ଭୁବନେଶ୍ୱର : ସମସ୍ତ ପ୍ରକାର ଗୃହ ନିର୍ମାଣ ଯୋଜନା ସତ୍ୱେ ଏବେ ବି ରାଜ୍ୟର ସହରାଞ୍ଚଳରେ ପାଖାପାଖି ୩ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଏମାନଙ୍କୁ ପର୍ଯ୍ୟାୟକ୍ରମେ ଘର ଦେବାପାଇଁ ସରକାର ଯୋଜନା କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳରେ ରହୁଥିବା ଗରିବ, ବସ୍ତିବାସିନ୍ଦା, ଅର୍ଥନୈତିକ ଓ ସାମାଜିକ ଦୁର୍ବଳ ବର୍ଗର ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ଘର ଯୋଗାଯାଉଛି । ଏଥି ମଧ୍ୟରୁ ଭୁବନେଶ୍ୱର ଓ ପୁରୀ ସହରରେ ସହରାଞ୍ଚଳ ଗରିବଙ୍କୁ ସର୍ବନିମ୍ନ ସେବା ଯୋଜନାରେ ଘର ମିଳିଥିବାବେଳେ ସମନ୍ୱିତ ଗୃହ ଏବଂ ବସ୍ତି ବିକାଶ ଯୋଜନାରେ ୩୫ଟି ସହରାଞ୍ଚଳରେ ଘର ଦିଆଯାଉଛି । ସେହିଭଳି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁର ସହରାଞ୍ଚଳରେ ରାଜୀବ ଆବାସ ଯୋଜନାରେ ଘର ମିଳୁଥିବାବେଳେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ରେ ଘର ଯୋଗାଣ ହେଉଛି ।
ତେବେ ରାଜୀବ ଗାନ୍ଧୀ ଆବାସ ଯୋଜନାରେ ୨୦୧୩ରୁ ବର୍ତ୍ତମାନ ସୁଦ୍ଧା ୬୧,୦୯୧ଟି ବାସଗୃହ ଯୋଗାଯାଇଥିବାବେଳେ ଏଥିପାଇଁ ୧୪୫୯କୋଟି ଟଙ୍କା ବ୍ୟୟ ହୋଇଛି । ଅନୁରୂପ ଭାବେ ରାଜୀବ ଆବାସ ଯୋଜନା କାର୍ଯ୍ୟକାରୀ ହେଉଥିବା ୪ଟି ପୌରାଞ୍ଚଳରେ ୪୭୭୩ଟି ବାସଗୃହ ଯୋଗାଯାଇଥିବାବେଳେ ଏଥିପାଇଁ ୩୫୯କୋଟି ଟଙ୍କା ବ୍ୟୟ ହୋଇଛି ।
୨୦୦୯ ରୁ ୨୦୧୫ ମଧ୍ୟରେ ଭୁବନେଶ୍ୱର ଓ ପୁରୀରେ ସହରାଞ୍ଚଳ ଗରିବଙ୍କୁ ମୌଳିବ ସେବା ଯୋଜନାରେ ୧୭୭୮ଟି ଘର ଯୋଗାଯାଇଛି । ଏ ବାବଦରେ ୪୬କୋଟି ୭୧ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଅନୁରୂପ ଭାବେ ସମନ୍ୱିତ ଗୃହ ନିର୍ମାଣ ଏବଂ ବସ୍ତିଉନ୍ନୟନ ଯୋଜନରେ ୧୧,୨୯୬ ଟି ଘର ଦିଆଯାଇଥିବାବେଳେ ଏ ବାବଦରେ ୧୭୧କୋଟି ୭୨ଲକ୍ଷ ଟଙ୍କା ବ୍ୟୟ ହୋଇଛି ।
୨୦୦୯ ରୁ ବର୍ତ୍ତମାନ ସୁଦ୍ଧା ଏହି ୪ଟି ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଗରିବ ଲୋକମାନଙ୍କୁ ପାଖାପାଖି ୭୯ହଜାର ବାସଗୃହ ଯୋଗାଣ ହୋଇଥିବାବେଳେ ଏ ବାବଦରେ ୨ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇସାରିଲାଣି । ଏହା ବାଦ୍ ବି ଆହୁରି ୩ଲକ୍ଷ ଲୋକ ଘର ପାଇବା ଅପେକ୍ଷାରେ ଥିବାରୁ କେଉଁ ଯୋଜନାରେ ସରକାର ଏମାନଙ୍କୁ କେବେ ସୁଦ୍ଧା ଘର ଯୋଗାଇବେ ତାହା ବଡ ପ୍ରଶ୍ନବାଚୀ ହୋଇଛି । କାରଣ ସହରାଞ୍ଚଳର ଜନସଂଖ୍ୟା ଦ୍ରୁତ ବେଗରେ ବଢୁଥିବାରୁ ଘର ପାଇବାରୁ ବଞ୍ଚିତଙ୍କ ସଂଖ୍ୟା ବି ବଢି ଚାଲିଛି ।