ଭୁବନେଶ୍ୱର : ରାଜ୍ୟରେ ଚାଉଳକୁ ବାଦ୍ ଦେଲେ ଅନ୍ୟ କୌଣସି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆବଶ୍ୟକ ଅନୁଯାୟୀ ଉତ୍ପାଦନ ହେଉନାହିଁ । ଫଳରେ ଓଡ଼ିଶାର ବ୍ୟବସାୟୀମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି ।
ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ବର୍ଷକୁ ୨.୯୫ ଲକ୍ଷ ମେଟ୍ରିକ ଟନ୍ ଡାଲିର ଆବଶ୍ୟକ ଥିବାବେଳେ ଉତ୍ପାଦିତ ହେଉଛି ୧୦.୪୩ ଲକ୍ଷ ଟନ୍ । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଆବଶ୍ୟକତାଠାରୁ ୩ ଗୁଣରୁ ଅଧିକ ଡାଲି ଉତ୍ପାଦନ ହେଉଥିଲେ ମଧ୍ୟ ହରଡ, ମସୁର ଓ ବୁଟ ଭଳି ଡାଲି ପାଇଁ ଓଡ଼ିଶା ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ।
ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ବାର୍ଷିକ ୧୩.୨୫ ଲକ୍ଷ ଟନ୍ ଆଳୁ ଆବଶ୍ୟକ ଥିବାବେଳେ ଉତ୍ପାଦନର ପରିମାଣ ୩ ଲକ୍ଷ ଟନ୍ରୁ କମ୍ ରହିଛି । ପିଆଜ ଚାହିଦା ରାଜ୍ୟରେ ୩.୫୫ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ଉତ୍ପାଦନ ଏହାର ପାଖାପାଖି ଅର୍ଥାତ୍ ୩.୫୦ ଲକ୍ଷ ମେଟ୍ରିକ ଟନ ହେଉଛି । ଆଳୁ ଉତ୍ପାଦନ ଆବଶ୍ୟକତାଠାରୁ ଢ଼େର କମ୍ ରହୁଥିବାରୁ ଓଡ଼ିଶା ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଯଦିଓ ପିଆଜ ଚାହିଦା ଅନୁଯାୟୀ ଫଳୁଛି ତେବେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଏହା ଅମଳ ସମୟରେ ଅନ୍ୟ ରାଜ୍ୟକୁ ଚାଲିଯିବା ସହ ଓଡ଼ିଶା ବର୍ଷସାରା ପିଆଜ ପାଇଁ ନିର୍ଭରଶୀଳ ରହୁଛି ।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ବର୍ଷକୁ ୨.୨୪ ଲକ୍ଷ ମେଟ୍ରିକ ଟନ ଚିନି ଓ ୧.୯୪ ଲକ୍ଷ ମେଟ୍ରିକ ଟନ ଲୁଣ ଆବଶ୍ୟକ ହେଉଛି । ତେବେ ଏହି ଦୁଇ ଅତ୍ୟାବଶ୍ୟକ ସାମଗ୍ରୀ ରାଜ୍ୟରେ କେତେ ପରିମାଣରେ ଉତ୍ପାଦନ ହେଉଛି ତାହାର ପରିମାଣ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇନାହାନ୍ତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ବ୍ୟବସାୟୀମାନେ ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଚାଉଳ ବ୍ୟତୀତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯଥା: ଆଳୁ, ପିଆଜ, ଚିନି, ତେଲ, ଲୁଣ, ଡାଲି ଆଦି ପାଇଁ ବାହାର ରାଜ୍ୟ ଯଥା: ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ ଓ ଗୁଜରାଟ ଆଦି ରାଜ୍ୟରୁ ଆମଦାନି କରିଥାନ୍ତି । ବିଦେଶରୁ ଆମଦାନୀ ହେଉଥିବା ଖାଦ୍ୟ ସାମଗ୍ରୀର ପରିମାଣ ବିଭାଗ ନିକଟରେ ନାହିଁ ।
ତେବେ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ବର୍ଷକୁ ପ୍ରାୟ ୨.୫୯ ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲ ଆବଶ୍ୟକ ହେଉଛି । କୃଷି ନିର୍ଦ୍ଦେଶାଳୟଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବର୍ଷକୁ ୪.୭୯ ଲକ୍ଷ କ୍ୱିଣ୍ଟାଲ ତୈଳବୀଜ ଉତ୍ପାଦନ ହେଉଛି । ଏହାସତ୍ତ୍ୱେ ବି ସମସ୍ତ ପ୍ରକାର ଖାଇବା ତେଲ ପାଇଁ ଓଡ଼ିଶା ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ଏହି ଉତ୍ତରରୁ ଜଣାପଡିଛି ଯେ ରାଜ୍ୟରେ ୨୦୧୬-୧୭ ମସିହାରେ ୩ ଲକ୍ଷ ମେଟ୍ରିକ ଟନରୁ ଅଧିକ ଆଳୁ ଉତ୍ପାଦନ ହୋଇଥିବା ବେଳେ ୨୦୨୦-୨୧ ବର୍ଷ ବେଳକୁ ଏହା ୩ ଲକ୍ଷ ଟନ୍ ତଳକୁ ଖସି ଆସିଛି । (ତଥ୍ୟ)