ଭୁବନେଶ୍ୱର : ହସ୍ତତନ୍ତ ଉତ୍ପାଦନ କ୍ଷେତ୍ରରେ ଓଡିଶା ବୁଣାକାରମାନଙ୍କର ଦେଶ ବିଦେଶରେ ବେଶ୍ ସୁନାମ ଥିବାବେଳେ ଓଡିଶାରୁ ହସ୍ତତନ୍ତ ରପ୍ତାନି କିନ୍ତୁ ବାର୍ଷିକ ୪କୋଟି ଟଙ୍କା ଛୁଇଁପାରୁନାହିଁ । ରପ୍ତାନି ପରିମାଣ ବଢିବା ପରିବର୍ତ୍ତେ କମିବାରେ ଲାଗିଛି ।
ଓଡିଶାରୁ ଉତ୍ପାଦନ ହେଉଥିବା ହସ୍ତତନ୍ତ ସାମଗ୍ରୀର ଚାହିଦା ରାଜ୍ୟ ଭିତରେ, ବାହାରେ ଏପରିକି ବିଦେଶରେ ରହିଛି । ବିଶେଷକରି ପାଟଶାଢୀ, ସମ୍ବଲପୁରୀ କପଡା ଆଦିକୁ ଦେଶ ବାହାରେ ବିଶେଷ ପ୍ରଶଂସା କରାଯାଏ । ହେଲେ ଓଡିଶାରୁ ରପ୍ତାନି ହେଉଥିବା ହସ୍ତତନ୍ତ ସାମଗ୍ରୀ ସେତେଟା ଉତ୍ସାହଜନକ ନୁହେଁ ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ ଓଡିଶାରୁ ୧କୋଟି ୧୫ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ପରବର୍ତ୍ତୀ ଦୁଇଟି ବର୍ଷରେ ଏହାର ପରିମାଣ ବଢିଥିଲା । ୨୦୨୦-୨୧ ବର୍ଷରେ ରପ୍ତାନି ପରିମାଣ ୨ କୋଟି ଟଙ୍କା ପାଖାପାଖି ଥିବାବେଳେ ୨୦୨୧-୨୨ ବର୍ଷରେ ରପ୍ତାନି ପରିମାଣ ୩୮୬ କୋଟି ଟଙ୍କା ଛୁଇଁଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୩୪୫ କୋଟି ଟଙ୍କାକୁ ଖସି ଆସିଥିଲା ଏବଂ ୨୦୨୩-୨୪ ରେ ଏହା ୨୫୦ କୋଟି ଟଙ୍କାକୁ ହ୍ରାସ ପାଇଛି ।
ଓଡିଶାରୁ ହସ୍ତତନ୍ତ ସାମଗ୍ରୀର ଏଭଳି ନୈରାଶ୍ୟଜନକ ରପ୍ତାନି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବୁଣାକାରମାନଙ୍କୁ ସମସ୍ତ ପ୍ରକାର ସହାୟତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇ ଦେଉଥିବାବେଳେ ଉନ୍ନତମାନର ସାମଗ୍ରୀ ବି ଉତ୍ପାଦନ ହେଉଛି । ହେଲେ ବିଶ୍ୱସ୍ତରୀୟ ପ୍ରତିଯୋଗିତରେ ଅନ୍ୟରାଜ୍ୟର ବୁଣାକାରମାନେ ଉନ୍ନତ ପ୍ରଦର୍ଶନ କରୁଥିବାରୁ ଓଡିଶାରେ ପଛରେ ପଡି ଯାଉଥିବା କୁହାଯାଉଛି ।
ତେବେ ରାଜ୍ୟ ଭିତରେ ହସ୍ତତନ୍ତ ସାମଗ୍ରୀର ବିକ୍ରିବଟା କିନ୍ତୁ ବଢିବାରେ ଲାଗିଛି । ୨୦୨୨-୨୩ ବର୍ଷରେ ୧୧ କୋଟି ୪୩ ଲକ୍ଷ ଟଙ୍କାର ସାମଗ୍ରୀ କାରବାର ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୧୨ କୋଟି ଟଙ୍କାକୁ ଅତିକ୍ରମ କରିଥିଲା ।
ବର୍ତ୍ତମାନ ଓଡିଶା ବଜାରରେ ଅନ୍ୟ ରାଜ୍ୟର ହସ୍ତତନ୍ତ ସାମଗ୍ରୀ ପ୍ରବେଶ କରୁଥିବାବେଳେ ଅବିକଳ ହସ୍ତତନ୍ତ ଭଳି ଦିଶୁଥିବା କଳତନ୍ତ ସାମଗ୍ରୀଗୁଡିକ ମଧ୍ୟ ଶସ୍ତା ଦରରେ ମିଳୁଛି । ଏହାର ପ୍ରଭାବ ମଧ୍ୟ ଓଡିଶାର ହସ୍ତତନ୍ତ ସାମଗ୍ରୀର କାରବାର ଉପରେ ପଡୁଥିବା କୁହାଯାଉଛି । ତେବେ ଏକଦା ଓଡିଶା ସରକାର ହସ୍ତତନ୍ତ ସାମଗ୍ରୀର ପ୍ରୋତ୍ସାହନ ପାଇଁ ହସ୍ତତନ୍ତ ଉନ୍ନୟନ ନିଗମ ଗଠନ ସହିତ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଏହାର ବିକ୍ରୟ କେନ୍ଦ୍ର ଖୋଲିଥିବାବେଳେ ଏବେ କିନ୍ତୁ ବୁଣାକାରମାନେ ସେମାନଙ୍କ ନିଜ ଉଦ୍ୟମରେ ଏବଂ କିଛି ବ୍ୟବସାୟୀଙ୍କ ଜରିଆରେ କାରବାର ଚଳାଇଥିବା ଜଣାଯାଇଛି । (ତଥ୍ୟ)