Home Culture ଚିନ୍ତାର ବିଷୟ ପାଲଟିଛି ଶ୍ରୀମନ୍ଦିର ସମସ୍ୟା

ଚିନ୍ତାର ବିଷୟ ପାଲଟିଛି ଶ୍ରୀମନ୍ଦିର ସମସ୍ୟା

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ୪ଟି ପ୍ରସଙ୍ଗ ଏବେ ସରକାର, ପ୍ରଶାସନ, ସେବାୟତ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ସମସ୍ୟା ଗୁଡ଼ିକର କେବେ, କିପରି ସମାଧାନ ହେବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ ।

ଗଜପତି ଶ୍ରୀମନ୍ଦିର ତୋଳିବାବେଳେ ଏହାର ୪ଟି ଦ୍ୱାର ରଖିଥିଲେ ଏବଂ ସବୁ ଦ୍ୱାର ଦେଇ ଭକ୍ତ ଓ ସେବାୟତମାନେ ଯାତାୟତ କରିପାରୁଥିଲେ । କୋଭିଡ୍ କଟକଣା ପରଠାରୁ ଶ୍ରୀମନ୍ଦିରର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିବାବେଳେ ଲମ୍ବା ଧାଡିରେ ଦୀର୍ଘ ସମୟ ପ୍ରତୀକ୍ଷା କରୁଥିବା ଭକ୍ତମାନଙ୍କୁ ପୂର୍ବପଟେ ଥିବା ସିଂହଦ୍ୱାର ଦେଇ ଛଡାଯାଉଛି ।

ବାହାରୁ ଆସୁଥିବା ଭକ୍ତମାନେ ଏଥିଯୋଗୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାବେଳେ ପୁରୀବାସୀ ବି ନିୟମିତ ମନ୍ଦିର ଦର୍ଶନ ଓ ପ୍ରସାଦ ସେବନ କ୍ଷେତ୍ରରେ ହଇରାଣ ହେଉଛନ୍ତି । ଏଭଳି ପରିସ୍ଥିତିରୁ ଫାଇଦା ଉଠାଇ ପୁରୀ ସହରରେ ନକଲି ମହାପ୍ରସାଦ ବେପାର ମଧ୍ୟ ଧରାପଡିଛି । ଏଥିଯୋଗୁ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଛି ଏବଂ ନିରାପତ୍ତା ବ୍ୟବସ୍ଥା ସହିତ ୪ଟି ଯାକ ଦ୍ୱାର ପୂର୍ବ ଭଳି ଖୋଲିବା ପାଇଁ ଦଳମତ ନିର୍ବିଶେଷରେ ଦାବି ଉଠୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଚୁଡ଼ାନ୍ତ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ।

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଏବେ ବିଗ୍ରହମାନଙ୍କର ରୂପକାନ୍ତି ଦେଖି ଦୁଃଖିତ ହେଉଛନ୍ତି । ନିୟମିତ ବ୍ୟବଧାନରେ ପୂର୍ବରୁ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ହେଉଥିଲା । ବନକଲାଗିରେ କସ୍ତୁରି ସମେତ ଅନ୍ୟାନ୍ୟ ସାମଗ୍ରୀ ଶ୍ରୀ ବିଗ୍ରହ ଗୁଡିକରେ ଲେପନ କରାଯିବା ଫଳରେ ପ୍ରତିମା ଗୁଡିକ ଆକର୍ଷଣୀୟ ଦେଖାଯାଇଥାନ୍ତି ।

ବନକଲାଗି ପାଇଁ ଥିବା ସେବାୟତମାନେ ଗୁରୁବାରଠାରୁ ଏହି ନୀତି ସମ୍ପନ୍ନ କରିବାକୁ ଚାହୁଁଥିବାବେଳେ ପ୍ରଶାସନ କିନ୍ତୁ ବୁଧବାରରେ ଏହା କରାଇବାକୁ ଚାହୁଁଛନ୍ତି । ଯେଉଁ ସେବକମାନେ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଧାରିତ ଦିନରେ ବନକଲାଗି କରୁନାହାନ୍ତି ସେମାନଙ୍କୁ ଇତିମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ଟଣାଓଟରା ଭିତରେ ରଥଯାତ୍ରା ପରଠାରୁ ଆଉ ବନକଲାଗି ହୋଇପାରୁନାହିଁ ।

ଶ୍ରୀମନ୍ଦିରର ସମ୍ପର୍କରେ ଅନ୍ୟଏକ ଚର୍ଚ୍ଚିତ ବିଷୟ ହେଉଛି ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗୁଡିକର ସୁମାରି କରିବା । ୧୯୭୮ ମସିହା ପରଠାରୁ ଭିତର ରତ୍ନଭଣ୍ଡାରରେ ସମ୍ପତ୍ତି କ’ଣ ରହିଛି ତାହାର ଆଉ ହିସାବ ନିକାଶ କରାଯାଇନାହିଁ । ରତ୍ନ ଭଣ୍ଡାର ଚାବି ହଜିବା ଓ ପରେ ମିଳିବା ଏହି ଘଟଣାକୁ ସନ୍ଦେହ ଘେରକୁ ଟାଣିନେଇଥିବାବେଳେ ସରକାର ମଧ୍ୟ ତଦନ୍ତ କମିଶନ ବସାଇଥିଲେ । ତେବେ ରତ୍ନଭଣ୍ଡାର ସଂକ୍ରାନ୍ତୀୟ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ଦର୍ଶାଇ ରାୟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି ।

ପୁରୀ ଭିତରେ ଓ ବାହାରେ ଶ୍ରୀମନ୍ଦିରର ପ୍ରାୟ ୫୬ହଜାର ଏକର ଭୂ-ସମ୍ପତ୍ତି ରହିଛି । କିନ୍ତୁ ଏଯାବତ୍ ସମସ୍ତ ଭୂ-ସମ୍ପତ୍ତିର ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଏମିତିକି ଅନେକ ସ୍ଥାନରେ ଏହା ଜବରଦଖଲକାରୀମାନଙ୍କ କବ୍‌ଜାରେ ରହିଛି । ଶ୍ରୀମନ୍ଦିର ଜମିରୁ ପଥର ଓ ମୋରମ ଲୁଟ୍ କରି ମାଫିଆମାନେ କୋଟି ପତି ହୋଇଥିବାବେଳେ ଏହି ଜମିରେ ସୃଷ୍ଟି ହୋଇଥିବା ଗାତ ପୋତିବା ଓ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଶ୍ରୀମନ୍ଦିରର କର୍ତ୍ତୃପକ୍ଷଙ୍କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ୧୨କୋଟି ଟଙ୍କା ଦାଖଲ କରିବାକୁ ଦେଇଥିବା ନିର୍ଦ୍ଦେଶ ଏବେ ବି ଚର୍ଚ୍ଚାରେ ରହିଛି ।

ସେହିଭଳି ଶ୍ରୀମନ୍ଦିରର ଅମୃତ ମଣୋହୀ ଜମିରୁ କିଛି ବେଦାନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା । ଏବେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏହି ଜମି ଶ୍ରୀମନ୍ଦିର ଖାତାକୁ ଫେରିବା କଥା । କିନ୍ତୁ ଏଯାବତ୍ ଏହି ରାୟ କାର୍ଯ୍ୟକାରୀ ହୋଇନାହିିଁ । ସେହିପରି ଶ୍ରୀମନ୍ଦିର ଭିତରେ ସୁଆର ସେବକଙ୍କ ଛଡ଼ା ଆଉ କେହି ମହାପ୍ରସାଦ ପରିବେଷଣ ନକରିବା ଏବଂ ମହାପ୍ରସାଦର ଦରସୂଚୀ ଆନନ୍ଦ ବଜାରରେ ମାରିବା ପାଇଁ ବାରମ୍ବାର କୁହାଯାଉଥିଲେ ବି ଏଯାବତ୍ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ।

ଏହାଛଡ଼ା ଶ୍ରୀମନ୍ଦିରରେ ଓ ରଥଯାତ୍ରାରେ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କ ବିରୋଧରେ ବି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ହେଉନାହିଁ । ପ୍ରଶାସନର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁମାନେ ରଥ ଉପରକୁ ସ୍ମାର୍ଟ ଫୋନ୍ ନେଇ ସେଲ୍‍ଫି ନେଲେ ଓ ଅଣସେବକଙ୍କୁ ରଥ ଉପରକୁ ଉଠାଇଲେ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଶୂନ ।

ଏମିତିକି ପୂର୍ବରୁ ବ୍ରହ୍ମ ବିଭ୍ରାଟ ଓ ନବକଳେବର ବିଭ୍ରାଟ ସମ୍ପର୍କରେ ତଦନ୍ତ କରାଯାଇଥିଲେ ମଧ୍ୟ ଏହା ଉପରେ କିଛି ପଦକ୍ଷେପ ନିଆଯାଇନାହିଁ । ଏଭଳି ସ୍ଥିତିରେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଡ୍ରେସ୍‌କୋଡ୍ କରିବା ଲାଗି ଯାହା କୁହାଯାଉଛି ତାକୁ ଘେନି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ତେବେ ରାଜ୍ୟ ସରକାର ଓ ଆଇନ ବିଭାଗ ଏସବୁ ପ୍ରସଙ୍ଗରେ ନଜର ରଖିଥିବା ବିଭାଗୀୟ ଅଧିକାରୀମାନେ କହିଛନ୍ତି । (ତଥ୍ୟ)