Home General ଘରୋଇ ସଂସ୍ଥା ଉପରେ ପ୍ରଶ୍ନବାଚୀ

ଘରୋଇ ସଂସ୍ଥା ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର : ମଶା ବଂଶ ବୃଦ୍ଧି ପାଇଁ ରାଜଧାନୀରେ ଡେଙ୍ଗୁ ଅଣାୟତ ହେଉଥିବାବେଳେ ସହରର ସଫେଇ ଦାୟିତ୍ୱରେ ଥିବା ସଂସ୍ଥାର କାର୍ଯ୍ୟ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ସହର ସଫେଇ ବାବଦରେ ବିଏମ୍‍ସି ଠାରୁ ଏମାନେ କୋଟି କୋଟି ଟଙ୍କା ନେଉଥିବାବେଳେ ରାଜଧାନୀରେ ମଶାବଂଶ କମିବା ବଦଳରେ କିନ୍ତୁ ବଢି ବଢି ଚାଲିଛନ୍ତି ।

ରାଜଧାନୀରୁ କଠିନ ବର୍ଜ୍ୟବସ୍ତୁ ଉଠାଇବା ସହିତ ସଫାସୁତୁରା ରଖିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କେତେକ ସଫେଇ ସଂସ୍ଥାଙ୍କୁ ନିଯୁକ୍ତ କରିଛି । ଏଥି ମଧ୍ୟରେ ରାଜ୍ୟ ଭିତର ଓ ବାହାରର ସଂସ୍ଥା ଥିବାବେଳେ ଏମାନଙ୍କ ପିଛା ବର୍ଷକୁ ୭୫ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହେଉଛି । ଏହାବାଦ୍‍ ତରଳ ବର୍ଜ୍ୟ ସଫେଇ କାର୍ଯ୍ୟ ବି ବିଭିନ୍ନ ସଂସ୍ଥାଙ୍କୁ ଦିଆଯାଇଛି । ତେବେ ସହର ସଫେଇ ଠିକଣା ଭାବେ ହେଉନଥିବାରୁ ମଶାବଂଶ ବୃଦ୍ଧି ପାଉଥିବାବେଳେ ଏହି ସଂସ୍ଥାମାନଙ୍କୁ କିନ୍ତୁ କେହି ଉତ୍ତରଦାୟୀ କରୁନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ସର୍ବାଧିକ ୨୦ଟି ୱାର୍ଡର ସଫେଇ କାର୍ଯ୍ୟ ଆୱାର ଲ୍ୟାଣ୍ଡ ଇଞ୍ଜିନିୟରିଂ ସଂସ୍ଥା ହାତରେ ଦିଆଯାଇଛି । ଏହି ସଂସ୍ଥା ବାର୍ଷିକ ୧୬ କୋଟିରୁ ଅଧିକ ଟଙ୍କା ନେଉଛି । ସେହିଭଳି ୮ଟି ୱାର୍ଡର ସଫେଇ କାର୍ଯ୍ୟ ନେଇଥିବା ଜାଗୃତି ୱେଲଫାର ସଂସ୍ଥା ବର୍ଷକୁ ପ୍ରାୟ ସାଢେ ୧୦ କୋଟି ଟଙ୍କା ନେଉଥିବାବେଳେ ୭ଟି ୱାର୍ଡର ସଫେଇ କାର୍ଯ୍ୟ ପାଇଥିବା ପ୍ରତ୍ୟୁଷ ସଂସ୍ଥା ବାର୍ଷିକ ସାଢେ ୭କୋଟି ଟଙ୍କାରୁ ଅଧିକ ନେଉଛି ।

ସେହିଭଳି ୬ଟି ୱାର୍ଡର ସଫେଇ କାର୍ଯ୍ୟ ଗ୍ରିନ ସର୍କଲ ଏନଭାର୍ଣ୍ଣମେଣ୍ଟ ସଂସ୍ଥା ପାଇଥିବାବେଳେ ଏହାକୁ ବାର୍ଷିକ ୪.୪୨୩ କୋଟି ଟଙ୍କା ଦିଆଯାଉଛି । ଆଉ ୩ଟି ୱାର୍ଡର ସଫେଇ କାର୍ଯ୍ୟ ପାଇଛି ହର୍ଷବର୍ଦ୍ଧନ ରେଡ୍ଡି ନାମ ସଂସ୍ଥା । ଏହି ସଂସ୍ଥା ବାର୍ଷିକ ପ୍ରାୟ ସାଢେ ୧୦ କୋଟି ଟଙ୍କା ନେଉଛି । ଏହି ସମସ୍ତ ସଂସ୍ଥାଙ୍କର ପ୍ରମୁଖ କାର୍ଯ୍ୟ ହେଉଛି ରାଜଧାନୀକୁ ସଫା ସୁତୁରା ରଖିବା ।

ତେବେ ଯାହା ଲକ୍ଷ୍ୟ କରାଯାଉଛି ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବ ତୁଳନାରେ ସଫେଇ କାମରେ କମ୍‍ ସଂଖ୍ୟକ ମାନବ ସମ୍ବଳ ମୁତୟନ କରୁଛନ୍ତି । ଏପରିକି ପୂର୍ବଭଳି ଆଉ ଡାଳପତ୍ରକୁ ବି ଉଠାଉ ନାହାନ୍ତି । ସବୁଜ ବର୍ଜ୍ୟ ଉଠାଇବାପାଇଁ ବିଏମ୍‍ସି ଅର୍ଥ ପଇଠ ବ୍ୟବସ୍ଥା କରିବାପରେ ଏହି ଘରୋଇ ସଂସ୍ଥାମାନେ କେବଳ ଝାଡୁମାରି ଅଳିଆ ଉଠାଇବା କାର୍ଯ୍ୟ କରୁଛନ୍ତି । ଫଳରେ ବହୁ ସ୍ଥାନରେ ସବୁଜ ବର୍ଜ୍ୟଗୁଡିକ ରାସ୍ତାକଡରେ ବହୁଦିନ ଧରି ପଡି ରହୁଛି ।

ଅନ୍ୟ ପକ୍ଷରେ ରାଜଧାନୀରୁ ଦୈନିକ ବାହାରୁଥିବା ପ୍ରାୟ ପାଞ୍ଚଶହ ଟନ୍‍ର ଆବର୍ଜନା ସହରର ଏକାଧିକ ସ୍ଥାନରେ ଗଦାହୋଇ ରହିବା ଫଳରେ ମଶାବଂଶ ବୃଦ୍ଧିରେ ଏହା ବେଶ୍‍ ସହାୟକ ହେଉଛି । ପୂର୍ବରୁ ଥିବା ଡଷ୍ଟବିନ୍‍ଗୁଡିକ ଉଠାଇ ନିଆଯିବା ପରେ ଏବେ ରାସ୍ତାକଡରେ ଆବର୍ଜନା ଗଦା ହେଉଛି । ଫଳରେ ସହରର ଏକାଧିକ ସ୍ଥାନ ଏବେ ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି । ଜନବସତି ଅଞ୍ଚଳରେ ଏଭଳି ଆବର୍ଜନା ଗଦାକୁ ଲୋକେ ନାପସନ୍ଦ କରୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି ।

ମୋଟାମୋଟି ଭାବେ ସହରରେ ମଶା ବଂଶ ବୃଦ୍ଧି ଯୋଗୁଁ ଡେଙ୍ଗୁ ପ୍ରାର୍ଦୁଭାବ ବୃଦ୍ଧି ପାଉଥିବାବେଳେ ଘରୋଇ ସଫେଇ ସଂସ୍ଥାର କାର୍ଯ୍ୟ ସମୀକ୍ଷା କରାଯିବା ଜରୁରୀ ହୋଇ ପଡିଛି । କାରଣ ରାଜଧାନୀର ମୋଟ୍‍ ୬୭ଟି ୱାର୍ଡ ମଧ୍ୟରୁ ୪୪ଟିର ସଫେଇ ଦାୟିତ୍ୱରେ ଘରୋଇ ସଂସ୍ଥାମାନେ ରହିଛନ୍ତି । ଏହିସବୁ ସଂସ୍ଥା ବିଏମ୍‍ସି ଠାରୁ କୋଟି କୋଟି ଟଙ୍କା ନେଉଥିବାବେଳେ ସହରରେ ମଶାବଂଶ କମିବା ପରିବର୍ତ୍ତେ ବଢୁଥିବା ଏବେ ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି । (ତଥ୍ୟ)