ଭୁବନେଶ୍ୱର : ଚିଲିକା ହ୍ରଦରେ ଲାଭଜନକ ସାମୁଦ୍ରିକ ଶୈବାଳ ଚାଷ ପାଇଁ ମଡେଲ ଫାର୍ମ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ଏହି ସାମୁଦ୍ରିକ ଶୈବାଳ ପ୍ରାୟ ଏକ ହେକ୍ଟର ପରିମିତ ଅଞ୍ଚଳରେ ଚାଷ କରାଯିବ ।
ବ୍ୟବସାୟିକ ସାମୁଦ୍ରିକ ଶୈବାଳ ଯଥା ଗ୍ରାସିଲାରିଆଭେରୁକୋସା ଏବଂ ଉଲ୍ଭା ଲିଞ୍ଜା ଓରଫ୍ ଉଲ୍ଭା ପ୍ରୋଲିଫେରାଇନ୍ ପ୍ରଜାତିର ଶୈବାଳ ଚିଲିକାରେ ଚାଷ ହେବ । ଭାରତର ଟେକ୍ନୋଲୋଜି ଇନଫର୍ମେସନ ଫୋରକାଷ୍ଟିଂ ଏବଂ ଆସେସମେଣ୍ଟ କାଉନସିଲ (ଟିଆଇଏଫଏସି) ସାମୁଦ୍ରିକ ଶୈବାଳ ମିଶନ କାର୍ଯ୍ୟକ୍ରମ ହାତକୁ ନେଇଛି । ଓଡିଶା ବ୍ୟତିତ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲ ନାଡୁ ଏବଂ ଗୁଜୁରାଟରେ ସାମୁଦ୍ରିକ ଶୈବାଳ ଚାଷ ପାଇଁ ତାଲିକାଭୁକ୍ତ କରାଯାଇଛି ।
ସମଗ୍ର ବିଶ୍ୱରେ ୩୨ ନିୟୁତ ଟନ୍ ତାଜା ସାମୁଦ୍ରିକ ଶୈବାଳ ଉତ୍ପାଦିତ ହେଉଛି ଯାହାର ମୂଲ୍ୟ ପ୍ରାୟ ୧୨ ବିଲିୟନ ଆମେରୀୟ ଡଲାର । ମିଳୁଥିବା ମୋଟ ଶୈବାଳର ୫୭ ପ୍ରତିଶତ ଚୀନ୍ ଉତ୍ପାଦନ କରୁଥିବାବେଳେ ଇଣ୍ଡୋନେସିଆ ଓ ଦକ୍ଷିଣକୋରିଆ ୨୮ପ୍ରତିଶତ ଉତ୍ପାଦନ କରୁଛନ୍ତି । ହେଲେ ଭାରତରେ ମାତ୍ର ୦.୦୨ପ୍ରତିଶତ ମିଳୁଛି । ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ ଆମ ଦେଶରେ ବ୍ୟବସାୟିକ ଭିତ୍ତିରେ ସାମୁଦ୍ରିକ ଶୈବାଳ ଚାଷ ହୋଇପାରୁନାହିଁ । ସେଥିପାଇଁ ମିଶନ ପ୍ରତିଷ୍ଠା କରାଯାଇ ସମଗ୍ର ଦେଶରେ ଏହାର ଉତ୍ପାଦନ ହେବ ।
ଆକଳନ ଅନୁଯାୟୀ ଯଦି ଆମ ଦେଶରେ ଯଦି ୧୦ ନିୟୁତ ହେକ୍ଟର ଅଞ୍ଚଳରେ ଏହି ଚାଷ କରାଯିବ ଏହା ପ୍ରାୟ ୫୦ ନିୟୁତ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବ । ନୂତନ ସାମୁଦ୍ରିକ ଶୈବାଳ ଶିଳ୍ପ ବସିବା ସହିତ ଦେଶର ଜିଡିପିରେ ପ୍ରମୁଖ ଯୋଗାଦାନ ରହିବ । ଦେଶରେ ସାମୁଦ୍ରିକ ଶୈବାଳ ଚାଷର ଏଭଳି ସମ୍ଭାବନାକୁ ଦେଖି ଟିଆଇଏଫଏସି ପକ୍ଷରୁ ୨୦୧୮ ରେ ଏହା ଉପରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ଯେଉଁଥିରେ ଏହାକୁ କାର୍ଯ୍ୟକାରୀ ଲାଗି ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଛି ।
ଭାବନଗର ସ୍ଥିତ ସିଏସ୍ଆଇଆର-ସିଏସ୍ଏମ୍ସିଆରଆଇ ଏବଂ ଅନ୍ୟ ସହଯୋଗୀ ସଂସ୍ଥା ଯଥା କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ (ସିଏମ୍ଏଫଆରଆଇ), କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ (ସିଏଫ୍ଟିଆରଆଇ) ଏବଂ କେନ୍ଦ୍ରୀୟ ମତ୍ସ୍ୟ ବୈଷୟିକ ପ୍ରତିଷ୍ଠାନ (ସିଆଇଏଫ୍ଟି) ଆଦି ସାମୁଦ୍ରିକ ଶୈବାଳ ମିଶନ ଆରମ୍ଭ ପାଇଁ ଦୃଢଭାବେ ଅନୁମୋଦନ କରିଥିଲେ । ଟିଆଇଏଫଏସିର ପରିଚାଳନା ମଣ୍ଡଳୀ ବୈଠକରେ ଏହା ଉପରେ ଆଲୋଚନା ହେବା ସହିତ ମିଶନ ଆରମ୍ଭ ପାଇଁ ରିପୋର୍ଟ ପ୍ରସ୍ତୁତ ଲାଗି ସ୍ଥିର ହୋଇଥିଲା ।
ସମସ୍ତ ସହଯୋଗୀ ସଂସ୍ଥାଙ୍କ ପରାମର୍ଶରେ ଏବେ ଏହି ରିପୋର୍ଟ ପ୍ରସ୍ତୁତ ଏବଂ ଚୂଡାନ୍ତ ହୋଇଛି । ସାମୁଦ୍ରିକ ଶୈବାଳ ନର୍ସରୀ ପ୍ରତିଷ୍ଠା ସହିତ ବହୁଳ ମାତ୍ରାରେ ଚାରା ଯୋଗାଣ ହେଉଛି ଗୁରୁତ୍ୱପୂର୍ଣ୍ଣ । ଲୋକେ କିଭଳି ସାମୁଦ୍ରିକ ଶୈବାଳରୁ ପ୍ରସ୍ତୁତ ଖାଦ୍ୟ ସଂକ୍ରାନ୍ତରେ ଅବଗତ ହେବେ ସେ ସଂକ୍ରାନ୍ତରେ ପ୍ରଦର୍ଶନୀମାନ ଆୟୋଜନ ହେବ । ମାଂସର ବିକଳ୍ପ ଭାବେ ସାମୁଦ୍ରିକ ଶୈବାଳରୁ ପ୍ରସ୍ତୁତ ଶୁଖିଲା ଖାଦ୍ୟକୁ ଲୋକେ ଗ୍ରହଣ କରିପାରିବେ । ଏଥିରୁ ସେମାନଙ୍କୁ ଯଥେଷ୍ଟ ପରିମାଣରେ ଖାଦ୍ୟସାର ମିଳିବ । (ତଥ୍ୟ)