ଭୁବନେଶ୍ୱର : ଓଡ଼ିଶା ପାଇଁ ବର୍ଷକୁ ପାଖାପାଖି ୩ଲକ୍ଷ ମେଟ୍ରିକ୍ ଟନ୍ ଚିନି ଆବଶ୍ୟକ ହେଉଥିବାବେଳେ ରାଜ୍ୟରେ ୪୦ ହଜାର ମେଟ୍ରିକ୍ ଟନ୍ରୁ କମ୍ ଚିନି ଉତ୍ପାଦନ ହେଉଥିବାରୁ ଏ କ୍ଷେତ୍ରରେ ଓଡ଼ିଶାକୁ ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଓଡ଼ିଶାରେ ଆଖୁଚାଷ ଓ ଚିନି ଉତ୍ପାଦନ ପାଇଁ ଅନୁକୂଳ ବାତାବରଣ ଥିବାବେଳେ ଏହାର ଉପଯୋଗ କରାଯାଉନଥିବାରୁ ଆଳୁ, ତେଲ, ଅଣ୍ଡା, ପରିବା ଭଳି ଓଡ଼ିଶାକୁ ବି ଚିନି କ୍ଷେତ୍ରରେ ନିର୍ଭରଶୀଳ ହେବାକୁ ପଡୁଛି ।
ରାଜ୍ୟରେ ଏବେ ଆସିକା ସମବାୟ ଚିନିକଳ ଓ ଢେଙ୍କାନାଳର ଶକ୍ତି ସୁଗାର କାର୍ଯ୍ୟକ୍ଷମ ରହିଛି । ଆସିକା ସମବାୟ ଚିନିଶିଳ୍ପ ବ୍ୟତୀତ ଓଡ଼ିଶାରେ ବରଗଡ଼ ସମବାୟ ଚିନିଶିଳ୍ପ, ବଲାଙ୍ଗୀର ଜିଲ୍ଲାର ବିଜୟାନନ୍ଦ ସମବାୟ ଚିନିଶିଳ୍ପ, କଟକ ଜିଲ୍ଲାରେ ବଡମ୍ବା ସମବାୟ ଚିନିଶିଳ୍ପ ଓ ନୟାଗଡ଼ରେ ନୟାଗଡ଼ ସମବାୟ ଚିନିଶିଳ୍ପ ଥିଲା । ଏଥିରୁ ନୟାଗଡ଼ ଓ ବଡମ୍ବା ଚିନିଶିଳ୍ପକୁ ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଇଥିଲା ।
ବଡମ୍ବା ଚିନିକଳ ୨୦୧୩ ମସିହାରୁ ବନ୍ଦ ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ବିଜୟାନନ୍ଦ ସମବାୟ ଚିନି ଶିଳ୍ପ ୨୦୧୪ରୁ, ନୟାଗଡ଼ ଚିନିକଳ ୨୦୧୫ରୁ ଓ ବରଗଡ଼ ଚିନିକଳ ୨୦୧୭ ମସିହାରୁ ବନ୍ଦ ରହିଛି । ଏହି ଚିନିକଳଗୁଡ଼ିକୁ କେନ୍ଦ୍ରକରି ଆଖପାଖ ଅଞ୍ଚଳରେ ଆଗେ ବ୍ୟାପକ ଆଖୁଚାଷ କରାଯାଉଥିଲା । ଆଖୁଭଳି ଅର୍ଥକରୀ ଫସଲରୁ ଚାଷୀମାନେ ବେଶ୍ ଲାଭ ପାଉଥିଲେ ଏବଂ ଏହି ଆଖୁକୁ ବ୍ୟବହାର କରି ପର୍ଯ୍ୟାପ୍ତ ପରିମାଣର ଚିନି ଏକଦା ଓଡ଼ିଶାରେ ଉତ୍ପାଦିତ ହେଉଥିଲା ଏବଂ ଓଡ଼ିଶାର ଉନ୍ନତମାନର ଚିନିର ଚାହିଦା ଅନ୍ୟ ରାଜ୍ୟମାନଙ୍କରେ ବି ଢେର ଥିଲା ।
ପରିଚାଳନାଗତ ତ୍ରୁଟି ଓ ରାଜନୈତିକ ହସ୍ତକ୍ଷେପ ଯୋଗୁ ଚିନିକଳଗୁଡ଼ିକ ବନ୍ଦ ହେବା ସହିତ ଆଖୁ ଚାଷ ବି କମି ଆସିଲା । ପୂର୍ବରୁ ଗାଁ ଗାଁରେ ଲୋକେ ଆଖୁଚାଷ କରି ସେଥିରୁ ଗୁଡ଼ ଉତ୍ପାଦନ କରୁଥିଲେ । ଯେଉଁ ଅଞ୍ଚଳର ଆଖୁଚାଷୀମାନଙ୍କ ଉପରେ ନିର୍ଭର କରି ଚିନିକଳମାନ ଗଢ଼ି ଉଠିଥିଲା ସେ ଅଞ୍ଚଳରେ ଗୁଡ଼ ଉତ୍ପାଦନ ଉପରେ ସରକାରୀ ଭାବେ କଟକଣା ଜାରି କରାଯାଇଥିଲା । କାରଣ ସଂଖ୍ୟାଧିକ କ୍ଷେତ୍ରରେ ଆଖୁଚାଷୀମାନଙ୍କୁ ବିହନ, ସାର ସମେତ ଚାଷ ପାଇଁ ଆର୍ôଥକ ସହାୟତା ଚିନିକଳମାନେ ଯୋଗାଉଥିଲେ । ବିନା ସୁଧରେ ଏମାନେ ଆଖୁ ଚାଷ ପାଇଁ ଅର୍ଥ ଦେଇ ତା’ବଦଳରେ ଚାଷୀଙ୍କ ଠାରୁ ଉଚିତ୍ ମୂଲ୍ୟରେ ଆଖୁ କିଣି ନେଉଥିଲେ ।
ଚିନିକଳ ବନ୍ଦ ହେବା ପରେ ଗୁଡ଼ ଉତ୍ପାଦନ ଉପରେ ଆଉ ବିଶେଷ ଧ୍ୟାନ ଦିଆଗଲା ନାହିଁ । ଫଳରେ ନୟାଗଡ଼ ଭଳି କେତେକ ଅଞ୍ଚଳକୁ ଛାଡ଼ିଦେଲେ ଆଉ ଅନ୍ୟତ୍ର ଆଖୁ ପେଡ଼ା କିମ୍ବା ଗୁଡ଼ ରନ୍ଧା ଦେଖାଯାଉ ନାହିଁ । ଏମିତିକି ଅନେକ ସ୍ଥାନରୁ ଆଖୁପେଡ଼ା ଘଣା ଓ ଗୁଡ଼ ରନ୍ଧା କଢ଼େଇ ମଧ୍ୟ ଲୋପ ପାଇଗଲାଣି ।
କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଓଡ଼ିଶାରେ ଚିନି ଉତ୍ପାଦନ ପାଇଁ ଥିବା ଅନୁକୂଳ ଭିତ୍ତିଭୂମିର ଠିକଣା ଉପଯୋଗ କରାଗଲେ ଲକ୍ଷ ଲକ୍ଷ ଚାଷୀ ଓ କୃଷି ଶ୍ରମିକଙ୍କ ଆର୍ôଥକ ବିକାଶ ଘଟିବା ସହିତ ରାଜ୍ୟ ଅର୍ଥନୀତି ସୁଦୃଢ଼ ହେବ ଏବଂ ଦାଦନ ସମସ୍ୟା ମଧ୍ୟ ବହୁ ପରିମାଣରେ କମିଯିବ ।
ଏହାଛଡ଼ା ଲୋକେ ଆଖୁ ଭଳି ଅର୍ଥକରୀ ଫସଲ ଉପରେ ଗୁରୁତ୍ୱ ଦେଲେ ଧାନର ଅଭାବୀ ବିକ୍ରି ସମସ୍ୟା ବି ବହୁ ପରିମାଣରେ ହ୍ରାସ ପାଇବ ଏବଂ ଧାନ କିଣିବା ପାଇଁ ମିଲ୍ ମାଲିକମାନଙ୍କ କଟ୍ନୀ ଛଟ୍ନୀ ଓ ମାନ ପରୀକ୍ଷା ଧମକ ମଧ୍ୟ ଉଭେଇ ଯିବ । ରାଜ୍ୟ ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଇ ମିଶନ ମୋଡ଼ରେ ଆଖୁଚାଷ ସହିତ ଚିନି ଶିଳ୍ପ ପ୍ରତିଷ୍ଠା କଲେ ଓଡ଼ିଶାରେ ବର୍ଷକୁ ୩୦ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ସମେତ ବିପୁଳ ପରିମାଣର ଗୁଡ଼ ମଧ୍ୟ ଉତ୍ପାଦିତ ହୋଇପାରିବ ବୋଲି କୃଷି ବିଶେଷଜ୍ଞମାନେ କହୁଛନ୍ତି ।(ତଥ୍ୟ)