Home News in Odia ଚାର୍ଜସିଟ୍‍ ପାଇଁ ପୁଲିସ୍‍ ବାବୁଙ୍କ ମୁଣ୍ଡବିନ୍ଧା

ଚାର୍ଜସିଟ୍‍ ପାଇଁ ପୁଲିସ୍‍ ବାବୁଙ୍କ ମୁଣ୍ଡବିନ୍ଧା

ଭୁବନେଶ୍ୱର : ଠିକଣା ସମୟରେ ଚାର୍ଜସିଟ୍‍ ଦାଖଲ କରିନପାରି ଖଣ୍ଡଗିରି ଥାନାର ଜଣେ ଏସ୍‍ଆଇ ନିଲମ୍ବିତ ହେବାପରେ ଏବେ କମିଶନରେଟ ପୁଲିସ୍‍ର ଖାକିବାବୁମାନଙ୍କ ମୁଣ୍ଡରେ ଚଡକ ପଡିଛି । ଅଧିକାଂଶ ସମୟ ଆନ୍ଦୋଳନ, ଧର୍ମଘଟ, ବିକ୍ଷୋଭ ନିୟନ୍ତ୍ରଣ ସହିତ ଭିଭିଆଇପିଙ୍କୁ ସୁରକ୍ଷା ଯୋଗାଉଥିବା ପୁଲିସ୍‍ କେତେବେଳେ ଚାର୍ଜସିଟ୍‍ ଲେଖିବେ ସେହି ଚିନ୍ତାରେ ପଡିଛନ୍ତି ।

କମିଶନରେଟ ପୁଲିସ୍‍ର ବିଭିନ୍ନ ଥାନା ଅଞ୍ଚଳରେ ଏବେ ରାଜନୈତିକ ଦଳର ଘେରାଉ, ବିକ୍ଷୋଭ ଆଦି ଅନୁଷ୍ଠିତ ହେଉଛି । କଂଗ୍ରେସ ଓ ବିଜେଡି ଦଳ ଅତ୍ୟନ୍ତ ସକ୍ରିୟ ହୋଇ ବିଭିନ୍ନ ପ୍ରସଙ୍ଗରେ ଘେରାଉ କାର୍ଯକ୍ରମ କରୁଛନ୍ତି । ଏଥିଯୋଗୁଁ ପୁଲିସ୍‍ମାନଙ୍କୁ ଆଉ ଫୁରସତ୍‍ ନାହିଁ । ରାତି ପାହିଲେ ଥାନା କର୍ମଚାରୀମାନେ ଏହି କାମରେ ଲାଗି ଯାଉଛନ୍ତି । ଘେରାଉ ଡାକରା ଦିଆଯାଉଥିବା ରାସ୍ତାକୁ ସିଲ୍‍ କରିବା, ଗାଡିମୋଟର ଅଟକାଇବା, ଆଗୁଆ ଗିରଫଦାରୀ କରିବା ଆଦିରେ ସେମାନଙ୍କର ଅଧିକାଂଶ ସମୟ ଯାଉଛି ।

ଏହାବାଦ୍‍ ମୁଖ୍ୟମନ୍ତ୍ରୀ, ଦୁଇଜଣ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତିଙ୍କ ସମେତ ମନ୍ତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ସେମାନଙ୍କ ସୁରକ୍ଷାରେ ବି ଥାନା ବାବୁମାନଙ୍କର ସମୟ ବିତୁଛି । ଏମାନଙ୍କୁ ପାଇଲଟିଂ କରି ନେବା ସହିତ ରାସ୍ତାରୁ ଭିଡ ହଟାଇବା କାର୍ଯ୍ୟରେ ବି ଲାଗୁଛନ୍ତି । ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଥାନାର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଉଛି ।

ଏଥି ସହିତ ରାଜଧାନୀକୁ କେନ୍ଦ୍ରୀୟ ମନ୍ତ୍ରୀ, ନେତା, ବଡ ବଡ ସରକାରୀ ଅଧିକାରୀମାନଙ୍କର ନିୟମିତ ଯା’ଆସ ଲାଗି ରହିଛନ୍ତି । ଏମାନଙ୍କ ପାଇଁ ବି ସୁରକ୍ଷା ବ୍ୟବସ୍ଥା କରିବାକୁ ପଡୁଛି । ନିଜ ନିଜ ଥାନା ଅଞ୍ଚଳରେ ଅବସ୍ଥାନ କରୁଥିବା ଏହି ଭିଭିଆଇପିମାନଙ୍କ ସୁରକ୍ଷାରେ ବହୁ ସମୟ ଦେବାକୁ ପଡୁଛି । ଫଳରେ ବିଭିନ୍ନ ମାମଲାର ତଦନ୍ତ କରିବା ଓ ଠିକଣା ସମୟରେ ଚାର୍ଜସିଟ୍‍ ଲେଖି ଦାଖଲ କରିବା ଏବେ ପୁଲିସ୍‍ ବାବୁମାନଙ୍କ ପାଇଁ କାଠିକର ପାଠ ହୋଇଛି ।

ଠିକଣା ସମୟରେ ଚାର୍ଜସିଟ୍‍ ଦାଖଲ ହୋଇପାରୁନଥିବାରୁ ବିଭିନ୍ନ ମାମଲାରେ ଅଭିଯୁକ୍ତମାନେ ଅଦାଲତରୁ ସହଜରେ ଜାମିନ ପାଇଯାଉଛନ୍ତି । ଖଣ୍ଡଗିରି ଥାନାରେ ଘଟିଥିବା ନିଶା କାରବାର ଓ ଏନକାଉଣ୍ଟରମାମଲା ଏହାର ଏକ ଉଦାହରଣ ।

ତେବେ ଅଦାଲତି ଛାଟ ଓ ନିଜ ଚାକିରିର ସୁରକ୍ଷା ପାଇଁ ଅଧିକାଂଶ ଥାନାରେ ଏବେ ବିଭିନ୍ନ ମାମଲାର ଚାର୍ଜସିଟ୍‍ ଲେଖିବାପାଇଁ ଅବସରପ୍ରାପ୍ତ ଅଭିଜ୍ଞ ପୁଲିସ୍‍ କର୍ମଚାରୀଙ୍କୁ ମୁତୟନ କରାଯାଉଛି । ସେମାନେ ଦିନ ରାତି ବସି ଚାର୍ଜସିଟ୍‍ ଲେଖୁଛନ୍ତି । ମାମଲା ପିଛା ନଚେତ୍‍ ମାସିକିଆ ପାଉଣା ନେଉଛନ୍ତି । ତେବେ ଏହି ପାଉଣା କିଏ କେଉଁଠୁ ଆଣି କିଭଳି ଦେଉଛି ତାହା ବଡ ପ୍ରଶ୍ନବାଚୀ ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଅବସରପ୍ରାପ୍ତ ପୁଲିସ୍‍ କର୍ମଚାରୀମାନେ ଯେଉଁ ଚାର୍ଜସିଟ୍‍ ଲେଖୁଛନ୍ତି ସେହି ମାମଲାର ତଦନ୍ତ ସେମାନେ କରିନାହାନ୍ତି କିମ୍ବା ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ସେମାନେ ପାଇନଥାନ୍ତି । ତଦନ୍ତକାରୀ ଅଫିସରଙ୍କ ଠାରୁ ଯାହା ଶୁଣନ୍ତି ସେହି ଆଧାରରେ ନିଜର ପୂର୍ବ ଅଭିଜ୍ଞତାକୁ ଆଧାର କରି ଚାର୍ଜସିଟ୍‍ ଲେଖି ଦିଅନ୍ତି । ଏଭଳି ଚାର୍ଜସିଟ୍‍ ବି ଅପାରାଧିଙ୍କୁ ଜାମିନ ମିଳିବାରେ ବେଶ୍‍ ସହାୟକ ହୋଇଛି ।

ଗୋଟିଏ ପଟେ କମିଶନରେଟ ପୁଲିସ୍‍ର ଅଧିକାଂଶ ଥାନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ଏବଂ ପ୍ରାୟ ସବୁ ଥାନାର କର୍ମଚାରୀମାନେ ଭିଭିଆଇପି ସୁରକ୍ଷାରେ ବ୍ୟସ୍ତ ରହୁଥିବାରୁ ତଦନ୍ତ ମାମଲାର ଚାର୍ଜସିଟ୍‍ ଲେଖିବା ଏବେ ସେମାନଙ୍କ ପାଇଁ ଆହ୍ୱାନ ପାଲଟିଛି । (ତଥ୍ୟ)