Home Forest ଚାରି ଶାବକ ଜନ୍ମ ଦେଲା ବାଘୁଣୀ ଜିନ୍ନତ

ଚାରି ଶାବକ ଜନ୍ମ ଦେଲା ବାଘୁଣୀ ଜିନ୍ନତ

ଭୁବନେଶ୍ୱର : ଶିମିଳିପାଳ ଅଭୟାରଣ୍ୟରେ ପୁଣି ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ବାଘୁଣୀ ଜିନ୍ନତ ମା ହୋଇଛି । ଗତ ୨୮ ତାରିଖରେ ସେ ୪ଟି ଛୁଆକୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି। ସୂଚନା ଅନୁସାରେ, ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା।

ସେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା। ଏବେ ସେ ସଫଳତାର ସହିତ ମା ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି। ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି। ଜିନ୍ନତ ଏବଂ ତାଙ୍କ ୪ ଛୁଆଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି।

ସେପଟେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ଖୁସି ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଆଜି ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ମହାରାଷ୍ଟ୍ରର ତଡବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସ୍ଥାନାନ୍ତରିତ ହୋଇଥିବା ବାଘୁଣୀ ‘ଜିନତ’ ଶିମିଳିପାଳର ଅନୁକୂଳ ପରିବେଶରେ ଚାରୋଟି ଶାବକଙ୍କୁ ଜନ୍ମ ଦେବା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ନୁହେଁ, ବରଂ ଜୈବ ବିବିଧତାର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ଓ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ଆମ ପ୍ରଶାସନିକ ଦୂରଦୃଷ୍ଟିର ପ୍ରକୃଷ୍ଟ ନିଦର୍ଶନ। ମା’ ଓ ଶାବକମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସେମାନଙ୍କ ଗତିବିଧି ଉପରେ କ୍ରମାଗତ ନଜର ରଖାଯାଇଛି।

ଆମ ବନ କର୍ମଚାରୀଙ୍କ ନିଷ୍ଠାପର ତଦାରଖ ଓ କାର୍ଯ୍ୟକ୍ଷମ ସଂରକ୍ଷଣ ନୀତି ଯୋଗୁଁ ଆଜି ଓଡ଼ିଶା ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଶିମିଳିପାଳର ଏହି ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ନେଇ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।