ଭୁବନେଶ୍ବର : ଚଳିତ ବର୍ଷ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଏନେଇ ସରକାର ଚିନ୍ତା କରୁଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି, ସରକାର ଚିନ୍ତା କରୁଛନ୍ତି ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ। ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । କଲେଜ ଇଲେକ୍ସନରେ ଯେପରି ପାଠ୍ୟକ୍ରମ ପ୍ରଭାବିତ ହେବ ନାହିଁ, ସେ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଇଁ ଆମର ବି ଆଗ୍ରହ ଅଛି ।
ସୂଚନାଯୋଗ୍ୟ, ୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ନବୀନ ସରକାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି।
ହେଲେ କିଛି ସୁଫଳ ମିଳିନାହିଁ। ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଥିଲା। ଏହିବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଦେବା ପରେ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।