Home General ଘାତ ପ୍ରତିଘାତ ମଧ୍ୟରେ ‘ସମୟ’ ସଫଳ

ଘାତ ପ୍ରତିଘାତ ମଧ୍ୟରେ ‘ସମୟ’ ସଫଳ

ଭୁବନେଶ୍ୱର : ସାମ୍ବାଦିକତା ବୃତ୍ତି ନୁହେଁ ଏକ ବ୍ରତ, ଧନ୍ଦା ନୁହେଁ ଏକ ଧର୍ମ, ଏହା ବିଜ୍ଞାପନର ବିପ୍ପଣୀ ନୁହେଁ ଏକ ବିଚାର । ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ପରିପୂରକ । ନିଶା ଓ ପେଷାକୁ ଯିଏ ମିଳିତ କରିପାରିଛି ସେ ସଫଳ ହୋଇଛି । ନିରପେକ୍ଷ ଓ ନିର୍ଭିକତା ହିଁ ସାମ୍ବାଦିକତାର ମୂଳମନ୍ତ୍ର । ବର୍ତ୍ତମାନ ଦେଶରେ ସାମ୍ବାଦିକତା ଉପରେ ବିପଦ ରହିଛି । ଏହାସତ୍ତେ୍ୱ ବି ସାମ୍ବାଦିକତା ବଞ୍ଚିଛି ଓ ବଞ୍ଚିଥିବ । “ସମୟ’ ଦୀର୍ଘପଥ ଅତିକ୍ରମ କରି ବେଶ୍‌ ସଫଳ ହୋଇଛି ବୋଲି ବିଶିଷ୍ଟ ବକ୍ତାମାନେ ଦୈନିକ “ସମୟ’ର ୨୯ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମତବ୍ୟକ୍ତ କରିଛନ୍ତି ।

“ସମୟ’ର ୨୯ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବ ପାଳିତ ହୋଇଛି । ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । ସେ କହିଥିଲେ, “ସମୟ’କୁ ୨୯ ବର୍ଷ ଇତି ମଧ୍ୟରେ ବିତିଛି । ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳ ତାଙ୍କର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏହି ସମ୍ବାଦପତ୍ର ସ୍ଥାପନା କରିଥିଲେ, ତାହା ଆଜି ସଫଳତା ପାଇଛି । ସ୍ୱଗତ ବିଶ୍ୱାଳଙ୍କ ନିକଟରେ ଭିଜନ ଥିଲା, ଆକ୍ସନ ବି ଥିଲା ଏବଂ ବଡ଼କଥା ହେଉଛି ଉତ୍ସର୍ଗୀକୃତ ମଧ୍ୟ ଥିଲା । ତାଙ୍କୁ ଆଧୁନିକ ଓଡ଼ିଶାର ବାଇମୁଣ୍ଡି ବୋଲି କୁହାଯାଉଥିଲା । ନିର୍ମାଣ ଠାରୁ ଆରମ୍ଭ କରି ବନ୍ୟା, ବାତ୍ୟା ପରିଚାଳନାରେ ଯେଉଁସବୁ ସ୍ୱାର୍ଥରହିତ କାର୍ଯ୍ୟ ଥିଲା, ଆମେ ଆଜି ମଧ୍ୟ ମନେପକାଉଛୁ ।

ବେଦର ଯଦି କର୍ମକାଣ୍ଡ, କର୍ମକାଣ୍ଡ କେତେବେଳେ ସାହିତ୍ୟ ନୁହେଁ । ତାହାହିଁ ସାମ୍ବାଦିକତା । କାଳିଦାସଙ୍କ ରଚନା ସବୁ ସାହିତ୍ୟ ହୋଇଥାଇପାରେ । ବାଣ ଭଟ୍ଟଙ୍କ ଭଟ୍ଟକାବ୍ୟ ହେଉଛି ସାମ୍ବାଦିକତା । ସାହିତ୍ୟ ଓ ସମ୍ବାଦିକତାରେ ବିଶେଷ ଦୂରତା ନାହିଁ । ସାମ୍ବାଦିକମାନେ ସତକୁ ପରିବେଷଣ କରିବା ପାଇଁ ଯେଉଁ ଶବ୍ଦ ବ୍ୟବହାର କରନ୍ତି, ସେହି ଶବ୍ଦ ଚୟନ ସଠିକ ଭାବେ ହୋଇଥାଏ, ତାହାଲେ ସାହିତ୍ୟ ଏବଂ ସାମ୍ବାଦିକତା ମଧ୍ୟରେ ଦୁରତ୍ୱ କମିକମି ଯାଇଥାଏ । ଗୋପବନ୍ଧୁ ଦାଶ, ନବକୃଷ୍ଣ ଚୌଧୁରୀ କଥା କୁହନ୍ତୁ, ସମସ୍ତେ ସାହିତ୍ୟର ସହାୟତାରେ ସାମ୍ବାଦିକତାର ମାର୍ଗ ନେଇ ସମାଜରେ ପରିବର୍ତ୍ତନ କରିବାର କ୍ଷମତା ରଖିଥିଲେ । ଉତ୍କଳ ଦୀପିକା ଯଦି ନଅଙ୍କ ଦୁର୍ଭିକ୍ଷର କଥା କହିନଥାନ୍ତା, ତାହେଲେ ଓଡ଼ିଶାରେ ଲୋକମାନେ କିପରି ପୋକମାଛି ମରନ୍ତି, ଏକଥା ବିଶ୍ୱ ଜାଣିପାରି ନଥାନ୍ତା ।

ଭାଷାଟିଏ ଥିଲା ବୋଲି ଆଜି ଆମେ ଭୂମି ପାଇଛେ । ଏହି ଭୂମି ତା’ର ଶତବବାର୍ଷିକୀ ପାଳନ କରିବ । ବିକଶିତ ଓଡ଼ିଶାର ପରିକଳ୍ପନା ଆଜି ଆମେ କରୁଛନ୍ତି । ୧୯୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଜନ୍ମ ନେଇଥିବା ବେଳେ ସେହି ବର୍ଷ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳ ଜନ୍ମ ଗ୍ରହଣ କରିଥିଲେ । ୨୦୩୬ ମସିହାରେ ଓଡ଼ିଶାରେ ଶହେ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ସେହି ସମୟରେ ସ୍ୱଗତ ବିଶ୍ୱାଳଙ୍କର ମଧ୍ୟ ଜନ୍ମ ଶତବାର୍ଷିକୀ ପାଳନ କରାଯିବ । ଆଗାମୀ ୧୧ ବର୍ଷ ପରେ ପ୍ରତିଷ୍ଠାତାଙ୍କ ଜନ୍ମତିଥି ପାଳନ କରୁଥିବା ବେଳେ ରାଜ୍ୟ ବି ଶତବାର୍ଷିକୀ ପାଳନ କରୁଥିବ । ସେଥିପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।

ସାମ୍ବାଦିକତା ବୃତ୍ତି ନୁହେଁ ବ୍ରତ, ଧନ୍ଦା ନୁହେଁ ଏକ ଧର୍ମ । ଏହା ବିଜ୍ଞାପନର ବିªଣୀ ନୁହେଁ ବିଚାର । ଏକଥା “ସମୟ’ ସମସ୍ତଙ୍କୁ କହିଛି ଏବଂ ଆଜି ପର୍ଯ୍ୟନ୍ତ ପାଳନ କରିଛି । ସାମ୍ବାଦିକମାନେ ସରକାରଙ୍କ କଥା ଲୋକଙ୍କ ପାଖରେ ଏବଂ ଲୋକଙ୍କ କଥାକୁ ସରକାରଙ୍କ ନିକଟରେ ପହଞ୍ଚାଉଛନ୍ତି । ନିରପେକ୍ଷତା, ସଚ୍ଚୋଟତା ଏବଂ ନିର୍ଭିକତା ଏହି ତିନୋଟି ବିନ୍ଦୁକୁ ଗ୍ରହଣ କରିବା । ତା’ହେଲେ ଗଣମାଧ୍ୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ନାହିଁ । ଯେଉଁ କଥା ପ୍ରଶାସନ ଓ ସରକାର ବହୁ ସମୟରେ କରିପାରି ନଥାନ୍ତି, ସାମ୍ବାଦିକମାନେ କରି ଦେଖାଇଥାନ୍ତି ବୋଲି ଶ୍ରୀ ସୂରଜ କହିଥିଲେ ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର କୁମରବର ଦାସ କହିଛନ୍ତି ଯେ, ତଥ୍ୟରୁ ତ‰ । ତଥ୍ୟକୁ ନେଇ ସାମ୍ବାଦିକତା, ନିରପେକ୍ଷତା, ନିର୍ଭିକତା ଓ ମାନବିକତା । ସେହିପରି ଭିଜନ ଓ ମିଶନ ସ୍ପଷ୍ଟ ହେଲେ ହିଁ କାର୍ଯ୍ୟର ସଫଳତା ମିଳିଥାଏ । ଏହାର ବଡ଼ ଉଦାହରଣ ହେଉଛନ୍ତି ଭୀମ ଭୋଇ । ବିନା କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ନପଢ଼ି ବି ସେ ବିଶ୍ୱ ଚେତନା ସୃଷ୍ଟି କରିପାରିବାରେ ସଫଳ ହୋଇଥିଲେ । ନିଶା ଓ ପେଶାକୁ ଯିଏ ମିଳିତ କରିପାରିଛି, ସେ ସଫଳ ହୋଇ ପାରିଛି । ଡିଗ୍ରୀ ଭିତରେ ଜ୍ଞାନ ସୀମିତ ନୁହେଁ । ନିରପେକ୍ଷ ଓ ନିର୍ଭିକ ହିଁ ସାମ୍ବାଦିକତାର ମୂଳମନ୍ତ୍ର । ହେଲେ ବର୍ତ୍ତମାନ ଭାରତରେ ସାମ୍ବାଦିକତା ବିପଦରେ ରହିଛି । ପ୍ରତ୍ୟେକ ଦିନ ଦେଶରେ ତିନି ଜଣ ସାମ୍ବାଦିକ ହତ୍ୟାରେ ଶିକାର ହେଉଛନ୍ତି । ଏହା ସତ୍ତେ୍ୱ ବି ସାମ୍ବାଦିକତା ବଞ୍ଚିଛି, ବଞ୍ଚିଥିବ । “ସମୟ’ ଦୀର୍ଘପଥ ଅତିକ୍ରମ କରି ବେଶ ସଫଳ ହୋଇଛି ବୋଲି ସେ କହିଥିଲେ ।

ପ୍ରାରମ୍ଭରେ “ସମୟ’ର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । “ସମୟ’ର ପରିଚାଳନା ସମ୍ପାଦକ, ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ, ଅନେକ ଘାତ ପ୍ରତିଘାତ ଭିତରେ ଗତିକରି “ସମୟ’ ଅନେକାଂଶରେ ସଫଳ ହୋଇଛି । ନିଜର ସ୍ୱତନ୍ତ୍ର ପରିଚୟ ନିଜେ ସୃଷ୍ଟି କରିପାରିଛି । ସରକାର ଓ ବିରୋଧୀଙ୍କ ଭଲ କାର୍ଯ୍ୟକୁ ପ୍ରଶଂସା କରିବା ସହ ଯେଉଁ କାର୍ଯ୍ୟ ଜନହିତକର ନୁହେଁ, ତାହା ଲୋକଙ୍କ ନିକଟରେ ପହଞ୍ଚାଇଛି । ଏହି ସଂସ୍ଥା କାହାକୁ କେବେ ବ୍ୟକ୍ତିଗତ ଆକ୍ଷେପ କରିନାହିଁ । କେବଳ ଜନହିତକର କାର୍ଯ୍ୟକୁ ସର୍ବଦା ଗୁରୁତ୍ୱ ଦେଇଆସିଛି । ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସ୍ରୁତି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ମୁଁ ଯେତେବେଳେ ପ୍ରଶାସନିକ ସେବା ଚାକିରୀ ପାଇ ବି ଦିବ୍ୟାଙ୍ଗ ହୋଇଯାଇଥିଲି । ସେଥିପାଇଁ ଚାକିରୀ ହରାଇଥିଲି । କାରଣ ସେତେବେଳେ ଦିବ୍ୟାଙ୍ଗ ପାଇଁ କିଛି ନିୟମ ନଥିଲା । ହେଲେ ଗଣମାଧ୍ୟମ ଯୋଗୁଁ ଦିବ୍ୟାଙ୍ଗ ପାଇଁ ୫ଟି ଆଇନ ଆସିପାରିଛି । ଏବେ ଦିବ୍ୟାଙ୍ଗଙ୍କୁ ସରକାରୀ ସୁବିଧା ମିଳିଛି । ଗଣମାଧ୍ୟମର ଭୂମିକା ଅନନ୍ୟ ବୋଲି ସେ କହିଥିଲେ ।

ଓଟିଭିର ପଶ୍ଚିମ ଓଡିଶା ମୁଖ୍ୟ ମନୋରଞ୍ଜନ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କହିଛନ୍ତି, ସମୟ କେତେବେଳେ କ’ଣ କରିବ, କେହି କହିପାରିବେନି । ସମୟ ସବୁବେଳେ ବଳବାନ । ମୁଁ ସମୟରୁ କାର୍ଯ୍ୟ ଆରମ୍ଭ କରିଥିଲି । ପରେ ମୋ ଜୀବନର ଗତିପଥ ବଦଳି ଗଲା । ମୁଁ ପଶ୍ଚିମ ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମକୁ ଯାଇ କ୍ୟାରିୟର ଆରମ୍ଭ କଲି । ତାହାହିଁ ସମୟର ଖେଳ ବୋଲି ସେ କହିଛନ୍ତି । “ସମୟ’ର ପ୍ରକାଶକ ସତ୍ୟନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ହାଇଟେକ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟୀ ସୁରେଶ ପାଣିଗ୍ରାହୀ, ଆପୋଲୋ ହସ୍ପିଟାଲର ସିଓଓ ଡ. ଆଲୋକ ଶ୍ରୀବାସ୍ତବ, ନେତାଜୀ ଗ୍ରୁପ୍‌ ଅଫ୍‌ ଇନିଷ୍ଟିଚ୍ୟୁସନର ସେକ୍ରେଟାରୀ ବିଜନ କୁମାର ଜେନା, ସ୍ତମ୍ଭକାର ପ୍ରହ୍ଲାଦ କୁମାର ସିଂଙ୍କ ସମେତ ବାଲେଶ୍ୱରର ବରିଷ୍ଠ ସାମ୍ବାଦିକ ରଞ୍ଜନ କୁମାର ବାଗ୍‌, ଭବାନୀପାଟଣାର ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରା, ବାରିପଦାର ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭଦ୍ରକର ବରିଷ୍ଠ ସାମ୍ବାଦିକ ପ୍ରିୟଦର୍ଶନ ଶୁଭବ୍ରତ ବୋଇତି ଏବଂ ପାରାଦ୍ୱୀପର ବରିଷ୍ଠ ସାମ୍ବାଦିକ ସୁବ୍ରତ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବନ୍ଦନା ଗୋସ୍ୱାମୀ ଏବଂ ତାଙ୍କ ଟିମ୍‌ର ସଦସ୍ୟମାନେ ଉତ୍କଳ ସଙ୍ଗୀତ ଗାନ କରିଥିଲେ ।