ଭୁବନେଶ୍ୱର : ଅବକାରୀ ବିଭାଗରେ କନେଷ୍ଟବଳ ପବବୀରେ ଥାଇ ଗଞ୍ଜେଇ କାରବାରରେ ଧରାପଡିଥିବା କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଆଜି ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ଚାକିରିରୁ ବିଦା କରିଛନ୍ତି । ଅବକାରୀ କମିଶନରଙ୍କର ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ ହୋଇଛି ।
ଅବକାରୀ ବିଭାଗର ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ଅବକାରୀ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଦୀପକ ପାଣିଗ୍ରାହୀ ବେଆଇନ୍ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହେବା ସହିତ ଚଳିତବର୍ଷ ମାର୍ଚ୍ଚ ୧୪ ତାରିଖରେ ରାୟଗଡା ଟାଉନ ଥାନା ପୁଲିସ୍ ଦ୍ୱାରା ସେ ଗିରଫ ହୋଇଥିଲେ ।
ଶ୍ରୀ ପାଣିଗ୍ରାହୀଙ୍କ ଭଡା ଘରୁ ୪୨ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ତାଙ୍କୁ ତୁରନନ୍ତ ଗିରଫ କରାଯିବା ସହିତ ତାଙ୍କ ବିରୁଦ୍ଧରେ ଏନ୍ଡିପିଏସ୍ ଅଧିନିୟମ ୧୯୮୫ ଅନୁଯାୟୀ ମାମଲା ରୁଜୁ ହେବା ସହିତ ସେହିଦିନ କୋର୍ଟ ଚାଲାଣ କରାଯାଇଥିଲା ।
ଚଳିତ ମାସ ୧୮ ତାରିଖରେ ଗିରଫ କନେଷ୍ଟବଳଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ ହୋଇଥିଲା । ଏଥିରେ ଓଡିଶା ସରକାରୀ ସେବା ଆଇନ୍ ୧୯୫୯ର ଉଲ୍ଲଙ୍ଘନ ସହିତ ତାଙ୍କ ବିରୁଦ୍ଧରେ ବେଆଇନ୍ ଗଞ୍ଜେଇ କାରବାର କରୁଥିବା ଦର୍ଶାଯାଇଥିଲା । ଇତି ମଧ୍ୟରେ ରାୟଗଡା ଅବକାରୀ ସୁପରିଟେଣ୍ଡଣ୍ଟ ଦେଇଥିବା ରିପୋର୍ଟରେ ଅବକାରୀ କନେଷ୍ଟବଳ ଦୀପକ ପାଣିଗ୍ରାହୀ ନ୍ୟାୟିକ ହେପାଜତରେ ଥିବା ଏବଂ ତାଙ୍କ ବିରୁଦ୍ଧରେ ରୁଜୁ ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବା ଦର୍ଶାଇଥିଲେ ।
ଅବକାରୀ ପୋଷାକରେ ଥାଇ ଗଞ୍ଜେଇ ଭଳି ବେଆଇନ୍ ନାର୍କୋଟିକ୍ସ କାରବାରରେ ଲିପ୍ତ ରହି ଗିରଫ ହେବାପରେ କନେଷ୍ଟବଳ ଶ୍ରୀ ପାଣିଗ୍ରାହୀ କେବଳ ଅବାକରୀ ବିଭାଗକୁ ଅପମାନିତ କରିନାହାନ୍ତି ସମଗ୍ର ସମାଜ ପାଇଁ ଏକ ଖରାପ ବାର୍ତ୍ତା ଦେଇଛନ୍ତି । ସେହିଭଳି ଚଳିତବର୍ଷ ମାର୍ଚ୍ଚ ୧୪ ତାରିଖରୁ ସେ ନ୍ୟାୟିକ ହେପାଜତରେ ଥିବାରୁ ତାଙ୍କ ବିରୁଦ୍ଧରେ ଆଉ ତଦନ୍ତ କରାଯିବା ଆବଶ୍ୟକ ନାହିଁ ବୋଲି କୁହାଯାଇଥିଲା ।
ରାଜ୍ୟ ଅବକାରୀ କମିଶନରଙ୍କ ନିକଟରେ ଅବକାରୀ କନେଷ୍ଟବଳଙ୍କ ନିଯୁକ୍ତି, ବଦଳି, ପଦୋନ୍ନତି ସହିତ ସମସ୍ତ ପ୍ରକାର କ୍ୟାଡର ପରିଚାଳନା କ୍ଷମତା ରହିବା ସହିତ ୨୦୨୩ ଜୁନ୍ ୮ ତାରିଖରେ ଅବକାରୀ ବିଭାଗର ସଙ୍କଳ୍ପ ଅନୁଯାୟୀ କନେଷ୍ଟବଳମାନଙ୍କୁ ଚାକିରିରୁ ବିଦା କରିବାର କ୍ଷମତା ମଧ୍ୟ ତାଙ୍କ ନିକଟରେ ରହିଛି । ସେହି କ୍ଷମତା ବଳରେ ଅବକାରୀ କମିଶନର ଶ୍ରୀ ଭୋଳ ଆଜି ସମ୍ପୃକ୍ତ ଅବକାରୀ କନେଷ୍ଟବଳ ଶ୍ରୀ ପାଣିଗ୍ରାହୀଙ୍କୁ ଚାକିରିରୁ ବିଦା କରିଛନ୍ତି । ତଦନୁଯାୟୀ କନେଷ୍ଟବଳ ଶ୍ରୀ ପାଣିଗ୍ରାହୀଙ୍କୁ ଅବକାରୀ ଚାକିରିରୁ ତତ୍କାଳ ଭାରମୁକ୍ତ କରାଯାଇଛି ।