Home News in Odia ଚାରି ମାସରେ ୩୭ ଦୁର୍ଘଟଣା

ଚାରି ମାସରେ ୩୭ ଦୁର୍ଘଟଣା

ଭୁବନେଶ୍ୱର : ଆମ ବସ୍‍ ଦୁର୍ଘଟଣାକୁ ରୋକିବାପାଇଁ କ୍ରୁଟ୍‍ କର୍ତ୍ତୃପକ୍ଷ ଯେତେ ପ୍ରକାର ଉଦ୍ୟମ କଲେ ବି ଦୁର୍ଘଟଣାରେ ବ୍ରେକ୍‍ ଲାଗିପାରୁ ନାହିଁ । ଗତବର୍ଷର ଶେଷ ତିନିମାସରେ ଏହି ବସ୍‍ ୨୫ଟି ଦୁର୍ଘଟଣା ଘଟାଇଥିବାବେଳେ ଚଳିତ ବର୍ଷର ପ୍ରଥମ ଚାରିମାସରେ ଦୁର୍ଘଟଣା ସଂଖ୍ୟା ୩୭ରେ ପହଞ୍ଚିଛି ।

ଭୁବନେଶ୍ୱର ଓ କଟକରେ ଚଳାଚଳ କରୁଥିବା ଆମ ବସ୍‍ ସର୍ବାଧିକ ଦୁର୍ଘଟଣା ଘଟାଉଛି । ତେବେ ଏହି ବସ୍‍ ୨୦୨୪ ଅକ୍ଟୋବରରେ ମାତ୍ର ୨ଟି ଦୁର୍ଘଟଣା ଘଟାଇଥିବାବେଳେ ନଭେମ୍ବର ମାସରେ ୧୨ଟି ଓ ଡିସେମ୍ବର ମାସରେ ୧୧ଟି ଦୁର୍ଘଟଣା ଘଟାଇଥିଲା ।

ଚଳିତବର୍ଷ ଜାନୁଆରୀ ମାସରେ ବସ୍‍ ଦୁର୍ଘଟଣା ସଂଖ୍ୟା ୧୮ରେ ପହଞ୍ଚିଥିବାବେଳେ ଫେବୃାରୀ ମାସରେ ୧୧ଟି ଦୁର୍ଘଟଣା ଘଟିଥିଲା । ଅବଶ୍ୟ ଏହାପରେ କ୍ରୁଟ୍‍ କର୍ତ୍ତୃପକ୍ଷ ଦୁର୍ଘଟଣା ରୋକିବାପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ । ବିଶେଷକରି ଆମ ବସ୍‍ ଯେଭଳି ଦ୍ରୁତ ଗତିରେ ନଯାଇ ତାହାର ବେଗ୪୦ କିଲୋମିଟର ଭିତରେ ରହିବ ସେଥିପାଇଁ ବ୍ୟବସ୍ଥା କରିଥିଲେ । ଏଥି ସହିତ ଗାଡିଚାଳକମାନଙ୍କୁ ଯୋଗ ପ୍ରାଣାୟାମ ସହିତ ସ୍ୱତନ୍ତ୍ର ତାଲିମ ବି ଦେଇଥିଲେ ।

ଏହା ସତ୍ୱେ ବି ମାର୍ଚ୍ଚ ମାସରେ ୭ଟି ଦୁର୍ଘଟଣା ଘଟିଥିଲା । କିନ୍ତୁ ଏପ୍ରିଲ୍‍ ମାସରେ ଦୁର୍ଘଟଣା ମାତ୍ର ୧ରେ ସୀମିତ ରହିଛି । କିନ୍ତୁ ଚଳିତ ମାସରେ ଯଦିଓ ଆମ ବସ୍‍ର ଦୁର୍ଘଟଣା ସଂଖ୍ୟା ସରକାରୀ ଭାବେ କୁହାଯାଇନାହିଁ, ହେଲେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ମାନ ଆସିବାରେ ଲାଗିଛି ।

ଆମ ବସ ଚାଳକଙ୍କ ବେପରୁଆ ଚାଳନା ସହିତ ପଥାଚାରୀମାନଙ୍କ ଅସାବଧାନତା ଯୋଗୁଁ କେବଳ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉନାହିଁ, ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ସ୍ଥିତି ମଧ୍ୟ ଉପୁଜୁଛି । ନିକଟରେ ଆମ ବସ୍‍ ରାସ୍ତାରେ ଯିବାବେଳେ ବାଲି ଉଡି ଲୋକଙ୍କ ଉପରେ ପଡିବାରୁ ସ୍ଥାନୀୟ ଯୁବକମାନେ ସଂଘବଦ୍ଧ ହୋଇ ବସ୍‍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ବସ୍‍କର୍ମଚାରୀମାନେ କିଛି ଘଣ୍ଟାପାଇଁ ରାଜଧାନୀରେ ଆମ ବସ୍‍ ଚଳାଚଳକୁ ଠପ୍‍ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ତେବେ କ୍ରୁଟ୍‍ ପକ୍ଷରୁ ୭୦ଟି ମାର୍ଗରେ ୩୭୧ଟି ଆମ ବସ୍‍ ଚଳାଚଳ କରୁଥିବାବେଳେ ଏଥିରୁ ସର୍ବାଧିକ ବସ୍‍ ରାଜଧାନୀରେ ଚଳାଚଳ କରୁଛି । ରାଜଧାନୀରେ ମାଳ ମାଳ ଅଟୋ ଆମ ବସ୍‍ ସହିତ ଏକ ପ୍ରକାର ପ୍ରତିଦ୍ୱନ୍ଦିତା କରୁଥିବାବେଳେ ସାଧାରଣ ଯାନ ସଂଖ୍ୟା ବି ଅଧିକ ରହୁଛି । ଫଳରେ ଦୁର୍ଘଟଣା ଘଟୁଥିବା କୁହାଯାଉଛି ।

ଇତି ମଧ୍ୟରେ କ୍ରୁଟ୍‍ କର୍ତ୍ତୃପକ୍ଷ ଆମ ବସ୍‍ ସଂଖ୍ୟା ବଢାଇବାରେ ଲାଗିଛନ୍ତି । ପୂର୍ବରୁ ଚାଲୁଥିବା ଡିଜେଲ୍‍ ବସ୍‍ ସହିତ ପରିବେଶ ଅନୁକୂଳ ବୈଦ୍ୟୁତିକ ବସ୍‍ ବି ଚଳାଚଳ କରୁଛି । ସହରବାସୀ ମଧ୍ୟ ଶସ୍ତା ଓ ସୁବିଧାରେ ଯାତାୟତ ପାଇଁ ଆମ ବସ୍‍କୁ ପସନ୍ଦ କରୁଛନ୍ତି । ତେବେ ବସ୍‍ ଘଟାଉଥିବା ଦୁର୍ଘଟଣା ଏବେ ସହରବାସୀଙ୍କ ଠାରୁ ଆରମ୍ଭକରି ସରକାରୀକଳକୁ ଚିନ୍ତାରେ ପକାଇବାରେ ଲାଗିଛି । (ତଥ୍ୟ)