Home General ଘର ପାଇଁ ନୂଆ ନେତା ହରବର

ଘର ପାଇଁ ନୂଆ ନେତା ହରବର

ଭୁବନେଶ୍ୱର : ନିର୍ବାଚନ ହାରିଥିବା ବହୁ ବିଧାୟକ ଓ ପୂର୍ବତନ ମନ୍ତ୍ରୀମାନଙ୍କ ମଧ୍ୟରୁ ଅନେକ ସରକାରୀ ବାସଗୃହ ଛାଡିବାକୁ କୁନ୍ଥୁ କୁନ୍ଥୁ ହେଉଥିବାରୁ ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କୁ ରାଜଧାନୀରେ ବଙ୍ଗଳାଟିଏ ମିଳିପାରୁ ନାହିଁ । ଆଗାମୀ ଅଗଷ୍ଟମାସ ସୁଦ୍ଧା ଏହି ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ବଙ୍ଗଳା ପାଇବା ଘେନି ସନ୍ଦେହ ଉପୁଜିଛି ।

ବିଧି ବ୍ୟବସ୍ଥା ମୁତାବକ ମନ୍ତ୍ରୀତ୍ୱରୁ ବିଦା ହେବାପରେ ପୂର୍ବତନ ମନ୍ତ୍ରୀମାନେ ମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ବଙ୍ଗଳା ଖାଲି କରିଦେବାକଥା । କିନ୍ତୁ ବହୁ ପୂର୍ବତନ ମନ୍ତ୍ରୀ ବର୍ଷ ବର୍ଷ ଧରି ଏହି ବଡ ବଡ ବଙ୍ଗଳାଗୁଡିକ ମାଡି ବସିଛନ୍ତି । ସେହିପରି ମନ୍ତ୍ରୀ ଓ ବିଧାୟକମାନେ ସଭ୍ୟପଦ ଯିବାର ମାସକ ଭିତରେ ସେମାନଙ୍କ ସରକାରୀ କ୍ୱାଟର୍ସ ସବୁ ଖାଲି କରିବାକଥା । ଜୁନ୍‍ ଚାରି ତାରିଖରେ ବିଧାନସଭା ଫଳାଫଳ ପ୍ରକାଶ ପାଇଥିବା ଦୃଷ୍ଟିରୁ ଜୁଲାଇ ୪ତାରିଖ ପୂର୍ବରୁ କ୍ୱାଟର୍ସ ଖାଲି କରିବାପାଇଁ ବିଭାଗୀୟ କର୍ତ୍ତୃପକ୍ଷ ହାରିଥିବା ବିଧାୟକ ଓ ପୂର୍ବତନ ମନ୍ତ୍ରୀମାନଙ୍କୁ ନୋଟିସ୍‍ ଜାରି କରିସାରିଛନ୍ତି । ତେବେ କେତେକ ମନ୍ତ୍ରୀ ଓ ବିଧାୟକ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ଘର ଖାଲି କରିବାଲାଗି ଅଧିକ ସମୟ ଦେବାକୁ ଆବେଦନ କରିଛନ୍ତି ।

କେବଳ ମନ୍ତ୍ରୀ କି ବିଧାୟକ ନୁହନ୍ତି, ଗତ ସରକାର ସମୟରେ ଯେଉଁ ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସରକାରୀ ପଦ ପଦବୀରେ ନିଯୁକ୍ତି ପାଇବା ସହିତ ସରକାରୀ କ୍ୱାଟର୍ସ ପାଇଥିଲେ ସେମାନଙ୍କୁ ବି ଘର ଖାଲି କରିବାକୁ ପଡିବ । ଏମାନଙ୍କ ଛଡା ଆଉ କେତେଜଣ ସାଂସଦ ଦିଲ୍ଲୀରେ ସରକାରୀ କ୍ୱାଟର୍ସ ପାଇଥିବାବେଳେ ଭୁବନେଶ୍ୱରରେ ବି ଏକାଧିକ ବଙ୍ଗଳା ରଖିଛନ୍ତି । ଏମାନଙ୍କୁ ମଧ୍ୟ ଘର ଛାଡିବାକୁ ପଡିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ।

ଏଯାବତ୍‍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବଙ୍ଗଳାକୁ ଯାଇ ନାହାନ୍ତି । ସେ ବିଧାୟକଭାବେ ପୂର୍ବରୁ ପାଇଥିବା କ୍ୱାଟର୍ସକୁ ରଖିଥିବାବେଳେ ରାଜ୍ୟ ଅତିଥିଭବନରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଚଳାଉଛନ୍ତି । ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜଭବନଛକ ନିକଟରେ ଥିବା ତାଙ୍କ ଘରୁ କାମ କରୁଥିବାବେଳେ ପ୍ରଭାତୀ ପରିଡା ମଧ୍ୟ ଅସ୍ଥାୟୀ ଦପ୍ତରରେ କାମ କରୁଛନ୍ତି । ମନ୍ତ୍ରୀମାନଙ୍କ ମଧ୍ୟରୁ ଏଯାବତ୍‍ ଚାରି ଜଣ ସଚିବାଳୟ ସ୍ଥିତ ତାଙ୍କ ଦପ୍ତରକୁ ଆସୁଥିବାବେଳେ ଅନ୍ୟମାନଙ୍କ ଲାଗି ଦପ୍ତର ଆବଣ୍ଟନ ହୋଇଥିଲେ ମଧ୍ୟ ସେମାନଙ୍କ ମନଲାଖି ନବୀକରଣ କାର୍ଯ୍ୟ ଚାଲୁଥିବାରୁ ଏମାନେ ସଚିବାଳୟରେ କାମ ଆରମ୍ଭ କରିବା ବିଳମ୍ବ ହେଉଛି ।

ପୁରୁଣା ମନ୍ତ୍ରୀ ଓ ବିଧାୟକମାନେ ସରକାରୀ କ୍ୱାଟର୍ସ ଖାଲି କରିନଥିବାବେଳେ ନୂଆ ମନ୍ତ୍ରୀ ଓ ନୂଆ ବିଧାୟକମାନେ କିଏ କାହା କ୍ୱାଟର୍ସରେ ରହିବେ ସେଥିଲାଗି ସ୍ଥାନ ବାଛିବା ସହିତ ତାଙ୍କ ସପକ୍ଷରେ ନିର୍ଦ୍ଦିଷ୍ଟ କ୍ୱାଟର୍ସ ଆବଣ୍ଟନ କରିବାଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହୁଛନ୍ତି । ପୁରୁଣା ମନ୍ତ୍ରୀ ଓ ବିଦାୟୀ ବିଧାୟକମାନେ କ୍ୱାଟର୍ସ ଖାଲି କରିବାପରେ ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କ ବରାଦ ମୁତାବକ ଏଗୁଡିକର ନବୀକରଣ କରାଯିବ ଏବଂ ତାହାପରେ ଶୁଭବେଳା ଦେଖି ଏମାନେ ଗୃହ ପ୍ରବେଶ କରିବେ । ଏ ପରିପ୍ରେକ୍ଷୀରେ ଜୁଲାଇମାସ ଶେଷ ସୁଦ୍ଧା ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କ ସରକାରୀ ଗୃହ ପ୍ରବେଶ ସମ୍ଭବପର ହୋଇନପାରେ ।

ଏମଏଲ୍‍ଏ କଲୋନୀର ଫ୍ଲାଟ କ୍ୱାଟର୍ସଗୁଡିକୁ ଛାଡି ଦେଇ ଅନ୍ୟ ସବୁ ଏକ ମହଲା କ୍ୱାଟର୍ସଗୁଡିକ ତିନି ଚାରିବର୍ଷ ତଳୁ ଭାଙ୍ଗି ଦିଆଯାଇଛି । ଏଠାରେ ବିଧାୟକମାନଙ୍କ ପାଇଁ ଅତ୍ୟାଧୁନିକ ଫ୍ଲାଟ୍‍ ନିର୍ମାଣ ଚାଲିଛି । ଅନେକ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଏକାଧିକ କ୍ୱାଟର୍ସ ଅକ୍ତିଆରରେ ରଖିଥିବାବେଳେ ନୂଆ ମନ୍ତ୍ରୀ ଓ ବିଧାୟକମାନେ କ୍ୱାଟର୍ସ ନପାଇ ବାହାରେ ବୁଲୁଛନ୍ତି । (ତଥ୍ୟ)