ଭୁବନେଶ୍ୱର : ରାଜ୍ୟରେ ଗୋମହିଷାଦିଙ୍କଠାରେ ଦେଖା ଦେଇଥିବା ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣାଧୀନ ଅଛି ଏବଂ ଏହା ଯେପରି ବ୍ୟାପି ନପାରେ ସେଥିପ୍ରତି ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ ଚର୍ମବିଣ୍ଡି ରୋଗର ସ୍ଥିତି ସଂପର୍କରେ ସମୀକ୍ଷା କରିବା ଅବସରରେ ଗୋମହିଷାଦିଙ୍କ ଟୀକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଚର୍ମବିଣ୍ଡି ରୋଗ ଯେପରି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଏବଂ ଗୋଟିଏ ବ୍ଲକ୍ରୁ ନିକଟବର୍ତ୍ତୀ ବ୍ଲକ୍କୁ ଯେପରି ବ୍ୟାପି ନପାରେ ସେଥିପାଇଁ ରୋଗ ଦେଖାଯାଉଥିବା ସ୍ଥାନର ସଠିକ୍ ନିରୁପଣ କରାଯାଇ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତି ଜିଲ୍ଲା ସଦର ମହକୁମାରେ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ଚର୍ମବିଣ୍ଡି ରୋଗ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରି ବିଭାଗକୁ ନିୟମିତ ପ୍ରେରଣ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ସ୍ଥିତିକୁ ନିରୀକ୍ଷଣ କରି ଆବଶ୍ୟକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଚର୍ମବିଣ୍ଡି ରୋଗ ଓ ଏହାର ନିରାକରଣ ସଂପର୍କରେ ଜନସାଧାରଣଙ୍କ ମଧ୍ୟର ବ୍ୟାପକ ଜନସଚେତନତା ସୃଷ୍ଟି ଦିଗରେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ସହିତ ସ୍ଥାନୀୟ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଚର୍ମବିଣ୍ଡିରେ ପୀଡ଼ିତ ଗାଈଗୋରୁଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ‘ଆନିମଲ ହେଲ୍ପ ଲାଇନ୍’କୁ ନିର୍ଦ୍ଦେଶ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ବୈଠକରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ କ୍ଷେତ୍ର ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ରୋଗର ଗତିବିଧି ସଂପର୍କରେ ସତର୍କ ଦୃଷ୍ଟି ରଖି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ଏହା ଅନ୍ୟ ଅଞ୍ଚଳକୁ ବ୍ୟାପି ନପାରେ । ‘ଆମ କୃଷି’ ମାଧ୍ୟମରେ ଚାଷୀମାନଙ୍କୁ ଚର୍ମବିଣ୍ଡିର ଲକ୍ଷଣ ଓ ନିରାକରଣ ସଂପର୍କରେ ସଚେତନ କରାଯିବା ଉପରେ ଶ୍ରୀ ବଶିଷ୍ଠ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାର ସ୍ଥିତି ଏବଂ ରୋଗ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ଆଲୋଚନା କରି ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।