Home General ଘିଅର ମାନ ଯାଞ୍ଚ ହେଉ

ଘିଅର ମାନ ଯାଞ୍ଚ ହେଉ

ଭୁବନେଶ୍ୱର : ତିରୁପତି ମନ୍ଦିର ପାଇଁ ଲଡୁ ଶୁଦ୍ଧ ଗାଈଘିଅ ପରିବର୍ତ୍ତେ ଚର୍ବିମିଶା ଘିଅରେ ପ୍ରସ୍ତୁତ ହେଉଥିବା ଘେନି ସମ୍ବାଦ ସାରା ଦେଶରେ ଉଦବେଗ ପ୍ରକାଶ କରିଥିବାବେଳେ ଓଡିଶାର ମନ୍ଦିରଗୁଡିକରେ ବ୍ୟବହୃତ ହେଉଥିବା ଘିଅର ସଠିକ୍‍ ମାନ ଯାଞ୍ଚ ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।

ସାଧାରଣତଃ ମନ୍ଦିରଗୁଡିକରେ ତିଆରି କରାଯାଉଥିବା ରନ୍ଧାଭୋଗରେ ଘିଅ ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ, ଚୁଡାଘଷା ଠାରୁ ଆରମ୍ଭ କରି ଅନ୍ୟ ଶୁଖିଲାଭୋଗଗୁଡିକ ମଧ୍ୟ ଘିଅରେ ହୋଇଥାଏ । ଏହି ଘିଅ ସବୁ ଖାଣ୍ଟି ଗାଈଘିଅ କି ନୁହେଁ ତାହା ପରଖାଯିବାର ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ, ମନ୍ଦିରଗୁଡିକରେ ଭକ୍ତମାନଙ୍କୁ ଯେଉଁ ଦୀପ ବିକ୍ରୟ କରାଯାଇଥାଏ ସେଗୁଡିକରେ ଘିଅ ବୋଲି କୁହାଯାଉଥିବା ଯେଉଁ ପଦାର୍ଥ ସବୁ ଥାଏ ତାହା ୪୦ଡିଗ୍ରୀ ଖରାରେ ବି ତରଳେ ନାହିଁ । ଏମିତିକି ଶିବରାତ୍ରୀ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଉତ୍ସବାନୁଷ୍ଠାନରେ ଦୀପଗୁଡିକରେ ଯେଉଁ ଘିଅ ଢଳାଯାଇଥାଏ ସେଗୁଡିକ ଶୁଦ୍ଧ ଗାଈଘିଅ କି ନୁହେଁ ତାହାର ମଧ୍ୟ ପରୀକ୍ଷା ନିରୀକ୍ଷା ହେଉନାହିଁ ।

ଅତୀତରେ ଗୋଟିଏ ସମୟରେ ଶ୍ରୀମନ୍ଦିରରେ ଓମ୍‍ଫେଡ୍‍ ଘିଅ ବ୍ୟବହାର କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଉନାହିଁ । କେବଳ ଶ୍ରୀମନ୍ଦିର କାହିଁକି ଓଡିଶାରେ ଥିବା ଅନ୍ୟ ମଠ ମନ୍ଦିର ଠାରୁ ଆରମ୍ଭକରି ଘରେ ଘରେ ଲୋକେ ଯେଉଁ ଘିଅ ଦୀପ ଜାଳୁଛନ୍ତି ତାହାର ଗୁଣବତ୍ତା ଘେନି ପ୍ରଶ୍ନ ଉଠୁଛି ।

ହାଟ ବଜାରରେ ଥିବା ପୂଜା ସାମଗ୍ରୀ ଦୋକାନଗୁଡିକରେ ଶସ୍ତା ଦରରେ ମିଳୁଥିବା ଘିଅଗୁଡିକର ଡବା ଓ ପ୍ୟାକେଟ୍‍ ଉପରେ କେବଳ ପୂଜାପାଇଁ ବୋଲି ଲେଖାଯାଉଛି । ଅର୍ଥାତ୍‍ ଏଗୁଡିକ ଖାଦ୍ୟ ଉପଯୋଗୀ ନୁହେଁ । ତେବେ ବିଭିନ୍ନ ପର୍ବ ପର୍ବାଣିରେ ଲୋକେ ଘରେ ଖାଦ୍ୟ ପାଇଁ ବହୁ ସ୍ଥଳରେ ଏହି ଶସ୍ତାଘିଅ ବ୍ୟବହାର କରୁଛନ୍ତି । ଖୋଲାଖୋଲି ଭାବେ ଦୋକାନବଜାରରେ ଅପମିଶ୍ରିତ ଘିଅ ହାଉଜାଉ ହେଉଥିବାବେଳେ ତାହାକୁ ବିଭାଗୀୟ କର୍ତ୍ତୃପକ୍ଷ ନିୟନ୍ତ୍ରଣ କରୁନାହାନ୍ତି । ଏହି ଘଅ ସବୁ ପୋଡା ମୋବିଲ, ପଶୁ ଚର୍ବି କିମ୍ବା ଅନ୍ୟ ରସାୟନିକ ପଦାର୍ଥରୁ ତିଆରି ହେଉଛି ତାହା ଜାଣିବା ଖାଉଟିଙ୍କ ପକ୍ଷେ ସମ୍ଭବପର ନୁହେଁ ।

ଅତୀତରେ ରାଜ୍ୟର କେତେକ ସ୍ଥାନରେ ଚଢଉ କରାଯାଇ ଅପମିଶ୍ରିତ ଘିଅ ତିଆରି କାରଖାନା ଜବତ କରାଯିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଭଳି ଅପମିଶ୍ରିତ ଘିଅରୁ ପ୍ରସ୍ତୁତ ପ୍ରସାଦ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବିଗୁଡୁଛି । ଏହି ଅପମିଶ୍ରିତ ଘିଅ ହୋମ ଯଜ୍ଞ ଆଦିରେ ବ୍ୟବହାର କରାଯିବା ଫଳରେ ବାୟୁମଣ୍ଡଳ ପରିଷ୍କୃତ ହେବା ପରିବର୍ତ୍ତେ ପ୍ରଦୂଷିତ ହେଉଛି । ଏହାକୁ ଆଖିଆଗରେ ରଖି ଏବେ ଅନେକ ଉତ୍ସବାନୁଷ୍ଠାନରେ ଉଦ୍ୟୋକ୍ତାମାନେ ପ୍ରଦୀପ ପ୍ରଜ୍ୱଳନ କରୁନାହାନ୍ତି ।

ତିରୁପତି ଭଳି ଦେବସ୍ଥାନରେ ବର୍ଷ ବର୍ଷ ଧରି ପଶୁଚର୍ବି ମିଶ୍ରିତ ଘିଅରେ ପ୍ରସ୍ତୁତ ଲଡୁ ଦେଶ ବିଦେଶର ଶ୍ରଦ୍ଧାଳୁମାନଙ୍କୁ ଦିଆଯାଉଥିଲା । ଏହା ଭକ୍ତମାନଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ପହଞ୍ଚାଇଛି । ଆମ ରାଜ୍ୟରେ ଅନେକ ଭୋଜନାଳୟରେ ଘିଅରେ ପ୍ରସ୍ତୁତ ବୋଲି କୁହାଯାଉଥିବା ଯେଉଁସବୁ ଖାଦ୍ୟ ସାମଗ୍ରୀ ମିଳୁଛି ତାହା ଶୁଦ୍ଧ ନା ଅପମିଶ୍ରିତ ସେଥିଘେନି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ପରିପ୍ରେକ୍ଷୀରେ ମଠ, ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡିକରେ ନିର୍ଦ୍ଦିଷ୍ଟମାନର ବିଶୁଦ୍ଧ ଗାଈଘିଅ ବ୍ୟବହାର କରିବା ସହିତ ଖାଉଟିମାନଙ୍କୁ ଅପମିଶ୍ରିତ ଘିଅର ବିପଦରୁ ରକ୍ଷାକରିବାପାଇଁ ସରକାରୀକଳ ବ୍ୟାପକ ଚଢାଉ କରିବାଲାଗି ଦାବି ହେଉଛି । (ତଥ୍ୟ)