ଭୁବନେଶ୍ୱର : କୃଷି କ୍ଷେତ୍ରରେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର ଅତ୍ୟନ୍ତ ନଗଣ୍ୟ । ଚାଷବାସ ପାଇଁ ଶସ୍ତାରେ ବିଦ୍ୟୁତ୍ ଯୋଗାଣଶ ହେଉଥିଲେ ମଧ୍ୟ କୃଷି କ୍ଷେତ୍ରରେ ତାହା ଆଖିଦୃଶିଆ ବ୍ୟବହାର ହୋଇପାରୁ ନାହିଁ ।
୨୦୨୨-୨୩ ବର୍ଷରେ ରାଜ୍ୟରେ ୩୧ ହଜାର ନିୟୁତ ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାର ହୋଇଥିବାବେଳେ ଏଥିରେ କୃଷିର ଭାଗ ଥିଲା ୭୨୩ ନିୟୁତ ୟୁନିଟ୍ । ଏହି ବର୍ଷ କୃଷି କ୍ଷେତ୍ରରେ ବିଦ୍ୟୁତ୍ ବିତରଣ କମ୍ପାନୀମାନେ ମାତ୍ର ୧୧୬ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆଦାୟ କରିଥିଲେ ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ବିଦ୍ୟୁତ୍ ପାଇଁ ୟୁନିଟ୍ ପିଛା ୧.୫୦ ଟଙ୍କା ୧.୪୦ ଟଙ୍କା ଆଦାୟ କରୁଛନ୍ତି । ଏହା ରିହାତି ଦରରେ ଯୋଗାଇ ଦିଆଯାଉଛି । ଏଲ୍ ଉପଭୋକ୍ତାଙ୍କ ଠାରୁ ୧.୫୦ ଦରରେ ଶୁଳ୍କ ଆଦାୟ ହେଉଥିବାବେଳେ ଏଚଟି ଉପଭୋକ୍ତାଙ୍କ ଠାରୁ ୧.୪୦ ଦରରେ ଆଦାୟ କରାଯାଉଛି । ତେବେ ରାଜ୍ୟ ସରକାର କୃଷି କ୍ଷେତ୍ରକୁ ମାଗଣାରେ ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନଥିବା ସ୍ପଷ୍ଟ କରିଛନ୍ତି ।
ତେବେ ଓଡିଶାରେ କୃଷି କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର କମ୍ ରହିବାର ଅନ୍ୟତମ କାରଣ ଭିତ୍ତିଭୂମିର ଅଭାବ ସାଙ୍ଗକୁ ଆଧୁନିକ କୃଷିର ଅଭାବ ବୋଲି ଚାଷୀମାନେ ମତ ଦେଉଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରମୁଖ ଚାଷ ଧାନ ହୋଇଥିବାବେଳେ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ତାହା ଚାଷ କରାଯାଉଛି । ଅନ୍ୟାନ୍ୟ ଚାଷ ବି ପାଣିପାଗକୁ ଦୃଷ୍ଟିରେ ରଖି କରାଯାଉଛି । ତେଣୁ ଚାଷକ୍ଷେତ୍ରରେ ଜଳ ସେଚନ ପାଇଁ ମୁଖ୍ୟତଃ ବିଦ୍ୟୁତ୍ ଉପରେ ସେତେଟା ନିର୍ଭରଶୀଳତା ରହୁନାହିଁ ।
ତେବେ ଯେଉଁଠାରେ ବିଦ୍ୟୁତ୍ ଆବଶ୍ୟକ ସେଠାରେ ଭିତ୍ତିଭୂମି ନଥିବାରୁ ଚାଷୀମାନେ ସେଥିପ୍ରତି ଆଗ୍ରହୀ ହେଉ ନାହାନ୍ତି । ନିଜ ହାତରୁ ଖର୍ଚ୍ଚ କରି ବିଲ ପର୍ଯ୍ୟନ୍ତ ବିଦ୍ୟୁତ୍ ନେବା ଓ ତାହାକୁ ଜଗିବା ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନଥିବାରୁ ଚାଷକାର୍ଯ୍ୟରେ ବିଜୁଳିର ବ୍ୟବହାର ହ୍ରାସ ପାଇବାରେ ଲାଗିଛି ।
ତେବେ ବର୍ତ୍ତମାନ କୃଷି କ୍ଷେତରେ ଜଳସେଚନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଷୀମାନେ ଅଣପାରମ୍ପରିକ ଶକ୍ତି ବିଶେଷକରି ସୌରଶକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି । କେନ୍ଦ୍ର ସରକାର ଏଥିପାଇଁ କୁସୁମ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ସୌରଶକ୍ତି ଜରିଆରେ ପାଣିପମ୍ପ ଚଳାଇ ଚାଷଜମିକୁ ଜଳସେଚିତ କରାଯାଇ ପାରୁଛି । ରାଜ୍ୟ ସରକାର ମଧ୍ୟ ଓରେଡା ମାଧ୍ୟମରେ ଜଳସେଚନ ସହିତ ଅନ୍ୟାନ୍ୟ କୃଷି କାର୍ଯ୍ୟପାଇଁ ଅକ୍ଷୟଶକ୍ତିର ବିନିଯୋଗ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ତେବେ ରାଜ୍ୟରେ ଧାନ ଭଳି ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ହେଉଥିବାରୁ ଚାଷବାସ ପାଇଁ ଅନ୍ୟ କୃଷିପଧାନ ରାଜ୍ୟ ଭଳି ଓଡିଶାରେ ସେତେ ପରିମାଣରେ ବିଦ୍ୟୁତ ଶକ୍ତିର ଉପଯୋଗ ହୋଇପାରୁନଥିବା ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)