ଭୁବନେଶ୍ୱର : ରାଜ୍ୟରେ ଚାଷ ହେଉଥିବା ଜମିର ପରିମାଣ କମିବାରେ ଲାଗିଛି । ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ଜମିର ପରିମାଣ ୪.୪୮ ଲକ୍ଷ ହେକ୍ଟର ହ୍ରାସ ପାଇଥିବା ଜଣାଯାଇଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୧୧ ବର୍ଷରେ ରାଜ୍ୟରେ ୫୯.୪୬ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ କିସମର ଚାଷ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୫୪.୯୮ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି । ସେହିଭଳି ପଡିଆ ପଡୁଥିବା ଜମି ପରିମାଣ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଛି । ୨୦୨୦-୧୧ ବର୍ଷରେ ରାଜ୍ୟରେ ୭.୫୯ ଲକ୍ଷ ହେକ୍ଟର ଜମି ପଡିଆ ପଡିଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୭.୬୬ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି ।
ତେବେ ଗତ ଏଗାର ବର୍ଷ ମଧ୍ୟରେ ରାଜ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ୨୦୨୦-୧୧ ବର୍ଷରେ ରାଜ୍ୟରେ ୮୭.୬୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ଏହି ପରିମାଣ ୧୨୮.୨୬ ଲକ୍ଷ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି । ଏହି ସମୟରେ ରାଜ୍ୟରେ ଡାଲି ସମେତ ଚାଉଳ ଉତ୍ପାଦନ ରେକର୍ଡ ସ୍ତରର ହୋଇଛି ।
୨୦୨୦-୧୧ ବର୍ଷରେ ରାଜ୍ୟରେ ପାଖାପାଖି ଏକ ଲକ୍ଷ ମେଟ୍ରିକ ଟନ୍ ଡାଲି ଜାତୀୟ ଶସ୍ୟ ଉତ୍ପାଦିତ ହୋଇଥିବାବେଳେ ୨୦୨୨-୨୩ ବର୍ଷରେଏହା ୧୧.୪୮ ମେଟ୍ରିକ ଟନ୍କୁ ଟପିଯାଇଛି । ତେବେ ଏହି ସମୟ ମଧ୍ୟରେ ରାଜ୍ୟରେ ଚାଉଳ ଉତ୍ପାଦନ ୬୯.୩୧ ଲକ୍ଷ ଟନ୍ରୁ ୧୦୫.୩୪ଲକ୍ଷ ଟନକୁ ଟପିଯାଇଛି ।
ତେବେ ଜାତୀୟ ସାଂଖିକ କାର୍ଯ୍ୟାଳୟ (ଏନ୍ଏସଓ) ର ସୂଚନା ଅନୁଯାୟୀ ୨୦୨୦-୧୧ ବର୍ଷରେ ରାଜ୍ୟରେ ୯.୧୮ଲକ୍ଷ କ୍ଷୁଦ୍ର ଚାଷୀ ଥିବାବେଳେ ୨୦୧୫-୧୬ ବେଳକୁ ସେମାନଙ୍କ ସଂଖ୍ୟା ୮.୮୭ ଲକ୍ଷରୁ ସାମାନ୍ୟ ଅଧିକ ରହିଥିଲା । ତେବେ ଏହି ସମୟରେ ସେମି ମଧ୍ୟମ, ମଧ୍ୟମ ଓ ବଡ ଚାଷୀଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଥିବାବେଳେ ନାମମାତ୍ର ଚାଷୀଙ୍କ ସଂଖ୍ୟାରେ ପାଖାପାଖି ୩ଲକ୍ଷ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ନାମମାତ୍ର ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ରାଜ୍ୟରେ ମୋଟ୍ଚାଷୀଙ୍କ ସଂଖ୍ୟାରେ ପ୍ରାୟ ୨ଲକ୍ଷ ଯୋଗ ହୋଇଥିଲା ।
ସେହିଭଳି ୭୦ତମ ପରିକ୍ରମା ରିପୋର୍ଟ ଅନୁଯାୟୀ ୨୦୧୨-୧୩ରେ ରାଜ୍ୟରେ କୃଷକଙ୍କ ମାସିକ ଆୟ ୪୯୭୬ ଟଙ୍କା ଥିବାବେଳେ ୨୦୧୭-୧୮ବର୍ଷରେ ତାହା ୫୧୧୨ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି ସମୟ ମଧ୍ୟରେ ଚାଷୀମାନଙ୍କର ବାର୍ଷିକ ଆୟ ପରିମାଣ ୫୯,୭୧୨ ଟଙ୍କାରୁ ୬୧,୩୪୪ ଟଙ୍କାକୁ ବୃଦ୍ଧି ପାଇଥିଲା । (ତଥ୍ୟ)