Home News in Odia ଚାରି ପୂର୍ବତନ ଆଇଏଏସ୍‍ ଭରସା

ଚାରି ପୂର୍ବତନ ଆଇଏଏସ୍‍ ଭରସା

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ତିନି ପ୍ରମୁଖ ଦଳର ଭରସା ଏବେ ଚାରି ଜଣ ଅବସରପ୍ରାପ୍ତ ଆଇଏଏସ୍‍ ଅଫିସରଙ୍କ ଉପରେ । ବିଜେପି ଓ କଂଗ୍ରେସ ଭଳି ଜାତୀୟ ରାଜନୈତିକ ଦଳ ସମେତ ଆଞ୍ଚଳିକ ଦଳ ବିଜେଡି ପାଇଁ ରାଜ୍ୟର ପ୍ରମୁଖ ଚେହେରା ସାଜିଛନ୍ତି ଏହି ପୂର୍ବତଦ ଆଇଏଏସ୍‍ ଅଧିକାରୀମାନେ । ଏମାନଙ୍କ ଭିତରୁ ଜଣେ ଚାକିରିରୁ ଅବସରଗ୍ରହଣ କରିଥିବାବେଳେ ଅନ୍ୟ ତିନି ଜଣ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ରାଜନୀତିରେ ସକ୍ରିୟ ଅଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଓ ପରବର୍ତ୍ତୀ ସମୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଥିବା ପୂର୍ବତନ ଆଇଏଏସ୍‍ ଅଫିସର ବିଜୟ ପଟ୍ଟନାୟକଙ୍କ ଉପରେ କଂଗ୍ରେସର କେନ୍ଦ୍ର ନେତୃତ୍ୱ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି । କଂଗ୍ରେସରେ ମିଶିବା ପରଠାରୁ ବିଜୟ ପଟ୍ଟନାୟକ ଦଳର ପ୍ରାୟ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଦେଖା ଯାଉଛନ୍ତି ଏବଂ ବିଭିନ୍ନ ଜିଲ୍ଲାରେ ଦଳୀୟ କର୍ମୀମାନେ ଆୟୋଜନ କରୁଥିବା ସଭା ସମିତିରେ ତାଙ୍କର ଚାହିଦା ବି ଢେର ଅଧିକ ପରିଲକ୍ଷିତ ହେଉଛି । ଚଳିତ ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ସହ ଲୋକସଭା ନିର୍ବାଚନ ଲାଗି ପ୍ରଦେଶ କଂଗ୍ରେସ ପକ୍ଷରୁ ଯେଉଁସବୁ ରଣକୌଶଳ ପ୍ରସ୍ତୁତ କରାଯାଉଛି ସେଥିରେ ଶ୍ରୀ ପଟ୍ଟନାୟକଙ୍କର ବିଶେଷ ଭୂମିକା ରହିବ ବୋଳି ଦଳୀୟ ନେତାମାନେ ସ୍ୱୀକାର କରୁଛନ୍ତି । ସେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଓ ସଭା ସମିତି ଆଦିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଜେପି ଓ ବିଜେଡିକୁ କଟୁ ସମାଲୋଚନା କରୁଛନ୍ତି ।

ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ସମର୍ଥନରେ ଜିଣିଥିବା ରାଜ୍ୟସଭା ସାଂସଦ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ଆଇଏଏସ୍‍ ଚାକିରିରେ ଥିବାବେଳେ ରାଜ୍ୟର ବିଭିନ୍ନ ପଦ ପଦବୀରେ ଦାୟିତ୍ୱ ନିର୍ବାହ କରିଛନ୍ତି । ଏମାନେ ଆଇଏଏସ୍‍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିକୁ ଆସିଛନ୍ତି । ଅପରାଜିତା ବିଜେଡି ଓ କଂଗ୍ରେସ ଉପରେ ବାରମ୍ବାର ବର୍ଷିବା ସହିତ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଛନ୍ତି । ତେବେ ଅଶ୍ୱିନୀ ଅପରାଜିତାଙ୍କ ଭଳି ବିଜେଡି କି କଂଗ୍ରେସ ଉପରେ ଜୋରଦାର ଆକ୍ରମଣ ନକରି ମୋଦି ବ୍ରାଣ୍ଡ୍‍ ବିସ୍ତାରରେ ଲାଗିଛନ୍ତି । ଆଗାମୀ ନିର୍ବାଚନରେ ଏହି ଦୁଇ ପୂର୍ବତନ ଆଇଏଏସ୍‍ ଅଧିକାରୀ ରାଜ୍ୟ ବିଜେପି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । ଅଶ୍ୱିନୀ ରାଜସ୍ଥାନର ମୂଳ ବାସିନ୍ଦା ହୋଇଥିବାବେଳେ ଅପରାଜିତା ହେଉଛନ୍ତି ବିହାରର ଝିଅ ଓ ଓଡିଶାର ବୋହୁ ।

ବିଜୁ ଜନତାଦଳର ସର୍ବୋଚ୍ଚ ନେତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜେଡି ଭିତରେ ଓ ବାହାରେ ସବୁଠାରୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଭି.କେ.ପାଣ୍ଡିଆନ । ସେ ଅଣଓଡିଆ ଆଇଏଏସ୍‍ ଅଫିସର ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ବାର ବର୍ଷରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରିବା ଅବସରରେ ତାଙ୍କ ଉପରେ ୫-ଟି ସଚିବ ଦାୟିତ୍ୱ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସେ ଆଇଏଏସ୍‍ ଚାକିରି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ।

ଏଥର ଉଭୟ ସଂସଦ ଓ ବିଧାନସଭା ନିର୍ବାଚନ ପରିଚାଳନା କ୍ଷେତ୍ରରେ ଏହି ପୂର୍ବତନ ଆଇଏଏସ୍‍ଙ୍କର ପ୍ରମୁଖ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ତଥା ଦଳୀୟ କର୍ମୀମାନଙ୍କ ଆଗ୍ରହ କ୍ରମେ ଶ୍ରୀ ପାଣ୍ଡିଆନ ଏବେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ଗସ୍ତ ଚଳାଇବା ସହ ପ୍ରତିପକ୍ଷ ବିଜେପି ଓ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରୁଛନ୍ତି । ମୋଟାମୋଟି ଭାବେ ଆଗାମୀ ନିର୍ବାଚନରେ ଏହି ତିନି ପ୍ରମୁଖ ରାଜନୈତିକ ଦଳର ଉକ୍ତ ପୂର୍ବତନ ଆଇଏଏସ୍‍ ଅଧିକାରୀମାନଙ୍କ ନିର୍ଦ୍ଧାରିତ ରଣକୌଶଳ ଆଧାରରେ ଲଢେଇ ହେବ ବୋଲି ସାଧାରଣରେ ଜୋରଦାର ଚର୍ଚ୍ଚା ହେଉଛି । (ତଥ୍ୟ)