Home Education ଚନ୍ଦ୍ରଶେଖରପୁର ଡିଏଭିକୁ କାରଣ ଦର୍ଶାଅ ନୋଟିସ୍‌

ଚନ୍ଦ୍ରଶେଖରପୁର ଡିଏଭିକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ସୂଚାନ ଯୋଗ୍ୟ ଯେ ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲା । ମହାମାରୀର ପ୍ରଭାବ କମିବା ପରେ ଗତ ଫେବୃଆରୀ ୭ ତାରିଖ ଦିନଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି । ଛାତ୍ରଛାତ୍ରୀମାନଙ୍କ ବୃହତ୍‌ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ୧୪ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ଦୁଇ ବର୍ଷ ମଧ୍ୟରେ ପିଲାଙ୍କ ପାଠପଢ଼ାରେ ବହୁକ୍ଷତି ହୋଇଥିବାର ଆଶଙ୍କା କରାଯାଉଛି ।

ଦୀର୍ଘଦିନ ଧରି ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଓ ଭାବନାତ୍ମକ ସ୍ତରରେ ଅନେକ ସମସ୍ୟା ସୃଷ୍ଟି ହୋଇଥିବାର ସମ୍ଭାବନା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଫେବୃଆରୀ ୩ ତାରିଖ ଦିନ ସ୍କୁଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଏଥିରେ ପିଲାମାନେ ତାଙ୍କ ଇଚ୍ଛା ଅନୁଯାୟୀ ଅଫ୍‌ଲାଇନ୍‌, ଅନ୍‌ଲାଇନ୍‌ କିମ୍ବା ହାଇବି୍ରଡ୍‌ ମୋଡ୍‌ରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା ।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଫେବୃଆରୀ ୩ ତାରିଖ ଦିନ ସ୍କୁଲଗୁଡ଼ିକୁ ଏହି ମର୍ମରେ ଚିଠିଲେଖି ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ମୋଡ୍‌ରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟ ଏହି ନିର୍ଦ୍ଦେଶର ଅବମାନନା କରି ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହେଉଥିବା ପିରିଅଡ଼୍‌ ଆସେସ୍‌ମେଣ୍ଟ ପରୀକ୍ଷାକୁ ଅଫ୍‌ଲାଇନ୍‌ ମୋଡ୍‌ରେ କରିବା ପାଇଁ ବାଧ୍ୟ କରିଛି । ତେଣୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସାହୁ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏବଂ ଏହି ଅନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ ବୋଲି ସତର୍କ କରିଛନ୍ତି ।