ଭୁବନେଶ୍ୱର : ରାଜ୍ୟକୁ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର କରିବାପାଇଁ ସରକାର ଅଣ୍ଟା ଭିଡିଥିବାବେଳେ ଏଥିପାଇଁ ଆବଶ୍ୟକ ଚାରଣ ଭୂମି କିନ୍ତୁ ଦିନକୁଦିନ ହ୍ରାସ ପାଇବାରେ ଲାଗିଛି । ଗାଁ ଗହଳରେ ଯେଉଁସବୁ ଗୋଚର ଓ ଅନାବାଦି ଜମିରେ ଗାଈଗୋରୁମାନେ ଘାସ ଚରୁଥିଲେ ତାହା ଧିରେ ଧିରେ ଜବରଦଖଲ ହେବାରେ ଲାଗିଛି । ଏଭଳି ଜବରଦଖଲ ଉପରେ ରୋକ୍ ନଲାଗିଲେ ଗାଈ ଗୋରୁଙ୍କ ପାଇଁ ଘାସଟିକେ ମିଳିବ ନାହିଁ ବୋଲି ମତପ୍ରକାଶ ପାଉଛି ।
ଦୁଗ୍ଧ ଉତ୍ପାଦନର ପ୍ରମୁଖ ଉପାଦନ ହେଉଛି ସବୁଜ ଘାସ । ଗାଈ ଗୋରୁଙ୍କୁ ଯେତେ ପ୍ରକାରର କାରଖାନା ପ୍ରସ୍ତୁତ ଦାନା ଦେଲେ ମଧ୍ୟ ସବୁଜ ଘାସ ଦେବାପାଇଁ ପଶୁବିଜ୍ଞାନୀମାନେ ମତ ଦେଉଛନ୍ତି । ତେବେ ଏଥିପାଇଁ ଗାଈ ଗୋରୁଙ୍କ ଲାଗି ଚାରଣଭୂମି ନିହାତି ଆବଶ୍ୟକ ।
ଗାଁ ଗହଳରେ ଥିବା ଅନାବାଦି ଓ ଗୋଚର ଜମିଗୁଡିକ ଗାଈଗୋରୁଙ୍କ ଚାରଣ ଭୂମି ଭାବେ ବ୍ୟବହାର ହେଉଥିବାବେଳେ ଧିରେ ଧିରେ ତାହା ହ୍ରାସ ପାଇପାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ରାଜ୍ୟରେ ୭ଲକ୍ଷ ୮୩ ହଜାରରୁ ଅଧିକ ଗୋଚର ଜମି ଥିବାବେଳେ ଏଥିରୁ ପ୍ରାୟ ୫ହଜାର ଗୋଚର ଜମି ଜବରଦଖଲ ହୋଇଗଲାଣି । ସେହିଭଳି ରାଜ୍ୟରେ ୨୨ଲକ୍ଷ ଏକରରୁ ଅଧିକ ଅନାନାବି ଜମି ଥିବାବେଳେ ଏଥିରୁ ୨୦ହଜାର ଏକରରୁ ଅଧିକ ଜବରଦଖଲରେ ।
ଏହିସବୁ ଜବରଦଖଲ ସରକାରଙ୍କ ନଜରକୁ ଆସିବାପରେ ତାହା ସରକାରୀ ଭାବେ ଦର୍ଶାଯାଉଛି । ଏହାବାଦ୍ ବି ଅନେକ ଗୋଚର ଓ ଅନାବାଦି ଜମିକୁ ସାଧାରଣ ଲୋକେ, ଏପରିକି କିଛି ସଂସ୍ଥା ମଧ୍ୟ ନଜ ଅକ୍ତିଆରକୁ ନେଇଯାଉଛନ୍ତି । ନିଜ ନିଜ ଚାଷଜମି ନିକଟରେ ଥିବା ଅନାବାଦି ଓ ଗୋଚର ଜମିକୁ ଲୋକେ ଜମି ସହିତ ମିଶାଇ ଚାଷ କରୁଛନ୍ତି । ଏଭଳି ବେଆଇନ୍ ଦଖଲ ଉପରେ ସ୍ଥାନୀୟ ପ୍ରଶାସନ ନଜର ଦେଉନଥିବାରୁ ଦିନକୁ ଦିନ ଏହି କିସମର ଜମି ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି ।
ବିଭିନ୍ନ ଜିଲ୍ଲାରେ ଅନାବାଦି ଓ ଗୋଚର ଜମି ଜବରଦଖଲ ତାଲିକାରୁ ଜଣାଯାଇଛି ଯେ ଯାଜପୁର ଜିଲ୍ଲାରେ ସର୍ବାଧିକ ଅନାବାଦି ଜମି ଜବରଦଖଲ ହୋଇଛି । ଏହି ଜିଲ୍ଲାରେ ଥିବା ପାଖପାଖି ୫୦ହଜାର ଏକର ଅନାବାଦି ଜମି ମଧ୍ୟରୁ ୭ହଜାର ଏକରରୁ ଅଧିକ ଜବରଦଖଲ ହୋଇଗଲାଣି । ସେହିଭଳି ଗୋଚର ଜମି ଜବରଦଖଲରେ ବରଗଡ ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାରେ ୭୬୬ ଏକରରରୁ ଅଧିକ ଗୋଚର ଜମିକୁ ଲୋକେ ମାଡିବସିଛନ୍ତି । ଗୋଚର ଜମି ଜବରଦଖଲ ତାଲିକାରେ ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛି ।
ବର୍ତ୍ତମାନ ଗାଁ ଗହଳରେ ଅଧିକରୁ ଅଧିକ ଲୋକେ ସରକାରୀ ପ୍ରୋତ୍ସାହନ ପାଇ ଗୋପାଳନକୁ ରୋଜଗାରର ମାଧ୍ୟମ ଭାବେ ବାଛି ନେବା ଏବଂ ଏମାନେ ବିଭିନ୍ନ ସମିତି ଗଠନ କରୁଥିବାରୁ ଘାସ ଚାଷ ପାଇଁ ସେମାନଙ୍କ ହାତରେ ଏହି ଅନାଦାବି ଓ ଗୋଚର ଜମି ଦେବାକୁ ମତପ୍ରକାଶ ପାଉଛି । ଏହା ଫଳରେ ସେହିସବୁ ଜମିର ସୁରକ୍ଷା ସହିତ ସେଠାରେ ଘାସଚାଷ କରାଯାଇ ପାରିବ । ଘାସ ଚାଷ ଦ୍ୱାରା ପରିବେଶ ସୁରକ୍ଷିତ ସହିତ ଗାଈଗୋରୁଙ୍କ ପାଇଁ ସବୁଜ ଘାସ ମିଳିବ ଏବଂ ଏହା ଫଳରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇପାରିବ । (ତଥ୍ୟ)