ଭୁବନେଶ୍ୱର : ଓଡ଼ିଶାରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଶୃଙ୍ଖଳିତ ଅତ୍ୟାଚାର ପ୍ରତିବାଦରେ ମାନସ ଚୌଧୁରୀଙ୍କ ନେତୃତ୍ବରେ ଏକ ସାମାଜିକ ସଂଗଠନ ‘ଘୃଣା ବିରୁଦ୍ଧରେ ସ୍ୱର’ ପକ୍ଷରୁ ଶୁକ୍ରବାର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ମୁହଁରେ କଳାପଟି ପିନ୍ଧିଥିଲେ, ହାତରେ ‘ଘୃଣା ବିରୁଦ୍ଧରେ ସ୍ୱର’ ଲେଖାଥିବା ପତାକା ଧରିଥିଲେ ।
ଏହି ବିକ୍ଷୋଭରେ ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ଉପରେ ହୋଇଥିବା ବର୍ବର ଅତ୍ୟାଚାରପାଇଁ ନ୍ୟାୟ ଦାବି କରାଯାଇଥିଲା। ଏହି ବିକ୍ଷୋଭରେ ଗଜପତି ଜିଲ୍ଲାର ଓପଡ଼ା, ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସୋର ଓ ଯାଜପୁର ଜିଲ୍ଲାର ପୀଡ଼ିତମାନେ ସାମିଲ ହୋଇଥିଲେ। ବିଶେଷ କରି ୨୦୨୪ ଡିସେମ୍ବର ୧୬ ତାରିଖରେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସୁଦୀପ୍ତ ପାଲଟାଙ୍କୁ ବିଜେପି ସମର୍ଥକମାନେ ଆକ୍ରମଣ କରିଥିଲେ।
ଘଟଣାର କେସ୍ ନମ୍ବର ୧୦୪/୨୦୨୪ ରହିଛି। ସେହିପରି ୨୦୨୪ ନଭେମ୍ବର ୨୪ ତାରିଖରେ ବାଲେଶ୍ୱର ଜିଲ୍ଲା ଆଉପଡ଼ା ଥାନାର ଖ୍ରୀଷ୍ଟିଆନ ଆଦିବାସୀଙ୍କ ଠାରୁ ଆରମ୍ଭ କରି ସୁନାରାମ ମାରାଣ୍ଡି ଓ କାୟାମ ସୋରେନଙ୍କୁ ପେଟ୍ରୋଲ ଟାଙ୍କିରେ ବାନ୍ଧି ଅମାନବୀୟ ମାଡ଼ ମରାଯାଇଥିଲା। ସେମାନଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଯୋଜନା ହୋଇଥିଲା, ଯାହାର କେସ୍ ନମ୍ବର ୬/୨୦୨୫ ରହିଛି। ୨୦୨୪ ଡିସେମ୍ବର ୨୬ ତାରିଖରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘନିଷ୍ଠ ସହଯୋଗୀମାନେ ଆଦିବାସୀ ଖ୍ରୀଷ୍ଟିଆନ ମହିଳା ସୁକାନ୍ତି ସିଂହ ଓ ସୁବାଶିନୀ ସିଂହଙ୍କ ଉପରେ ମିଥ୍ୟା କଥାବାର୍ତ୍ତା ଅଭିଯୋଗ ଆଣି ସେମାନଙ୍କୁ ଗଛରେ ବାନ୍ଧି ଚପଲରେ ପିଟିବା ସହ ଲାଠିରେ ପିଟିଥିଲେ।
ସେହିପରି ୨୦୨୪ ଡିସେମ୍ବର ୮ ତାରିଖରେ ଯାଜପୁର ଟାଉନ ଥାନା ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଦସ୍ୟ ନରେନ୍ଦ୍ର ଦାସ ଓ ବୀରକିଶୋର ଦାସଙ୍କୁ ଅମାନବୀୟ ନିର୍ଯାତନା ଦେବା ସହ ଉକ୍ତ ଅଞ୍ଚଳର ଚର୍ଚ୍ଚକୁ ଭଙ୍ଗାରୁଜା କରାଯାଇଥିଲା, ଯାହାର କେସ୍ ନମ୍ବର ୩୫୫/୨୦୨୪ ରହିଛି।
ସେହିପରି ୨୦୨୫ ଜାନୁଆରି ୫ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଗୌରାଙ୍ଗ ଦାସଙ୍କୁ ଅପହରଣ କରି ଗଛରେ ବାନ୍ଧି ଗୁରୁତର ଭାବେ ମାଡ଼ ମରାଯାଇଥିଲା। ଘଟଣାର କେସ୍ ନମ୍ବର ୮/୨୦୨୫ ରହିଛି। ଏହି ପ୍ରତିବାଦରେ ପୀଡ଼ିତମାନେ ଅଂଶଗ୍ରହଣ କରିଥିଲେ।
ଅନ୍ୟପକ୍ଷରେ ମୟୂରଭଞ୍ଜରେ ଖ୍ରୀଷ୍ଟିଆନ ଆଦିବାସୀଙ୍କ ଉପରେ ଆକ୍ରମଣ, ରାୟଗଡ଼ା କେ ସିଂହପୁର ଥାନାରେ ଖ୍ରୀଷ୍ଟିଆନ ଆଦିବାସୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ କେସ୍ ନମ୍ବର ୧୩୫/୨୪ ରହିଛି। ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ଓ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ। ଏମିତି ଅନେକ ଉଦାହରଣ ରହିଛି।
ଏହି ପରିପ୍ରେକ୍ଷୀରେ ସଂଗଠନର ଆବାହକ ଶ୍ରୀ ଚୌଧୁରୀ କହିଛନ୍ତି ଯେ, ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅସୁରକ୍ଷିତ ଓ ନିର୍ଯାତିତ। ସେମାନେ ଘରୁ ବାହାରକୁ ଯିବାକୁ ଡରୁଛନ୍ତି। ବିଜେପିସହ ଜଡିତ ଆକ୍ରମଣକାରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି । ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଯେମିତି ଏକ ଲୁକ୍କାୟିତ ନୀତି ପ୍ରସ୍ତୁତ ହୋଇଛି। ଜଗନ୍ନାଥଙ୍କ ମାଟିରେ ସବୁ ଧର୍ମ ଓ ସମସ୍ତ ଜାତିକୁ ସମ୍ମାନ ଦିଆଯାଏ ।
ଏଠାରେ ସାଲବେଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ରଚନା କରିଥିଲେ ଏବଂ ଖ୍ରୀଷ୍ଟିଆନ ମଧୁବାବୁ ଜଗନ୍ନାଥଙ୍କର ଜଣେ ମହାନ ଭକ୍ତ । ଅନ୍ୟପକ୍ଷରେ ସନାତନ ଧର୍ମର ମୌଳିକ ମନ୍ତ୍ର ହେଉଛି ‘ବସୁଧୈବ କୁଟୁମ୍ବକମ୍’। ସମଗ୍ର ବିଶ୍ୱକୁ ନିଜ ପରିବାର ଭାବେ ଗ୍ରହଣ କରୁଥିବା ହିନ୍ଦୁ ଧର୍ମର କିଛି ସ୍ୱୟଂଘୋଷିତ ପ୍ରବର୍ତ୍ତକ ସଂଖ୍ୟାଲଘୁଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ କରୁଛନ୍ତି। ସେମାନେ ହେଉଛନ୍ତି ନକଲି ହିନ୍ଦୁ। କାରଣ ସେମାନେ ହିନ୍ଦୁ ଧର୍ମର ନୀତି ଓ ନିୟମ କୁ ପାଳନ କରନ୍ତି ନାହିଁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଏବଂ ଭାରତର ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ । ଏଭଳି ସ୍ଥିତିରେ ଆଦିବାସୀ ମହିଳାଙ୍କ ଉପରେ ମାଓବାଦୀଙ୍କ ବର୍ବର ଆକ୍ରମଣରେ ସେମାନେ ଅନ୍ଧ ହୋଇଯାଇଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଅଜିତ ସିଂହ ଯୋଗ ଦେଇଥିଲେ। ଏହି ବିକ୍ଷୋଭରେ ଯୁବନେତା ଅମୀୟ ପାଣ୍ଡବ, ୟାସିର ନୱାଜ, ବିଶ୍ୱଜିତ ଦାସ, ଡ. ପ୍ରଲ୍ଲବ ନିମା, ପ୍ରକାଶ ମିଶ୍ର, ଗଣେଶ ଦାଶ, ମନୋଜ ବିଶ୍ବାଳ, ମୀର ଅହମ୍ମଦ ଅଲ୍ଲୀ, ଅଜୟ ସାହୁ, ରାହୁଲ ମହାନ୍ତି, ବିଶପ୍ ଡିବି ହରାଜ, ସୁଦୀପ ସାମଲ, ଶ୍ରେୟସ୍ମିତା ପଣ୍ଡା, ମହମ୍ମଦ ପରଭେଜ, ଶିଶିର ରଥ, ରାଜେ ସ୍ୱାଇଁ, କାଳନ୍ଦୀ ଖୁଣ୍ଟିଆ ପ୍ରମୁଖ ସାମିଲ ହୋଇଥିଲେ।