Home Health ଚଳିତବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ପିଜି ନାମଲେଖା

ଚଳିତବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ପିଜି ନାମଲେଖା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଖୋଲିଥିବା ପିଜି ଇନଷ୍ଟିଟ୍ୟୁଟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ । ଜାତୀୟ ମେଡିକାଲ କମିଶନ (ଏନଏମସି) ର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମଏଆରବି) ପକ୍ଷରୁ ଇତି ମଧ୍ୟରେ ଅର୍ଥପେଡିକ, ଜେନେରାଲ ସର୍ଜରୀ ଓ ଜେନେରାଲ ମେଡିସିନ ବିଭାଗରେ ଚଳିତ ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମରେ ନାମ ଲେଖାପାଇଁ ଅନୁମତି ପ୍ରଦାନ କରାଯାଇଛି ।

ଏହି ପିଜି ଶିକ୍ଷାନୁଷ୍ଠାନରେ ଅର୍ଥପେଡିକ ପାଠ୍ୟକ୍ରମରେ ଦୁଇ ଜଣ ଏବଂ ଅନ୍ୟ ଦୁଇ ପାଠ୍ୟକ୍ରମରେ ୫ଜଣ କରି ଡାକ୍ତରୀ ଛାତ୍ରଛାତ୍ରୀ ନାମ ଲେଖାଇବେ । ଚଳିତ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନରେ ନାମଲେଖା ଅନୁମତି ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପିଜି ଇନଷ୍ଟିଟ୍ୟୁଟର ନିର୍ଦ୍ଦେଶକଙ୍କୁ କହିଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଖୋଲିଥିବା ଏହି ପିଜି ଇନଷ୍ଟିଟ୍ୟୁଟ ଓ ଡାକ୍ତରୀ ଶିକ୍ଷା ଗବେଷଣା ଅନୁଷ୍ଠାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାଉନସେଲିଂ ପରିଚାଳନା ପାଇଁ ଏମସିସି ଓ ଡିଜିଏଚ୍‍ଏସ୍‍କୁ ଯଥାକ୍ରମେ ସର୍ବଭାରତୀୟ କୋଟା ଲାଗି ଏମ୍‍ଡି ଏବଂ ଏମଏସ୍‍ରେ ୫୦ ପ୍ରତିଶତ ସ୍ନାକକୋତ୍ତର ବୋର୍ଡ ବିଶେଷଜ୍ଞ ଯୋଗଦାନ କରିବେ । ପିଜି ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲର ୱେବସାଇଟ୍‍ରେ ଶିକ୍ଷାନୁଷ୍ଠାନ, ପାଠ୍ୟକ୍ରମ, ଉପଲବ୍ଧ ଶିକ୍ଷକ ଏବଂ ଓପି ଓ ଆଇପି ଗଣନା ସହିତ ସରକାରୀ ରେକର୍ଡରେ ଥିବା ଜନ୍ମ ମୃତ୍ୟୁର ହିସାବ ମଧ୍ୟ ପ୍ରଦର୍ଶିତ ହେବ ।

ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ଶିକ୍ଷକ ଏବଂ ଅଣଶିକ୍ଷକମାନଙ୍କ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇବେ । ଏଥି ସହିତ ଏନଏମସି ନିୟମ ମୁତାବକ ଆବଶ୍ୟକ କୋଠା, ସାଜ ସରଜଞ୍ଜାମ ଏବଂ ଡାକ୍ତରୀ ସୁବିଧା ଆଦି ଉପଲବ୍ଧ କରିବେ । ଏଥିପାଇଁ ରାଜ୍ୟ ବଜେଟ୍‍ରେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯିବ । ତେବେ କୌଣସି ପ୍ରକାର ତଥ୍ୟ ଲୁଚାଇବା ଅଥବା ଠକେଇ ନଜରକୁ ଆସିଲେ ଏମଏଆରବି ପକ୍ଷରୁ ଦିଆଯାଇଥିବା ଅନୁମତି ପତ୍ରକୁ ପ୍ରତ୍ୟାହାର କିମ୍ବା ବାତିଲ କରିବାର କ୍ଷମତା ସମ୍ପୃକ୍ତ ସଂସ୍ଥା ନିଜ ନିକଟରେ ରଖିଛନ୍ତି । (ତଥ୍ୟ)