Home Election ଚାରିଟି ପର୍ଯ୍ୟାୟରେ ୬୬.୯୫% ମତଦାନ

ଚାରିଟି ପର୍ଯ୍ୟାୟରେ ୬୬.୯୫% ମତଦାନ

ନୂଆଦିଲ୍ଲୀ : ମତଦାନ ହାର ବଢ଼ାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ଏବଂ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ପାଖାପାଖି ୪୫୧ ନିୟୁତ ଲୋକ ମତଦାନ କରିଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପ୍ରାୟ ୬୬.୯୫% ମତଦାନ ହୋଇଛି। 

ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏହାର ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ବୃଦ୍ଧି କରିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଶ୍ରୀ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ (ଇସି) ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ଆୟୋଗ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଥିବା ରାଜ୍ୟର ସିଇଓମାନଙ୍କୁ ସମସ୍ତ ଭୋଟରଙ୍କୁ ଠିକ୍ ସମୟରେ ଭୋଟର ସୂଚନା ସ୍ଲିପ୍ ବଣ୍ଟନ କରିବା ଏବଂ ପ୍ରଚାର କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଭୋଟର ସଚେତନତା କାର୍ଯ୍ୟକ୍ରମର ଅତ୍ୟାବଶ୍ୟକ ସ୍ତମ୍ଭ ହେଉଛି ସହଭାଗିତା ଓ ସହଯୋଗ ବୋଲି ଆୟୋଗ ଦୃଢ଼ ଭାବରେ ବିଶ୍ୱାସ କରନ୍ତି। ଆୟୋଗଙ୍କ ଅନୁରୋଧ କ୍ରମେ ବିଭିନ୍ନ ଅନୁଷ୍ଠାନ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ସେଲିବ୍ରିଟିମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି। ଏହାବ୍ୟତୀତ ଅଧିକ ମତଦାନ ହାର ରହିବା ଦ୍ୱାରା ଭାରତୀୟ ଭୋଟରଙ୍କ ଠାରୁ ଭାରତୀୟ ଗଣତନ୍ତ୍ରର ଶକ୍ତି ବିଷୟରେ ବିଶ୍ୱକୁ ବାର୍ତ୍ତା ଯିବ ବୋଲି ସେ କହିଛନ୍ତି। ଗଣତନ୍ତ୍ରର ପର୍ବରେ ଅଂଶଗ୍ରହଣ କରି ମତଦାନ ଦିବସକୁ ଛୁଟି ଦିନ ନୁହେଁ ବରଂ ଗର୍ବର ଦିନ ଭାବେ ଗ୍ରହଣ କରିବା ସହିତ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ସିଇସି ସମସ୍ତ ଭୋଟରଙ୍କୁ ଅନୁରୋଧ କରିଛନ୍ତି।