Home News in Odia ଚାକିରିକୁ ଚାହିଁଛନ୍ତି ଛଟେଇ ଯୁବକ ଯୁବତୀ

ଚାକିରିକୁ ଚାହିଁଛନ୍ତି ଛଟେଇ ଯୁବକ ଯୁବତୀ

ଭୁବନେଶ୍ୱର : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ୫ଶହରୁ ଅଧିକ ଅସ୍ଥାୟୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିବାବେଳେ ପ୍ରକଳ୍ପ କାର୍ଯ୍ୟ ବି ଅଧାପନ୍ତରିଆ ହୋଇ ରହିଗଲାଣି । ଇତି ମଧ୍ୟରେ ବିଭାଗ ପକ୍ଷରୁ ନୂଆ ଅସ୍ଥାୟୀ ନିଯୁକ୍ତି ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ଅଭିଜ୍ଞ କର୍ମଚାରୀମାନେ ପୁଣିଥରେ ନିଯୁକ୍ତି ପାଇବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦରେ ଅଛନ୍ତି ।

ରାଜ୍ୟ ସରକାରଙ୍କର ବହୁ ପ୍ରଚାରିତ ମୁକ୍ତା ଓ ଜାତୀୟ ସହରାଞ୍ଚଳର ଜୀବିକା ମିଶନ ପ୍ରକଳ୍ପ କାର୍ଯ୍ୟ ଚଳାଇବାପାଇଁ ଆଉଟସୋର୍ସିଂ ଜରିଆରେ କର୍ମଚାରୀ ନିଯୁକ୍ତି ହୋଇଥିଲା । ଏହି ଦୁଇଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଥିବାବେଳେ ରାଜ୍ୟର ସହରାଞ୍ଚଳରେ ମଧ୍ୟ ଏହାର ସୁଫଳ ଦେଖିବାକୁ ମିଳିଥିଲା । ତେବେ ଗତବର୍ଷ ସେପ୍ଟେମ୍ବର ମାସରେ ହଠାତ୍‍ ବିଭାଗ ପକ୍ଷରୁ ୫ଶହରୁ ଅଧିକ ଆଉଟ୍‍ସୋର୍ସିଂ କର୍ମଚାରୀଙ୍କୁ ବିଦା କରି ଦିଆଯାଇଥିଲା । ସେମାନଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ସହ ସରକାର ଆଉ ଚୁକ୍ତିନବୀକରଣ କରିନଥିଲେ ।

ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାବେଳେ କର୍ମଚାରୀ ଛଟେଇ ଯୋଗୁଁ ଶହ ଶହ ଯୁବକ ଯୁବତୀ କର୍ମସଂସ୍ଥାନ ହରାଇଥିଲେ । ତେବେ ସେମାନେ ଆଶା କରିଥିଲେ ଯେ ନୂଆ ସଂସ୍ଥା କାର୍ଯ୍ୟ ହାତକୁ ନେଲେ ସେମାନଙ୍କୁ ଅଭିଜ୍ଞତାକୁ ଆଧାରକରି ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବ । ହେଲେ ଆଠ ମାସ ବିତିବାକୁ ବସିଥିଲେ ମଧ୍ୟ ସେମିତି କିଛି ହେଲାନାହିଁ । ବାରମ୍ବାର ଟେଣ୍ଡର ସତ୍ୱେ ନୂତନ ସଂସ୍ଥାକୁ କର୍ମଚାରୀ ଯୋଗାଣ ପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇପାରୁ ନାହିଁ ।

ଫଳରେ ଗୋଟିଏ ପଟେ ରାଜ୍ୟର ଶତାଧିକ ଉଚ୍ଚଶିକ୍ଷିତ ଯୁବକ ଯୁବତୀ କର୍ମସଂସ୍ଥାନ ହରାଇ ବେକାର ହୋଇଥିବାବେଳେ ଅନ୍ୟପଟେ ଅର୍ଥ ଥାଇ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜ୍ୟର ୧୧୫ଟି ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନା ଏବେ ଅଚଳ ଅବସ୍ଥାରେ ରହିଯାଇଛି । ଏହି ପ୍ରକଳ୍ପ ଅଧିନରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଭାଙ୍ଗିରୁଜି ଗଲାଣି । ଏହାର ରକ୍ଷଣାବେକ୍ଷଣ ହୋଇପାରୁନଥିବାରୁ ଅର୍ଥ ଥିଲେ ମଧ୍ୟ କର୍ତ୍ତୃପକ୍ଷ କର୍ମଚାରୀ ନଥିବାରୁ ନୂଆ ପ୍ରକଳ୍ପ ହାତକୁ ନେଇପାରୁ ନାହାନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସହରାଞ୍ଚଳରେ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ବିଭାଗରେ ଗୋଟିଏ କେନ୍ଦ୍ରୀୟ ପ୍ରକଳ୍ପ ସେଲ୍‍ ବା ସିପିସେଲ୍‍ ଖୋଲାଯାଇଥିଲା । ଜଣେ ଯୁଗ୍ମସଚିବ ପାହ୍ୟାର ଅଧିକାରୀଙ୍କ ଅଧିନରେ ଥିବା ଏହି ସେଲ୍‍ରେ ଅସ୍ଥାୟୀ କର୍ମଚାରୀମାନେ ମୁତୟନ ହୋଇଥିଲେ । ତେବେ ସରକାର ଅସ୍ଥାୟୀ କର୍ମଚାରୀଙ୍କୁ ବିଦା କରିଥିବାବେଳେ ସେଲ୍‍ ମୁଖିଆଙ୍କୁ କିନ୍ତୁ ବସାଇ ରଖିଛନ୍ତି । ସିଏ ଏଠାରେ ବସି ବସି କ’ଣ କରିବେ ତାହା ବି ଜାଣିପାରୁ ନାହାନ୍ତି ।

ତେବେ ଦାନା ପାଣି ହରାଇଥିବା ଶତାଧିକ ଯୁବକ ଯୁବତୀ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହିତ ଏକାଧିକ ବାର ଆଲୋଚନା କରି ପରବର୍ତ୍ତୀ ନିଯୁକ୍ତି ଉପରେ ନଜର ରଖିଥିବାବେଳେ ବିଭାଗ ପକ୍ଷରୁ କିନ୍ତୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଫଳରେ ନଗର ଉନ୍ନୟନ ବିଭାଗର ବିଭିନ୍ନ ନଗର ବିକାଶ ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିବା ସହିତ ବିଭିନ୍ନ ସ୍ଥାନରେ ଗତି ମନ୍ଥର ଓ ଅଧାପନ୍ତରିଆ ହୋଇଗଲାଣି । (ତଥ୍ୟ)