Home General ଚିନ୍ତାରେ ବାଣ ବ୍ୟବସାୟୀ

ଚିନ୍ତାରେ ବାଣ ବ୍ୟବସାୟୀ

ଭୁବନେଶ୍ୱର : ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳୀରେ ବାଣଫୁଟା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ମନ୍ତବ୍ୟ ଓଡିଶାର ବାଣ ବ୍ୟବସାୟୀମାନଙ୍କୁ ଚିନ୍ତାରେ ପକାଇଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ସମେତ ସମଗ୍ର ଦେଶରେ ବାଣଫୁଟା କଟକଣା ଉପରେ ପଦକ୍ଷେପ ନେବାପାଇଁ ସର୍ବୋଚ୍ଚ ନ୍ୟାୟାଳୟ କହିବାପରେ ରାଜ୍ୟ ସରକାର ଏହା ଉପରେ କି ପ୍ରକାର ପଦକ୍ଷେପ ନେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଦୀପାବଳୀ ଅବସରରେ ଦିଲ୍ଲୀକୁ ବାୟମଣ୍ଡଳକୁ ଅତ୍ୟନ୍ତ ପ୍ରଦୂଷିତ କରୁଥିବା ବାଣ ଫୁଟା ଉପରେ କଟକଣା ଲଗାଇବାପାଇଁ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ମାମଲାର ବିଚାର କରି ଅଦାଲତ ଦିଲ୍ଲୀ ସମେତ ସମଗ୍ର ଦେଶରେ ଏଭଳି କଟକଣା ଲାଗୁ ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଛନ୍ତି । ଦେଶୀବାସୀଙ୍କର ପ୍ରଦୂଷଣମୁକ୍ତ ବାୟୁମଣ୍ଡଳରେ ବଞ୍ଚିବାର ଅଧିକାର ଥିବାରୁ ଏ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ୍‍ ବିପଜ୍ଜନକ ରହୁଥିବାରୁ ପ୍ରତିବର୍ଷ ଦୀପାବଳୀରେ ଦିଲ୍ଲୀରେ ବାଣଫୁଟା ଉପରେ କଟକଣା ଲଗାଯାଏ । ଅଦାଲତ ମଧ୍ୟ ଏଭଳି କଟକଣା ଉପରେ ମୋହର ଲଗାଇଥାନ୍ତି । ତେବେ ଦେଶର ଅନ୍ୟାନ୍ୟ ରାଜ୍ୟ ପ୍ରତି ଅଦାଲତ ଏଭଳି ମନ୍ତବ୍ୟ ଦେଇନଥିଲେ । ବର୍ତ୍ତମାନ ଦେଶବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ମନ୍ତବ୍ୟ ଦେବାପରେ ଓଡିଶା ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଲାଣି ।

କାରଣ ରାଜ୍ୟ ସରକାର ଦୀପାବଳୀ ଅବସରରେ ବାୟୁ ପ୍ରଦୂଷଣ ନକରିବାପାଇଁ ଜନ ସାଧାରଣଙ୍କୁ ବାଣ ନଫୁଟାଇବାକୁ ଅପିଲ କରିବା ସହିତ ବାଣଫୁଟାଇବାପାଇଁ ସମୟ ଧାର୍ଯ୍ୟ କରିଥାନ୍ତି । ଯେହେତୁ ଦିଲ୍ଲୀ ଭଳି ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହୁଏନାହିଁ, ତେଣୁ ରାଜ୍ୟ ସରକାରଙ୍କ କଟକଣାକୁ ପ୍ରାୟତଃ କେହି ମାନନ୍ତି ନାହିଁ । ଖୋଦ ରାଜ୍ୟ ରାଜଧାନୀରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାୟୁ ଓ ଶବ୍ଦ ପ୍ରଦୂଷଣ କଲାଭଳି ବାଣ ଗୁଡିକ ଫୁଟିଥାଏ ।

ବର୍ତ୍ତମାନ ସର୍ବୋଚ୍ଚ ଅଦାଲତ ବାଣଫୁଟା ଉପରେ ସମଗ୍ର ଦେଶ ପାଇଁ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିଥିବାରୁ ରାଜ୍ୟ ସରକାର ଚାହିଁଲେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିପାରିବେ । ଏହା ହେଲେ ଦୀପାବଳୀ ସମୟରେ ହେଉଥିବା କୋଟି କୋଟି ଟଙ୍କାର ବାଣ ବେପାର ବନ୍ଦ ହୋଇଯିବ । ଉଲ୍ଲେଖନୀୟ ଯେ ଦୀପାବଳୀ ସମୟରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶତାଧିକ ବାଣ ଦୋକାନ ଖୋଲୁଥିବାବେଳେ ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥାନ୍ତି । ସରକାରଙ୍କ ଶତ ଅନୁରୋଧ ସତ୍ୱେ ଲୋକେ ବିପୁଳ ବାଣ କିଣି ଫୁଟାଇଥାନ୍ତି ଓ ଦୀପାବଳୀ ପରଦିନ ରାଜ୍ୟର କେଉଁସ୍ଥାନରେ ବାଣଧୂଆଁ ଯୋଗୁଁ ବାୟୁମାନ କିଭଳି ଖରାପ ହୋଇଛି ତାହାର ଖବର ପ୍ରକାଶ ପାଇଥାଏ ।

ଇତି ମଧ୍ୟରେ ଉତ୍ତମ ବାୟୁମାନ ପାଇଁ ରାଜ୍ୟର ଶିଳ୍ପନଗରୀ ଅନୁଗୁଳ ସହର ଓ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସହର ଜାତୀୟ ସ୍ତରରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ପୁରସ୍କାର ହାସଲ କରିଛନ୍ତି । ଏହି ମାନକୁ ବଜାୟ ରଖିବାପାଇଁ ସରକାର ଦୀପାବଳୀ ସମୟରେ ବାଣବିକ୍ରି ଓ ବାଣଫୁଟା ଉପରେ କଟକଣା ଲଗାଇବେ କି ନାହିଁ ତାହାକୁ ନେଇ ଏବେଠାରୁ ଆକଳନ ଆରମ୍ଭ ହୋଇଛି । (ତଥ୍ୟ)