Home Election ଘର କୁ ଘର ସର୍ଭେ ପାଇଁ ପ୍ରସ୍ତୁତି

ଘର କୁ ଘର ସର୍ଭେ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭କୁ ସ୍ୱଚ୍ଛ, ନିର୍ଭୁଲ, ଅବାଧ ଓ ନାଗରିକ କେନ୍ଦ୍ରିକ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣରେ ରାଜ୍ୟର ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଆସିଷ୍ଟାଣ୍ଟ/ଡେପୁଟି କମିଶନର, କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ଏବଂ ବିଏଲଓ ସୁପରଭାଇଜରମାନେ ଯୋଗଦେଇଥିଲେ।

ଆଗାମୀ ନିର୍ବାଚନ ପୂର୍ବରୁ ନିର୍ବାଚନୀ ପ୍ରସ୍ତୁତି, ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ, କ୍ଷେତ୍ରସ୍ତରୀୟ ସର୍ଭେ, ନିର୍ବାଚନ ପରିଚାଳନା ଏବଂ ବିଭିନ୍ନ ପ୍ରଶାସନିକ ପ୍ରକ୍ରିୟା ସମ୍ପର୍କରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଓ ଦିଗଦର୍ଶନ ପ୍ରଦାନ କରାଯାଇଥିଲା।

ରାଜ୍ୟ ନିର୍ବାଚନ ଆୟୁକ୍ତ ଆଗାମୀ ସାଧାରଣ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ, ଅଦ୍ୟତନ ଏବଂ ନାଗରିକ କେନ୍ଦ୍ରିକ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ। ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ ସଠିକତା, ପାରଦର୍ଶିତା ଓ ଦାୟିତ୍ୱବୋଧକୁ ପ୍ରାଥମିକତା ଦେବା ସହିତ ନାଗରିକମାନଙ୍କୁ ସହଜ ଓ ସୁବିଧାଜନକ ଭାବେ ନିର୍ବାଚନୀ ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଘରକୁ ଘର ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ ଓ ଅଦ୍ୟତନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରେ ସାମିଲ ହେବାରୁ ବାଦ ନପଡ଼ନ୍ତି, ସେଥିପାଇଁ କ୍ଷେତ୍ରସ୍ତରରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆୟୁକ୍ତ ପରାମର୍ଶ ଦେଇଥିଲେ। ଏଥିସହିତ ଭୋଟର ତାଲିକାରେ ଥିବା ନାମ, ଠିକଣା କିମ୍ବା ଅନ୍ୟାନ୍ୟ ବିବରଣୀର ତ୍ରୁଟି ସଂଶୋଧନ, ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା, ଅଯୋଗ୍ୟ କିମ୍ବା ଅନୁପସ୍ଥିତ ଭୋଟରଙ୍କ ସମ୍ପର୍କରେ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ଏବଂ ଭୋଟର ତାଲିକାର ଗୁଣାତ୍ମକ ମାନ ନିଶ୍ଚିତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ରାଜ୍ୟ ନିର୍ବାଚନ ଆୟୁକ୍ତ କହିଥିଲେ ଯେ, ଏକ ସୁସ୍ଥ ଓ ସମାବେଶୀ ନିର୍ବାଚନ ପ୍ରକ୍ରିୟା ପାଇଁ ଭୋଟର ତାଲିକାର ସଠିକତା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନିଜ ଅଞ୍ଚଳରେ ଘରକୁ ଘର ସର୍ଭେ କରି ଭୋଟର ତାଲିକାକୁ ଯାଞ୍ଚ କରିବା ସହିତ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରି ନିୟମାନୁସାରେ ତାଲିକାରେ ସାମିଲ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ।

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜିଲ୍ଲା ଓ ବ୍ଲକସ୍ତରରେ ସମ୍ପୃକ୍ତ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକୁ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ସହିତ କ୍ଷେତ୍ରସ୍ତରରେ ଆସୁଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଅଧିକାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା।