୍ଷୀ, ଡଲଫିନ୍ ଆଦିଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି ।
ଚିଲିକା ଆର୍ନ୍ତଜାତିକ ସ୍ତରରେ ଓଡିଶାର ପରିଚିତି ହୋଇଥିବା ଏବଂ ରାଜସୋର କନଭେନସନରେ ଏହା ସ୍ଥାନ ପାଇଥିବା ଦୃଷ୍ଟିରୁ ପରିବେଶ, ମୃତ୍ତିକା ଅବକ୍ଷୟ ଓ ଅନ୍ୟାନ୍ୟଯେଉଁ ସମସ୍ୟା ଏହି ହ୍ରଦ ପାଇଁ ରହିଛି ତାହାର ନିରାକରଣ ଲାଗି ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ସହ କାମ କରାଯିବା ଉପରେ ପରିବେଶବିତ୍ମାନେ ଗୁରୁତ୍ୱ ଦେଉଛନ୍ତି । (ତଥ୍ୟ)

