ଭୁବନେଶ୍ୱର : ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା, ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କଲେ, ଅଥଚ ୧୮ବର୍ଷରେ ପଦାର୍ପଣ କରିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ନିଜସ୍ୱ ଘର ଖଣ୍ଡେ ତିଆରି ହୋଇ ପାରିଲା ନାହିଁ କିମ୍ବା ଏହି ପ୍ରତିଷ୍ଠାନକୁ ନିୟମିତ ନିର୍ଦ୍ଦେଶକ ଜଣେ ମିଳିଲେ ନାହିଁ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ବହୁ ଯୋଜନା ଘୋଷଣା କରାଯାଉଥିବାବେଳେ ବାର ଦ୍ୱାର ଶୁଣ୍ଢି ପିଣ୍ଡା ହେଉଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ନିୟମିତ କର୍ମଚାରୀ ନିଯୁକ୍ତ ନକରି ଠିକା କର୍ମଚାରୀଙ୍କ ଉପରେ ଭରସା ରଖି ଏହି ସଂସ୍ଥା କୌଣସି ପ୍ରକାରେ ବଞ୍ôଚଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଏବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି । ସେ ବହୁ ସଂସ୍ଥାର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି । ଏମିତିକି ରାଜ୍ୟ ସରକାରଙ୍କ ‘ଓଡ଼ିଶା ମୋ ପରିବାର’ ସଂସ୍ଥା ଦାୟିତ୍ୱରେ ମଧ୍ୟ ସେ ରହିଛନ୍ତି । ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ପାଠାଗାରଠାରୁ ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ, ଉର୍ଦ୍ଦୁ ଏକାଡେମୀ, ଲଳିତକଳା ଏକାଡେମୀ, ସଂସ୍କୃତି ବିଶ୍ୱବିଦ୍ୟାଳୟ ଆଦିର ବିଭିନ୍ନ କାର୍ଯ୍ୟକ୍ରମ ସମେତ ସଂସ୍କୃତି ନିର୍ଦ୍ଦେଶକଙ୍କୁ ନିଜ ନିର୍ଦ୍ଦେଶାଳୟର ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡୁଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ମୁଖିଆ ପଦବୀରେ ନିୟମିତ ଭାବେ କୌଣସି ଅଧିକାରୀ କାର୍ଯ୍ୟ କରୁନଥିବାବେଳେ ଏହି ସଂସ୍ଥାନ ଲାଗି ନିୟମିତ କର୍ମଚାରୀ ବି ନିଯୁକ୍ତି କରାଯାଉନାହିଁ । ଏଭଳି ବିଚିତ୍ର ବାତାବରଣ ଭିତରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ୧୮ବର୍ଷରେ ପାଦ ଦେଇଛି ।
ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରଖାଯାଇଥିଲା । ଗୋଟିଏ ସମୟରେ ୫ନଂ ୟୁନିଟ୍ର ବିଭାଗୀୟ ମୁଖ୍ୟ ଦପ୍ତର ପଛରେ ଥିବା ଜନଶିକ୍ଷା ସାଧନ କେନ୍ଦ୍ର ପରିସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ଦପ୍ତର ଚାଲୁଥିଲା । ପରବର୍ତ୍ତୀ ସମୟରେ ଏହି ସଂସ୍ଥାକୁ ସଂସ୍କୃତି ବିଭାଗ ଅଧିନକୁ ଅଣାଯିବା ସହିତ ଏହାର ଦପ୍ତରକୁ ରାଜ୍ୟ ସଂଗ୍ରହାଳୟ ନିକଟରେ ଥିବା ସଂସ୍କୃତି ଭବନକୁ ସ୍ଥାନାନ୍ତର କରାଯାଇଥିଲା । ବରିଷ୍ଠ ଅଧ୍ୟାପକ ଓ ଭାଷାବିତ୍ମାନଙ୍କୁ ପୂର୍ବରୁ ଭାଷା ପ୍ରତିଷ୍ଠାନର ପୂର୍ଣ୍ଣ ସମୟ ନିର୍ଦ୍ଦେଶକ ଦାୟିତ୍ୱରେ ରଖାଯାଉଥିଲା । ପରବର୍ତ୍ତୀ ସମୟରେ ସଂସ୍କୃତି ବିଭାଗର କିଛି ଅଧିକାରୀଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ଦିଆଯାଉଛି ।
ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନିର୍ମାଣ ପାଇଁ ରାଜ୍ୟ ସରକାର ଖାରବେଳନଗରର ରାଜ୍ୟ ଖଦିବୋର୍ଡ ପଛକୁ ଏକ ସରକାରୀ ଜମି ଦେବା ସହିତ ନିର୍ମାଣ କାର୍ଯ୍ୟ ଲାଗି ଅର୍ଥ ମଧ୍ୟ ବରାଦ କରିଥିଲେ । ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଅର୍ଥ ବ୍ୟାଙ୍କରେ ପଡି ରହିଛି । ଭାଷା ପ୍ରତିଷ୍ଠାନ ସୌଧର ନକ୍ସା ଓ ବଜେଟ୍କୁ ରାଜ୍ୟ ସରକାର ପ୍ରଶାସନିକ ମଞ୍ଜୁରୀ ମଧ୍ୟ ଦେଇଥିଲେ । ଏମିତିକି ମାଟି ପରୀକ୍ଷା କରାଯିବା ସହ ପ୍ଲାନ୍ ମୁତାବକ ଦପ୍ତର ନିର୍ମାଣ ଲାଗି ଟେଣ୍ଡର ପ୍ରକ୍ରିୟା ବି ହୋଇଥିଲା ।
ତେବେ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏହି କାମରେ ବ୍ରେକ୍ ଲଗାଇବା ପରଠାରୁ ତାହା ଆଉ ଆଗେଇ ପାରୁନାହିଁ । ଖାରବେଳ ଭବନରେ ଭାଷା ପ୍ରତିଷ୍ଠାନ କାମ କରିବ ବୋଲି ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏବେ ପୁଣି ବିକଳ୍ପ ସ୍ଥାନ ଖୋଜା ଚାଲିଛି । ଅବସ୍ଥା ଏଭଳି ହୋଇଛି ଯେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବର୍ଷ ବର୍ଷ ଧରି ବର୍ଣ୍ଣବୋଧ ବହି ଖଣ୍ଡେ ନିର୍ଭୁଲ ଭାବେ ଛାପି ପାରୁନାହିଁ । ୧୯୫୪ ମସିହାରେ ପ୍ରଣୀତ ଓଡ଼ିଶା ସରକାରୀ ଭାଷା ଆଇନକୁ ଏଯାବତ୍ ଠିକଣା ଭାବେ କାର୍ଯ୍ୟକାରୀ କରାଯାଇନାହିଁ ।
ଓଡ଼ିଆକୁ ଜୀବନ ଜୀବିକାର ଭାଷା ଭାବି ବ୍ୟବହାର କରିବା ସହ ଓଡ଼ିଆ ବିଦ୍ୟାଳୟଗୁଡିକର ବିକାଶ ଏବଂ ସରକାରୀ ଦପ୍ତର ଓ ଅଦାଲତ ଗୁଡିକରେ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ଏବଂ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କରେ ଓଡ଼ିଆରେ ସେମାନଙ୍କର ନାମ ଫଳକ ଲେଖିବା ପାଇଁ ବାରମ୍ବାର କର୍ତ୍ତୃପକ୍ଷ ଚେତାବନୀ ଦେଇ ଆସୁଛନ୍ତି ।
କିନ୍ତୁ ୧୮ବର୍ଷ ବୟସରେ ପଦାର୍ପଣ କରିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଭିତ୍ତିଭୂମି ଅଭାବ ଏବଂ ଏଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାପାଇଁ ପୂର୍ଣ୍ଣ ସମୟ କାମ କରିପାରୁଥିବା ନିୟମିତ ନିର୍ଦ୍ଦେଶକ ଓ ଦପ୍ତରର ନିୟମିତ କର୍ମଚାରୀ ଅଭାବରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଏବେ ଏକ ପ୍ରକାର ମୂମୁର୍ଷ ଅବସ୍ଥାରେ ରହିଛି ବୋଲି ବହୁ ଭାଷାପ୍ରେମୀ ଉଦ୍ବେଗର ସହ କହୁଛନ୍ତି । ତେବେ ଭାଷା ପ୍ରତିଷ୍ଠାନ ଇତି ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ସରକାରୀ ବାବୁମାନେ କହୁଛନ୍ତି । (ତଥ୍ୟ)