Home News in Odia ଚର୍ଚ୍ଚାରେ ଗ୍ୟାରେଣ୍ଟି ପୂରଣ

ଚର୍ଚ୍ଚାରେ ଗ୍ୟାରେଣ୍ଟି ପୂରଣ

ଭୁବନେଶ୍ୱର : ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରିବାପରେ ଏବେ ଚାରିଆଡେ ଚର୍ଚ୍ଚା ମୋଦୀ ଗ୍ୟରେଣ୍ଟିର ରୂପାୟନ ସଂକ୍ରାନ୍ତରେ । ବିଜେପି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜାରି କରାଯାଇଥିବା ସଙ୍କଳ୍ପପତ୍ର ଏବଂ ନିର୍ବାଚନୀ ସଭାରେ ନେତାମାନେ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ପାଳିତ ହେବ ସେଥିଘେନି ଦଳମତ ନିର୍ବିଶେଷରେ ନବ ନିର୍ବାଚିତ ବିଧାୟକମାନଙ୍କ ଠାରୁ ଆରମ୍ଭକରି ବିଜେପି କର୍ମୀ ଓ ସାଧାରଣ ଲୋକଙ୍କ ଭିତରେ ଉତ୍ସୁକତା ଦେଖାଦେଇଛି ।

ଓଡିଶା ବିଜେପି ପକ୍ଷରୁ ଜାରି ସଙ୍କଳ୍ପପତ୍ରରେ ପ୍ରଶାସନିକ ବ୍ୟବସ୍ଥାରେ ଦୁର୍ନୀତିର ଅନ୍ତ ପାଇଁ ଯେଉଁ ଉଦଘୋଷଣା କରାଯାଇଛି ତାହା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେଥିଘେନି ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ସମାରୋହରେ ଯୋଗ ଦେଇଥିବା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସାଧୁ ସନ୍ଥମାନେ ଚର୍ଚ୍ଚା କରୁଛନ୍ତି ।

ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ମହିଳାମାନେ ଅନାଇ ବସିଛନ୍ତି କେତେଶୀଘ୍ର ସେମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କାର ଭାଉଚର ମିଳିବ ବୋଲି । ଜଗନ୍ନାଥପ୍ରେମୀମାନେ ଅପେକ୍ଷା କରିଛନ୍ତି ଘୋଷଣା ମୁତାବକ କେତେଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ମହଦୁଦ ଥିବା ମୂଲ୍ୟବାନ ସାମଗ୍ରୀର ଗଣତି ମଣତି ହେବ ଏବଂ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବ ବୋଲି । ଆଜି ଶପଥ ଗ୍ରହଣ ସମାବେଶରେ ଉପସ୍ଥିତ ରହିଥିବା କୃଷକମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେତେଶୀଘ୍ର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରାଯିବ ଓ କଟ୍‍ନି ଛଟ୍‍ନି ବ୍ୟବସ୍ଥାର ଅନ୍ତ ସହ ଉତ୍ପାଦିତ କୃଷିଜାତ ସାମଗ୍ରୀର ସଂରକ୍ଷଣ ଲାଗି ଶୀତଳଭଣ୍ଡାର ପ୍ରତିଷ୍ଠା ହେବ ସେଥିଘେନି ମଧ୍ୟ ଆଲୋଚନା କରୁଛନ୍ତି ।

ଏହି ଶପଥଗ୍ରହଣ ସମାବେଶରେ ବହୁ ସଂଖ୍ୟକ ଯୁବକ ଓ ମହିଳାଙ୍କୁ ଦେଖିବାକୁ ମିଳିଛି । ବିଜେପିର ସଙ୍କଳ୍ପପତ୍ରରେ ରାଜ୍ୟର ସମୃଦ୍ଧି ପାଇଁ ସାଢେ ୩ଲକ୍ଷ ନିଯୁକ୍ତି ଏବଂ ଖାଲି ପଡିଥିବା ସରକାରୀ ପଦ ପଦବୀରୁ ୬୫ହଜାର ପଦବୀ ପୂରଣ ତୁରନ୍ତ ହେବ ବୋଲି ଯୁବକମାନେ ଆଶା କରୁଥିବାବେଳେ ମହିଳାମାନେ ଆଶା ରଖିଛନ୍ତି ଖୁବ୍‍ଶୀଘ୍ର ୨୫ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବେ ବୋଲି ।

ସେହିଭଳି ଦରିଦ୍ରତମ ଲୋକେ ୨୫ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆଲୋଚନା କରୁଥିବାବେଳେ ଶ୍ରମିକଙ୍କ ବୀମା କଥା ବି ଉଠୁଛି । ଏହାଛଡା ୮ଲକ୍ଷ ଟଙ୍କା ପର୍ଯ୍ୟନନ୍ତ ବାର୍ଷିକ ରୋଜଗାର ଥିବା ବ୍ୟକ୍ତିଙ୍କ ଲାଗି ୧୦୦ଦିନ ଭିତରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା, ଜନଜାତି ଛାତ୍ରଛାତ୍ରୀମାନଙ୍କୁ ପାଠପଢିବାପାଇଁ ୫୦୦୦ ଟଙ୍କା କରି ପାଣ୍ଠି ଏବଂ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଆଦିଙ୍କ ଲାଗି ମାସିକ ଭତ୍ତା ପରିମାଣ ୩୦୦୦ ଟଙ୍କାକୁ ବୃଦ୍ଧି କରିବାପାଇଁ ବି ଲୋକଙ୍କର ଅପେକ୍ଷା ରହିଛି । ଏହାଛଡା ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ଯୋଗାଣ ପାଇଁ ବିଜେପିର ସଙ୍କଳ୍ପ ଯେତେଶୀଘ୍ର କାର୍ଯ୍ୟକାରୀ ହେବ ସେତେ ମଙ୍ଗଳ ବୋଲି ଲୋକେ କହୁଛନ୍ତି ।

ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ବିଜେପିର ସଙ୍କଳ୍ପପତ୍ରରେ କରାଯାଇଥିବା ଘୋଷଣା ସହିତ ପ୍ରତ୍ୟେକ ପଞ୍ଚାୟତ ଓ ଗାଁକୁ ସଂଯୋଗ କରିବାଲାଗି ୭୫ହଜାର କିଲୋମିଟର ସଡକ ନିର୍ମାଣ ସମ୍ପର୍କରେ ଦିଆଯାଇଥିବା ପ୍ରତିଶ୍ରୁତି ଅବିଳମ୍ବେ କାର୍ଯ୍ୟକାରୀ ହେବ ବୋଲି ଶପଥଗ୍ରହଣ ଉତ୍ସବକୁ ଆସିଥିବା ଗ୍ରାମାଞ୍ଚଳର ଲୋକମାନେ ଆଶାବ୍ୟକ୍ତ କରୁଛନ୍ତି । ଏହାଛଡା କେନ୍ଦ୍ରୀୟ ବିଜେପିର ମୋଦୀ ଗ୍ୟାରେଣ୍ଟି ଏବଂ ରାଜ୍ୟ ବିଜେପିର ଅନ୍ୟାନ୍ୟ ନିର୍ବାଚନୀ ପ୍ରତିଶ୍ରୁତି ସହିତ ନିର୍ବାଚନୀ ସଭାମାନଙ୍କରେ କରାଯାଇଥିବା ଘୋଷଣା ନିଶ୍ଚିତ ଭାବେ କାର୍ଯ୍ୟାକାରୀ କରାଯିବ ୋବଲି ଶପଥଗ୍ରହଣ ଉତ୍ସବ ପରେ ଅନେକ ମନ୍ତ୍ରୀ ଓ ଦଳୀୟ ନେତା କହିଛନ୍ତି । (ତଥ୍ୟ)