ଭୁବନେଶ୍ୱର : ନିଜ ନିଜ ଘର ପାଖରେ ଥିବା ପ୍ରାଥମିକ ସରକାରୀ ବିଦ୍ୟାଳୟଗୁଡିକ ବନ୍ଦହୋଇଯିବା ଫଳରେ ଗାଁ ଗହଳର ଛାତ୍ରଛାତ୍ରୀମାନେ ଏବେ ଘରୋଇ ବିଦ୍ୟାଳୟ ମୁହାଁ ହୋଇଛନ୍ତି । ସରକାର ଯଦି ଛାତ୍ରଛାତ୍ରୀଙ୍କ ସଂଖ୍ୟାବୃଦ୍ଧିକୁ ଦେଖି ଏଗୁଡିକୁ ପୁନଃ କାର୍ଯ୍ୟକ୍ଷମ ନକରନ୍ତି ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରାଯାଉଛି ।
ଯେଉଁସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ତଳକୁ ଖସିଲା ସେହିସବୁ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦିଆଗଲା । ଅର୍ଥାତ୍ କମ୍ ପିଲା ଥିବା ବିଦ୍ୟାଳୟରେ ତାଲା ଝୁଲାଇ ଦିଆଗଲା । ଏହିଭଳି ଭାବେ ରାଜ୍ୟରେ ୪୬୧୯ଟି ବିଦ୍ୟାଳୟକୁ ବନ୍ଦକରି ଦିଆଯାଇଛି ।
ତେବେ ଯେଉଁସବୁ ବିଦ୍ୟାଳୟଗୁଡିକ କମ୍ ପିଲାଙ୍କ ପାଇଁ ବନ୍ଦ ହେଲା ସେଠାରେ ଥିବା ଅବଶିଷ୍ଟ ଛାତ୍ରଛାତ୍ରୀ ନିକଟସ୍ଥ ବିଦ୍ୟାଳୟକୁ ଯିବାପାଇଁ ପରାମର୍ଶ ଦିଆଗଲା । ତେବେ ଯେଉଁଠାରେ ବିଦ୍ୟାଳୟ ଦୂରରେ ରହିଲା ସେଠାକୁ ନିଜ ନିଜ ପିଲାଙ୍କୁ ଛାଡିବାକୁ ଅଭିଭାବକ ରାଜି ହେଲେନାହିଁ । ବରଂ ନିକଟରେ ଥିବା ଘରୋଇ ବିଦ୍ୟାଳୟକୁ ପଠାଇଲେ ।
ତେବେ ବନ୍ଦହୋଇଥିବା ବିଦ୍ୟାଳୟରେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଧାର୍ଯ୍ୟ ସୀମାଠାରୁ ଅଧିକ ହୋଇଥିଲେ ମଧ୍ୟ ତାହା ପୁନଃ ଖୋଲିବା ଏତେ ସହଜ ହେଉନାହିଁ । ବର୍ତ୍ତମାନସୁଦ୍ଧା ଏହିଭଳି ଭାବେ ୪୬ଟି ବିଦ୍ୟାଳୟ ପୁନଃ ଖୋଲିଥିବାବେଳେ ସେଥି ମଧ୍ୟରେ ଢେଙ୍କାନାଳର ୨୨ଟି ଓ ଦେବଗଡର ୧୦ଟି ବିଦ୍ୟାଳୟ ରହିଛି । ବରଗଡର ୭, ଯାଜପୁରର ୪ ଓ ଖୋରଧାର ୩ଟି ବିଦ୍ୟାଳୟ ମଧ୍ୟ ଖୋଲିଛି ।
ବହୁ ସ୍ଥାନରେ ନିଜ ନିଜ ଘର ପାଖରେ ଥିବା ବିଦ୍ୟାଳୟକୁ ପୁନଃ ଖୋଲିବାପାଇଁ ଅଭିଭାବକଙ୍କ ଠାରୁ ଆରମ୍ଭ କରି ଗାଁ ଲୋକେ ଧାଁ ଦଉଡ କରୁଥିଲେ ମଧ୍ୟ ସେଥିରେ ସଫଳ ହୋଇପାରୁ ନାହାନ୍ତି । ଫଳରେ ସରକାରୀ ବିଦ୍ୟାଳୟର ଆଶା ଛାଡି ଅନେକ ଅଭିଭାବକ ନିଜ ଘର ନିକଟରେ ଥିବା ଘରୋଇ ବିଦ୍ୟାଳୟକୁ ପିଲାଙ୍କୁ ପଠାଇ ଖର୍ଚ୍ଚାନ୍ତ ହେବାରେ ଲାଗିଛନ୍ତି । ଗୋଟିଏ ପଟେ ଅଭିଭାବକମାନେ ଖର୍ଚ୍ଚାନ୍ତ ହେଉଥିବାବେଳେ ଅନ୍ୟପଟେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ଭଳି ବହୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।
ପିଲାଙ୍କ ଉପସ୍ଥାନ କମ୍ ଯୋଗୁଁ ବନ୍ଦ ହୋଇଥିବା ବିଦ୍ୟାଳୟରେ ନୂଆ ଶିକ୍ଷାବର୍ଷରେ କେତେ ପିଲା ନାମ ଲେଖାଇବାକୁ ଚାହୁଁଛନ୍ତି ଏବଂ ସେମାନଙ୍କ ସଂଖ୍ୟା ଧାର୍ଯ୍ୟ ସୀମାଠାରୁ ଅଧିକ କି କମ୍ ସେ ସଂକ୍ରାନ୍ତରେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପ୍ରକାର ସର୍ଭେ ହେଉନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏ ନେଇ ସୂଚନା ସଂଗ୍ରହ କରୁନଥିବାବେଳେ ଗାଁ ଲୋକେ ଏକତ୍ର ହୋଇ ପିଲାଙ୍କ ତାଲିକା ପ୍ରସ୍ତୁତ କରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟକୁ ଦଉଡୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ଫଳରେ ଗାଁ ଗହଳରେ ବନ୍ଦ ହୋଇଥିବା ବିଦ୍ୟାଳୟଗୁଡିକ ଏକ ପ୍ରକାର ଭୂତକୋଠି ପାଲଟୁଥିବାବେଳେ ଘରୋଇ ବିଦ୍ୟାଳୟର କଳେବର ବଢିବାରେ ଲାଗିଛି । (ତଥ୍ୟ)
 
            
