Home Environment ଚିନ୍ତା ବଢାଉଛି ତାପଜ ପାଉଁଶ

ଚିନ୍ତା ବଢାଉଛି ତାପଜ ପାଉଁଶ

ଭୁବନେଶ୍ୱର : ରାଜ୍ୟରେ ଥିବା ତାପଜ ବିଦ୍ୟୁତ୍‍ କେନ୍ଦ୍ର ଓ ଅନ୍ୟାନ୍ୟ କଳ କାରଖାନାରୁ ଯେତିକି ପରିମାଣର ପାଉଁଶ ବାହାରୁଛି ତାହା ସମ୍ପୂର୍ଣ୍ଣ ବିନିଯୋଗ ହୋଇପାରୁ ନାହିଁ । ବାହାରୁଥିବା ପାଉଁଶର ସିଂହଭାଗ ସଡକ ନିର୍ମାଣରେ ବ୍ୟବହାର ହେଉଛି ।

ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷକରି କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର, ଅନୁଗୁଳ, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ୍‍ କେନ୍ଦ୍ର, ଇସ୍ପାତ କାରଖାନା, ଆଲୁମିନିୟମ କାରଖାନାଗୁଡିକରୁ ବର୍ଷକୁ ୪୫ ନିୟୁତ ମେଟ୍ରିକ ଟନ୍‍ରୁ ଅଧିକ ପାଉଁଶ ବାହାରୁଛି । ଏହିସବୁ କଳ କାରଖାନା ମଧ୍ୟରେ ରାଷ୍ଟ୍ରାୟତ ସଂସ୍ଥା ଏନଟିପିସି, ନାଲ୍‍କୋ ଓ ଓପିଜିସି ଆଦି ରହିଛନ୍ତି ।

ବାହାରୁଥିବା ଏହି ପାଉଁଶକୁ ବ୍ୟବହାର ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପାଉଁଶରୁ ଇଟା ପ୍ରସ୍ତୁତ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେବା ସହିତ ଇଟା ତିଆରି କାରଖାନାରେ ମାଗଣାରେ ପାଉଁଶ ପହଞ୍ଚାଇବାର ବ୍ୟବସ୍ଥା ରହିଛି । ପାଉଁଶ ତିଆରି ଇଟା ପରିବେଶ ଅନୁକୂଳ ଓ ଶସ୍ତା ହୋଇଥିବାରୁ ଉଦ୍ୟୋଗୀମାନେ ମଧ୍ୟ ଏଥିପାଇଁ ଆଗେଇ ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଉଁଶରୁ ଇଟା, ଟାଇଲ୍‍ ଓ ବ୍ଲକ ଆଦି ପ୍ରସ୍ତୁତିରେ ୭ନିୟୁତ ମେଟ୍ରିକ ଟନ୍‍ରୁ ଅଧିକ ପାଉଁଶ ବିନିଯୋଗ ହେଉଛି ।

ସେହିଭଳି ସିମେଣ୍ଟ କାରଖାନାରେ ପାଖପାଖି ୫ ନିୟୁତ ଟନ୍‍ ପାଉଁଶ ବ୍ୟବହାର ହେଉଥିବାବେଳେ ଖାଲୁଆ ଅଞ୍ଚଳ ପୋତିବାରେ ପାଖାପାଖି ୮ ନିୟୁତ ଟନ୍‍ ପାଉଁ ବ୍ୟହାର ହେଉଛି । ତେବେ ସବୁଠାରୁ ଅଧିକ ପାଖପାଖି ୧୫ ନିୟୁତ ଟନ୍‍ ପାଉଁଶ ସଡକ ନିର୍ମାଣରେ ବ୍ୟବହାର ହେଉଛି । ବର୍ଦ୍ଧିତ ପାଉଁଶର ସ୍ଥିତିକୁ ଦେଖି ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଅଧିକରୁ ଅଧିକ ପାଉଁଶ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।

ସେହିଭଳି ବିଭିନ୍ନ ନିର୍ମାଣସ୍ଥଳୀରେ ବ୍ୟବହାର ହେଉଥିବା ରେଡି ଟୁ କଂକ୍ରିଟ ବା କାରଖାନାରୁ ଫେଣ୍ଟାହୋଇଥିବା ଆସୁଥିବା କଂକ୍ରିଟରେ ତାପଜ କେନ୍ଦ୍ରର ପାଉଁଶ ବ୍ୟବହାର ହେଉଛି । ଏ କ୍ଷେତ୍ରରେ ବ୍ୟବହାର ହେଉଥିବା ପାଉଁଶର ପରିମାଣ ୦.୦୨ ନିୟୁତ ଟନ୍‍ ରହିଛି । ମୁକୁଳା ପଡିଥିବା ଖଣିଗୁଡିକୁ ପାଉଁଶରେ ପୋତିବା ଉପରେ ଜୋର ଦିଆଯାଉଛି । ଏଭଳି ମୁକୁଳା ଖଣିରେ ବର୍ଷକୁ ପାଖାପାଖି ସାଢେ ୩ ନିୟୁତ ମେଟ୍ରିକ ଟନ୍‍ ପାଉଁଶ ବ୍ୟବହାର ହେଉଥିବାବେଳେ ଡ୍ୟାମ ନିର୍ମାଣ, କୃଷି କାର୍ଯ୍ୟ, ଆଜବେଷ୍ଟସ ନିର୍ମାଣ ଆଦିରେ କମ୍‍ ପରିମାଣର ପାଉଁର ବ୍ୟବହାର କରାଯାଉଛି ।

ମୋଟାମୋଟି ଭାବେ ବର୍ଷକୁ ୪୫ ନିୟୁତ ଟନ୍‍ରୁ ଅଧିକ ପାଉଁଶ ବାହାରୁଥିବାବେଳେ ପାଖାପାତ୍କ ୪୧ ନିୟୁତ ଟନ୍‍ ପାଉଁଶ ବ୍ୟବହାର ହେଉଛି । ଅବଶିଷ୍ଟ ବଳକା ପାଉଁଶ ଏବେ ବିଭିନ୍ନ କାରଖାନା ପାଇଁ ମୁଣ୍ଡବିନ୍ଧାର କାରଣ ହେଉଛି । ମଝିରେ ମଝିରେ କାରଖାନାଗୁଡିକ ନିର୍ମାଣ କରିଥିବା ପାଉଁଶ ପୋଖରୀ ବନ୍ଧ ଭାଙ୍ଗି ଆଖପାଖ ଅଞ୍ଚଳରେ ମାଡି ଫସଲ ନଷ୍ଟ କରିବା ସହିତ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ଦେଖିବାକୁ ମିଳିଥାଏ । ଏହାକୁ ନେଇ ଅନେକ ସ୍ଥାନରେ ଲୋକେ ଆନ୍ଦୋଳନକୁ ବି ଓହ୍ଲାଇଥାନ୍ତି । ବର୍ତ୍ତମାନ ରାଜ୍ୟରୁ ବାହାରୁଥିବା ତାପଜ ପାଉଁଶର ପ୍ରାୟ ୮୯ ପ୍ରତିଶତ ବିନିଯୋଗ ହେଉଥିବା ସରକାରୀ ଭାବେ ଦର୍ଶାଯାଉଥିବାବେଳେ ଅବଶିଷ୍ଟ ୧୧ ପ୍ରତିଶତ ପାଉଁଶକୁ ନେଇ ପରିବେଶବିତ୍‍ମାନେ ଚିନ୍ତା ପ୍ରକଟ କରୁଛନ୍ତି । (ତଥ୍ୟ)