ଭୁବନେଶ୍ୱର : ଓଡିଶାର ଲୋକଙ୍କ ଠାରୁ ୫ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ଠକି ନେଇଥିବା ଚିଟ୍ଫଣ୍ଡ୍ ସଂସ୍ଥାମାନଙ୍କଠୁ କ୍ଷତିଗ୍ରସ୍ତ ଜମାକାରୀମାନେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରି ନାହାନ୍ତି । ଏହି ଠକେଇ ଘଟଣା ସିବିଆଇ ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା ଓ ପୁଲିସ୍ ବିଭାଗ ତଦନ୍ତ କରିଥିବାବେଳେ ରାଜ୍ୟ ସରକାର ବସାଇଥିବା କମିଶନ ବି ତାଙ୍କ ଅନ୍ତରୀଣ ରିପୋର୍ଟରେ ଅନେକ କଥା କହିଛନ୍ତି । କିନ୍ତୁ ଏଥିରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ପେଟ ପୁରୁନାହିଁ ।
କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ଲାଗି ରାଜ୍ୟ ସରକାର ୩୦୦ କୋଟି ଟଙ୍କାର ଯେଉଁ କର୍ପସ ପଣ୍ଠ ଗଠନ କରିଥିଲେ ଏବଂ କେତେକ ଚିଟ୍ଫଣ୍ଡ୍ ସଂସ୍ଥାଙ୍କର ଯେଉଁ ବିପୁଳ ସମ୍ପତ୍ତି ଜବତ ହୋଇଥିଲା ସେଗୁଡିକୁ ନିଲାମ କରି ଏବଂ ସେମାନଙ୍କ ଜବତ ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ବିପୁଳ ଟଙ୍କାକୁ ଏଯାବତ୍ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଦିଆଯାଇ ପାରିନାହିଁ ।
ଚିଟ୍ଫଣ୍ଡ୍ରେ ଟଙ୍କା ଜମାକରିଥିବା କେତେକ ଲୋକଙ୍କର ଇତି ମଧ୍ୟରେ ଦେହାନ୍ତ ହୋଇସାରିଛି । ଆଉ କେତେକ ଗଭୀର ମନସ୍ତାପ ଭିତରେ କାଳ କାଟିବା ସହ ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି । ଏହି ପରିବାରଗୁଡିକୁ ସୁଧ ସହ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ କେବେ ସରକାର ଫେରାଇବେ ତାହାର ନିର୍ଦ୍ଦିଷ୍ଟ ତାରିଖ କେହି କହିପାରୁ ନାହାନ୍ତି ।
୨୦୧୩ ମସିହାରେ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଆର କେ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇଥିଲେ । ତେବେ ଅସମୟରେ ବିଚାରପତି ଶ୍ରୀ ପାତ୍ରଙ୍କର ଦେହାନ୍ତ ହେବାରୁ ୨୦୧୫ ମସିହାରେ ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏମ ଏମ ଦାଶଙ୍କ ଅଧ୍ୟକ୍ଷତାରେ ସେହି କମିଶନ ଚଳାଇଥିଲେ । ଏହି କମିଶନ ପାଇଁ ୪କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । କମିଶନ ସରକାରଙ୍କୁ ୪ଟି ଅନ୍ତରୀଣ ରିପୋର୍ଟ ଦେଇଥିବା ସ୍ଥଳେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପୂର୍ବରୁ ସରକାର କମିଶନଙ୍କୁ ଅଚଳ କରିଦେଇଛନ୍ତି ।
୨୦୧୪ ମସିହାରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ୩୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିଥିଲେ । ଏ ସଂକ୍ରାନ୍ତରେ ବ୍ୟାପକ ପ୍ରଚାର ହୋଇଥିଲେ ମଧ୍ୟ ବିଶେଷ କିଛି ଫାଇଦା ଲୋକେ ପାଇନାହାନ୍ତି ।
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କେତେକ ଚିଟ୍ଫଣ୍ଡ ସଂସ୍ଥା ସଂକ୍ରାନ୍ତରେ ତଦନ୍ତ ଲାଗି ସିବିଆଇକୁ ଦାୟିତ୍ୱ ଦିଆଯାଇଥିଲା ଏବଂ ଏଥିପାଇଁ ଭୁବନେଶ୍ୱରରେ ସିବିଆଇକୁ ସରକାରୀ କ୍ୱାଟର୍ସ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ରାଜ୍ୟ ସରକାର ଯୋଗାଇଛନ୍ତି । ରାଜ୍ୟ ସରକାରଙ୍କ ଇଓଡବ୍ଲୁ, କମିଶନରେଟ ପୁଲିସ୍ ଏବଂ ବିଭିନ୍ନ ଜିଲ୍ଲାର ଥାନାଗୁଡିକରୁ ଚିଟ୍ଫଣ୍ଡ୍ ମାମଲା ପ୍ରାୟ ୧୪ବର୍ଷ ତଳୁ ରୁଜୁ ହୋଇଥିଲେ ବି ଏଥିରୁ ଏଯାବତ୍ ୧୦ ପ୍ରତିଶତ ମାମଲା ବି ଫଏସଲା ହୋଇନାହିଁ । ଅବଶ୍ୟ ସିବିଆଇ ହସ୍ତକ୍ଷେପ କରିବାପରେ କେତେକ ଚିଟ୍ଫଣ୍ଡ ସଂସ୍ଥାର କର୍ମକର୍ତ୍ତାଙ୍କୁ ଗିରଫ କରି ଜେଲ୍ ପଠାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଅନେକ ଇତି ମଧ୍ୟରେ ଜାମିନରେ ଆସି ସାରିଛନ୍ତି ।
ପ୍ରାୟ ୨୦୦ ସଂସ୍ଥା ବିରୁଦ୍ଧରେ ଆର୍ଥିକ ଠକେଇ ଅଭିଯୋଗ ଆସିଥିଲା ଏବଂ ଏମାନଙ୍କ ମଧ୍ୟରୁ ୫୦ରୁ ଅଧିକ ସଂସ୍ଥା ହେଉଛନ୍ତି ରାଜ୍ୟ ବାହାରର । ଏହି ସଂସ୍ଥାମାନେ ନିମ୍ନ ଓ ମଧ୍ୟମ ବର୍ଗର ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କୁ ମନଲୋଭା ପ୍ରଲୋଭନ ଦେଖାଇ ବିପୁଳ ଅର୍ଥ ସଂଗ୍ରହ କରିଥିଲେ । ସେମାନଙ୍କୁ ଲୋକେ ଯେଭଳି ବିଶ୍ୱାସ କରିବେ ସେଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ମଧ୍ୟ ଏମାନେ ମୋହରା ବନାଇଥିଲେ । (ତଥ୍ୟ)