ଭୁବନେଶ୍ୱର :ଭୁବନେଶ୍ୱର ଆର.ଟି.ଓ ଅଫିସ ନିକଟ ଏକ ଓମ୍ଫେଡ୍ ବୁଥ୍ରେ ଚା ବିକ୍ରୀ କରୁଥିବା ଦୋକାନୀ ଶ୍ରୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି । ରାଜ୍ୟ ଲୋକସେବା ଭବନlର ସେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶିର ଚେକ୍ ପ୍ରଦାନ କରିଥିଲେ ।
ଏହି ଅବସରରେ ଶ୍ରୀ ଜେନା ଜଣାଇଥିଲେ ଯେ ସେ ଜଣେ କୋଭିଡ୍ ଯୋଦ୍ଧାଭାବେ କାର୍ଯ୍ୟ କରିଥିଲେ । ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ ନିଜ ଉପରେ କରାଇବା ପାଇଁ ସେ ସ୍ୱେଚ୍ଛାକୃତଭାବେ ଆଗଭର ହୋଇଥିଲେ । ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନପ୍ରକାର ଡ଼ାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍ ହସ୍ପିଟାଲକୁ ଯିବା ଆସିବା କରୁଥିଲେ । ତାଙ୍କୁ ଯିବା ଆସିବା ଖର୍ଚ୍ଚ ବାବଦରେ ୬୭୫୦.୦୦ ମିଳିଥିଲା । ଟିକା ପରୀକ୍ଷଣ ସଫଳ ହେବାରୁ ସେ ବହୁତ ଆନନ୍ଦିତ ହୋଇଥିଲେ ଓ ଆତ୍ମସନ୍ତୋଷ ଲାଭ କରିଥିଲେ ।
ସେହି ରାଶି ସହ ଚା ବେପାରରୁ ମିଳିଥିବା ୧ ମାସର ଲାଭ ମିଶାଇ ଶ୍ରୀ ଜେନା ସମୁଦାୟ ୧୮,୩୫୦.୦୦ ର ଚେକ୍ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କଲେ । ପ୍ରତି ବର୍ଷ ଦୋକାନରୁ ୧ ମାସର ରୋଜଗାର ସେ କୌଣସି ନା କୌଣସି ଅଭାବଗ୍ରସ୍ତ, ଦିବ୍ୟାଙ୍ଗ ଓ ନିସହାୟଙ୍କ ସହାୟତା ବା ସମାଜ କଲ୍ୟାଣ କାମରେ ବିନିଯୋଗ କରିଥାଆନ୍ତି । ପ୍ରାୟ ବିଗତ ୧୦ ବର୍ଷରୁ ଉର୍ଦ୍ଧ୍ଵକାଳ ଧରି ସେ ଏ ପ୍ରକାର ମାନବିକ ସେବା କାର୍ଯ୍ୟରେ ବ୍ରତୀ ଅଛନ୍ତି ବୋଲି ତାଙ୍କ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ସମ୍ୱାଦରୁ ଜଣାପଡିଛି ।
ଶ୍ରୀ ଜେନାଙ୍କର ଏତାଦୃଶ ମାନବିକ ଚେତନା ଓ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିବଶଙ୍କରଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ବିକାଶ କାମନା କରିଥିଲେ । ଚେକ୍ ପ୍ରଦାନ ସମୟରେ ଭୁବନେଶ୍ୱର (ମଧ୍ୟ) ର ବିଧାୟକ ସଦସ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ ।