Home General ଚିଟ୍‍ଫଣ୍ଡ କମିଶନଙ୍କ ଖର୍ଚ୍ଚ ୬କୋଟିରୁ ଅଧିକ

ଚିଟ୍‍ଫଣ୍ଡ କମିଶନଙ୍କ ଖର୍ଚ୍ଚ ୬କୋଟିରୁ ଅଧିକ

ଭୁବନେଶ୍ୱର : ଚିଟ୍‍ଫଣ୍ଡ କମିଶନର ତଦନ୍ତ ପାଇଁ ଗଠିତ କମିଶନରେ ୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି । ଏହି ଅର୍ଥ ଅଧିକାରୀ ଓ କର୍ମଚାରୀଙ୍କ ଦରମା ଓ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କ ଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ବ୍ୟୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚିଟ୍‍ଫଣ୍ଡ ତଦନ୍ତ କମିଶନ ପାଇଁ ୨୦୨୦ ସୁଦ୍ଧା ମୋଟ୍‍ ୬,୧୯,୭୨,୫୩୮ ଟଙ୍କା ଖର୍ଚ୍ଚ ହୋଇଛି । ତଦନ୍ତ କମିଶନରେ ୨୦୧୩ ଅକ୍ଟୋବର ୩୧ ସୁଦ୍ଧା ୮,୯୬,୩୧୨ଟି ସତ୍ୟପାଠ ଦାଖଲ ହୋଇଥିଲା । ଏହାର ଯାଞ୍ଚ ପରେ ୭୯,୦୫୯ଟି ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିବା ଜଣାପଡିଥିଲା । ଅବଶିଷ୍ଟ ସତ୍ୟପାଠକୁ ଯାଞ୍ଚ ନିମନ୍ତେ ତାଲିକା ପ୍ରସ୍ତୁତ ହୋଇଥିଲା ।

ତେବେ କମିଶନ ଦ୍ୱିତୀୟ ପର୍ଯ୍ୟାୟରେ ଜାରି କରିଥିବା ସାନି ବିଜ୍ଞପ୍ତି ଆଧାରରେ ୨୦୧୯ ଜାନୁୟାରୀ ୩୧ ସୁଦ୍ଧା ପ୍ରାୟ ୭ଲକ୍ଷ ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଛି । ସତ୍ୟପାଠ ମଧ୍ୟରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ସତ୍ୟପାଠର ଡିଜିଟାଇଜେସନ କାର୍ଯ୍ୟ ଓକାକକୁ ଦିଆଯାଇଛି ।

କମିଶନର ଅଧ୍ୟକ୍ଷ ବିଚାରପତି ଏମ୍‍ ଏମ୍‍ ଦାସ ପ୍ରଥମ ପର୍ଯ୍ୟାୟରେ ସଠିକ୍‍ ସତ୍ୟପାଠ ଶୁଣାଣି ପରେ ଇତି ମଧ୍ୟରେ ୭ଟି ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । କମିଶନଙ୍କ ସୁପାରିଶ୍‍ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)