ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମାର୍ଗଦର୍ଶିକା ଜାରି କରୁଥିବାବେଳେ ଆଗାମୀ ବିବାହ ଋତୁରେ ବିଭିନ୍ନ ହୋଟେଲ ଓ ମଣ୍ଡପ ସଂରକ୍ଷିତ କରିଥିବା ଭୋଜି ଆୟୋଜନକାରୀଙ୍କ ଚିନ୍ତା ବଢିବାରେ ଲାଗିଛି ।
ପଡୋଶୀ ଚୀନ୍ ସମେତ ବିଶ୍ୱର ୫ଟି ଦେଶରେ କରୋନା ସଂକ୍ରାମଣ ବଢୁଥିବାରୁ ଭାରତ ସରକାର ତତ୍ପର ହୋଇ ଉଠିବା ସହିତ ଓଡିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ କୋଭିଡ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ମାସ୍କ ପିନ୍ଧିବାକୁ ଆହ୍ୱାନ କରିଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଇତି ମଧ୍ୟରେ ଟେଷ୍ଟିଂ, ଟ୍ରାକିଂ ଆଦି କରିବା ସହିତ ହସ୍ପିଟାଲରେ ଅମ୍ଳଜାନ ଗଚ୍ଛିତ ରଖିବାକୁ କୁହାଯାଇଛି । ଏଥି ସହିତ ଆଗାମୀ ଦିନରେ କିଭଳି କରୋନା ସଂକ୍ରମଣକୁ ମୁକାବିଲା କରାଯାଇ ପାରିବ ସେଥିପାଇଁ ଡ୍ରାଏ ରନ୍ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଛି ।
ଅନ୍ୟ ପକ୍ଷରେ ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ଭାରିଆଣ୍ଟ ବିଏଫ୍.୭ ର ଭୂତାଣୁ ବି ଓଡିଶାରୁ ଚିହ୍ନଟ ହୋଇଛି । ସମଗ୍ର ଦେଶରୁ ତିନି ଜଣଙ୍କ ଦେହରେ ଏହା ଚିହ୍ନଟ ହୋଇଥିବାବେଳେ ସେଥିରେ ଓଡିଶାର ଜଣେ ମହିଳାଙ୍କ ଶରୀରରେ ଏହା ଠାବ ହୋଇଥିବା ଜଣାଯାଇଛି ।
କୋଭିଡ ସଂକ୍ରମଣ ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧିରେ ଧିରେ ଆଗକୁ ବଢୁଥିବାବେଳେ ଆଗାମୀ ଦିନରେ ବିବାହ ବ୍ରତ ଆଦି ଆୟୋଜନରେ ଜନଗହଳିକୁ ଅନୁମତି ମିଳିବ କି ନାହିଁ ତାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । କାରଣ ଆଗାମୀ ଜାନୁୟାରୀମାସରୁ ବିବାହ ଋତୁ ଆରମ୍ଭ ହେଉଥିବାରୁ ପ୍ରାୟ ତିନି ମାସ ପାଇଁ ରାଜ୍ୟର ସମସ୍ତ ହୋଟେଲ, ମଣ୍ଡପ ଆଦି ବୁକିଂ ହୋଇଯାଇଛି । ଏପରିକି ଖୋଲାପଡିଆରେ ଭୋଜିଭାତ ଆୟୋଜନ ପାଇଁ ଲୋକେ ଟେଣ୍ଟହାଉସ୍କୁ ବୁକିଂ କରିଛନ୍ତି ।
ତେବେ ଆଗାମୀ ଦିନରେ କୋଭିଡ୍ ସଂକ୍ରମଣ ବଢିବା ଓ ଏହାର ମୁକାବିଲା ନେଇ ସଜବାଜ ଚାଲିଥିବାବେଳେ ବିବାହ ଭୋଜିରେ ଶତାଧିକ ଲୋକଙ୍କୁ ଅନୁମତି ମିଳିବ କି ନାହିଁ ତାହାକୁ ନେଇ ଏବେ ଆଶଙ୍କା । ଉଲ୍ଲେଖନୀୟ ପୂର୍ବରୁ କୋଭିଡ ସଂକ୍ରମଣ ସମୟରେ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଆଦିରେ ସଂକ୍ରମଣ ଭୟରେ ଅତି ଅଳ୍ପ ସଂଖ୍ୟକ ଲୋକଙ୍କୁ ଯୋଗଦେବାପାଇଁ ପ୍ରଶାସନ ଅନୁମତି ଦେଉଥିଲା । ଏପରିକି ଯେଉଁମାନେ କଟକଣା ନମାନି ଅଧିକ ଲୋକଙ୍କୁ ସାମିଲ କରୁଥିଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେଉଥିଲା । ଏଭଳି ସ୍ଥିତିରେ ଆୟୋଜନକାରୀଙ୍କ ସମେତ ହୋଟେଲ, ମଣ୍ଡପ, ଟେଣ୍ଟହାଉସ୍ ମାଲିକଙ୍କ ରକ୍ତଚାପ ବଢିବାରେ ଲାଗିଛି । (ତଥ୍ୟ)