ଭୁବନେଶ୍ୱର : ଉନ୍ନତମାନର ଧାନ ବିହନ ଉତ୍ପାଦନ କରି ରାଜ୍ୟ ବିହନ ନିଗମକୁ ବିକ୍ରି କରିଥିବା ଚାଷୀମାନେ ଏବେ ଚିନ୍ତାରେ । ଗୋଟିଏ ପଟେ ନିଗମ କର୍ତ୍ତୃପକ୍ଷ ବିହନ ବାବଦ ପ୍ରାପ୍ୟ ଦେଉନଥିବାବେଳେ ଅନ୍ୟ ପଟେ ବ୍ୟାଙ୍କ ଅଧିକାରୀ ଋଣ ଆଦାୟପାଇଁ ସେମାନଙ୍କ ଘରେ ପହଞ୍ଚିଲେଣି । ଏଭଳି ସ୍ଥିତିରେ ବିହନ ଚାଷ ଛାଡିବାପାଇଁ ଅନେକ ଚାଷୀ ମନସ୍ଥିର କରୁଥିବା ସୂଚନା ଦେଲେଣି ।
ବିହନ ଚାଷୀମାନଙ୍କର ଏଭଳି ଦୁର୍ଦ୍ଦଶା ରାଜ୍ୟର କୌଣସି ଉପାନ୍ତ ଜିଲ୍ଲାରେ ନୁହେଁ, ଖୋଦ ରାଜଧାନୀ ଆଖପାଖରେ ହେଉଛି । ପୁରୀ ଜିଲ୍ଲାରେ ବିହନ ଚାଷ କରିଥିବା ଚାଷୀମାନେ ନିଗମକୁ ଧାନ ଦେବାର ଚାରିମାସ ପୂରିବାକୁ ଯାଉଥିଲେ ବି ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି । ଫଳରେ ସେମାନେ ଋଣ କରିଥିବା ବ୍ୟାଙ୍କ୍ ଏବେ ଚାଷୀଙ୍କ ଦୁଆରେ ପହଞ୍ଚିଥିବାବେଳେ ଚାଷୀମାନେ ଏବେ ଚାଷବାସ ଛାଡି ବାରମ୍ବାର ନିଗମ ଦପ୍ତରକୁ ଦଉଡୁଛନ୍ତି ।
ଉଲ୍ଲେଖନୀୟ ରାଜ୍ୟ ସରକାର ଚାଷୀମାନଙ୍କୁ ଯେଉଁ ଉନ୍ନତମାନର ବିହନ ଯୋଗାଣ କରିଥାନ୍ତି ତାହାକୁ ରାଜ୍ୟର ପ୍ରାୟ ୫ହଜାର ବିହନ ଚାଷୀ ଉତ୍ପାଦନ କରି ଯୋଗାଇଥାନ୍ତି । ବିହନ ଚାଷୀମାନେ ସରକାରଙ୍କ ଠାରୁ ପିଣ୍ଡ ବିହନ ନେଇ ସେଥିରୁ ପ୍ରମାଣିକୃତ ବିହନ ଉତ୍ପାଦନ କରିଥାନ୍ତି । ଏହି ବିହନ ଉତ୍ପାଦନ ପରେ ତାହାକୁ ସେମାନେ ବିହନ ନିଗମକୁ ଯୋଗାଇଥାନ୍ତି । ନିଗମ କର୍ତ୍ତୃପକ୍ଷ ଏହି ବିହନକୁ ପରୀକ୍ଷା ନିରୀକ୍ଷା କରିବା ସହିତ ପ୍ରକ୍ରିୟାକରଣ ପରେ ତାହାକୁ ଚାଷୀମାନଙ୍କୁ ଯୋଗାଇଥାନ୍ତି । ତେବେ ବିହନ ବାବଦ ଅର୍ଥ ବିହନଚାଷୀଙ୍କୁ ଅତି ବେଶିରେ ମାସକ ମଧ୍ୟରେ ମିଳିଯିବା କଥା ।
ହେଲେ ସରକାରଙ୍କ ବିହନ ବିକ୍ରି କରିବାର ଚାରିମାସ ପରେ ବି ଏବେ ଚାଷୀମାନେ ପ୍ରାପ୍ୟ ନପାଇବାରୁ ଚିନ୍ତାରେ ପଡିଛନ୍ତି । କାରଣ ବିହନ ଚାଷ ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଥିବାରୁ ଅଧିକାଂଶ ବିହନଚାଷୀ ବ୍ୟାଙ୍କ୍ରୁ ଋଣ ଆଣିଛନ୍ତି । ନିଗମରୁ ଅର୍ଥ ମିଳୁନଥିବାରୁ ସେମାନେ ବ୍ୟାଙ୍କ୍ ଋଣ ସୁଝିପାରୁନାହାନ୍ତି । ଫଳରେ ଅନେକ ଚାଷୀଙ୍କୁ ଆଉ ରବି ଫସଲ ପାଇଁ ଋଣ ମିଳିପାରୁ ନାହିଁ ।
ସରକାରୀକଳର ଏଭଳି ବ୍ୟବସ୍ଥା ଦେଖି ପୁରୀ ଜିଲ୍ଲାର ଅନେକ ବିହନ ଚାଷୀ ଆଗାମୀ ଦିନରେ ଆଉ ବିହନଚାଷ ନକରିବାକୁ ସ୍ଥିର କଲେଣି । ଆଉ କିଛି ବିହନଚାଷୀ ପରସ୍ଥିତିକୁ ଦେଖି ବେପାରୀଙ୍କ ହାତରେ ବିହନ ଟେକି ଦେଇଛନ୍ତି । ଏଭଳି ସ୍ଥିତି ଲାଗି ରହିଲେ ରାଜ୍ୟର ଚାଷୀମାନେ ଉନ୍ନତମାନର ବିହନ ପାଇବେ ନାହିଁ । ଏଥିଯୋଗୁଁ ରାଜ୍ୟରେ ଧାନ ଉତ୍ପାଦନ ହ୍ରାସ ପାଇବା ସହିତ ଭବିଷ୍ୟତରେ ଧାନ ବିହନପାଇଁ ଓଡିଶା ପୂର୍ବଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବ । ତେଣୁ ବିହନ ବାବଦ ପ୍ରାପ୍ୟ ତୁରନ୍ତ ପ୍ରଦାନ ପାଇଁ ଚାଷୀମାନେ ମତ ଦେଇଛନ୍ତି । (ତଥ୍ୟ)