Home General ଘର ତିଆରି ନିୟମ ମାନୁ ନାହାନ୍ତି

ଘର ତିଆରି ନିୟମ ମାନୁ ନାହାନ୍ତି

ଭୁବନେଶ୍ୱର : ଘର ଖଣ୍ଡେ କରିବାପାଇଁ ସରକାରଙ୍କ ଠାରୁ ରିହାତି ଦରରେ ପାଇଥିବା ଜମି ଏବଂ ନିଜସ୍ୱ ଜମି ଉପରେ ଘର ତିଆରି ପାଇଁ ଥିବା ସମୟ ଅବଧି କଟକଣାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳରେ ଅଧିକାଂଶ ମାନୁନାହାନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଜଣେ ଜଣେ ବ୍ୟକ୍ତି ଏକାଧିକ ଜମି ଉପରେ ଘରନକରି ତାହାର ଦର କଷୁଛନ୍ତି ।

ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ପାଉଥିବା ଜମି ଉପରେ ଲୋକେ ତିନି ବର୍ଷ ମଧ୍ୟରେ ଘର କରିବାର ନିୟମ ରହିଛି । ଏହି ସମୟ ମଧ୍ୟରେ ଘର ନକଲେ ବିଏମସି, ବିଡିଏ, ସାଧାରଣ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । ହେଲେ ତାହା ପ୍ରାୟତଃ ହେଉନାହିଁ । ତେଣୁ ସହରତଳି ଅଞ୍ଚଳ ସହିତ ପ୍ରମୁଖ ଅଞ୍ଚଳରେ ବର୍ଷ ବର୍ଷ ଧରି ମୁକୁଳା ହୋଇ ଜମିଗୁଡିକ ପଡି ରହିଛି । ଜମି ମାଲିକାମାନେ ଏଠାରେ ଘର କରିବା ବଦଳରେ ତାହାକୁ ଚଢା ଦରରେ ବିକ୍ରି କରିବାପାଇଁ ମୂଲଚାଲ କରୁଛନ୍ତି । ଫଳରେ ଏହି ମୁକୁଳା ଜମିଗୁଡିକ ଏବେ ସହରରେ ପ୍ରଦୂଷଣ ଓ ମଶାବଂଶ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ।

ଦେଶର ପ୍ରମୁଖ ସହରଗୁଡିକରେ ଜମି ପାଇବାର ବର୍ଷକ ମଧ୍ୟରେ ଲୋକେ ସେଠାରେ ଘର କରିବାକୁ ବାଧ୍ୟ । ନଚେତ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିଥାଏ । ଏପରିକି ସରକାରୀ ସଂସ୍ଥା ଜମି ଫେରାଇ ନେବାର ବ୍ୟବସ୍ଥା ରହିଛି । ହେଲେ ଏଠାରେ ସେଭଳି ନିୟମ ଥିଲେ ମଧ୍ୟ ତାହାକୁ କେହି ପାଳନ କରୁନାହାନ୍ତି । ଫଳରେ ସରକାରଙ୍କ ଠାରୁ ଶସ୍ତାରେ ପାଇଥିବା ଜମିକୁ ପକାଇ ରଖି ଲୋକେ କୋଟି କୋଟି ଟଙ୍କାରେ ବିକ୍ରି କରିଦେଉଛନ୍ତି ।

କେବଳ ସେତିକି ନୁହେଁ, ବିଡିଏ, ସାଧାରଣପ୍ରଶାସନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଯୋଗାଯାଇଥିବା ବାସପଯୋଗୀ ଜମି ଉପରେ କିଭଳି ଘର କରାଯିବ ସେଥିନେଇ କୌଣସି ନିୟମ ପାଳନ ହେଉନାହିଁ । ଏଥିଯୋଗୁଁ ଏବେ ସହରର ପ୍ରମୁଖ ଅଞ୍ଚଳ ବିଶେଷକରି ଶହୀଦନଗର, ବାପୁଜିନଗର, ଖାରବେଳନଗର, ନୟାପଲ୍ଲୀ, ଆଇଆରସିଭିଲେଜ, ସୂର୍ଯ୍ୟନଗର ଆଦି ଅଞ୍ଚଳରେ ଲୋକେ ନଜର ଜମିକୁ ଘର ସହିତ ବିଲ୍ଡରଙ୍କ ହାତରେ ଟେକି ଦେଉଛନ୍ତି । ବିଲ୍ଡରମାନେ ସେଠାରେ ଉଚ୍ଚ ଅଟ୍ଟାଳିକା ଛିଡାକରି ଚୁକ୍ତି ମୁତାବକ ସେଥିରୁ କେତୋଟି ଘର ଜମି ମାଲିକଙ୍କୁ ଦେଉଛନ୍ତି । ଅବଶିଷ୍ଟ ଘରକୁ ବିକ୍ରି କରି କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି ।

ଏଭଳି କାରବାରରୁ ସରକାରଙ୍କୁ ବିଶେଷ ରାଜସ୍ୱ ମିଳୁନଥିବାବେଳେ ସୁଉଚ୍ଚ ଅଟ୍ଟାଳିକା ଯୋଗୁଁ ସେଠାରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦେଖି ବିଜୁଳି, ଜଳଯୋଗାଣ, ସ୍ୱରେଜ ଆଦିର କଳେବର ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏଥି ସହିତ ଜନବସତି ଅଞ୍ଚଳରେ ବିଲ୍ଡରଙ୍କ ଅବାଧ ଉଚ୍ଚ ଅଟ୍ଟାଳିକା ନିର୍ମାଣ ଯୋଗୁଁ ସେହିସବୁ ସ୍ଥାନରେ ପୂର୍ବରୁ ଏକ ମହିଲା କିମ୍ବା ଦୁଇ ମହଲା ଘର କରି ରହିଥିବା ଲୋକଙ୍କ ଘରେ ସୂର୍ଯ୍ୟକିରଣ ପଡୁନାହିଁ କି ପବନ ଟିକେ ବାଜୁନାହିଁ । ବିଡିଏ ଠାରୁ ଆରମ୍ଭକରି ସାଧାରଣ ପ୍ରଶାସନ ବିଭାଗ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖୁଥିଲେ ମଧ୍ୟ ଏକ ପ୍ରକାର ନିରବଦ୍ରଷ୍ଟା ସାଜୁଛନ୍ତି ।

ରାଜଧାନୀ ଓ ଏହାର ଆଖପାଖରେ ଜମିର ମୂଲ୍ୟ ଏକ ଆକାଶଛୁଆ ହେଉଥିବାରୁ ଜଣେ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ କିଣି ତାହାକୁ ପକାଇ ରଖୁଛନ୍ତି । ଅଧିକାଂଶ କଳାଧନ ଏ କ୍ଷେତ୍ରରେ ବିନିଯୋଗ ହେବାରେ ଲାଗିଛି । ଯେହେତୁ ଘର ତିଆରିପାଇଁ ଥିବା ସମୟ କଟକଣାକୁ ସରକାର କଡାକଡି ଭାବେ ପାଳନ କରୁନାହାନ୍ତି ସେଥିପାଇଁ ସହରରେ ଏବେ ଜମିକର ଦର ଆକାଶଛୁଆଁ ହେବା ସହିତ ଏହା ଏକ ପ୍ରକାର ଯୋଜନାବିହୀନ ସହର ପାଲଟିବାରେ ଲାଗିଛି । (ତଥ୍ୟ)