Home Education ଘରୋଇ ବିଦ୍ୟାଳୟରେ ବଢୁଛନ୍ତି ଛାତ୍ରଛାତ୍ରୀ

ଘରୋଇ ବିଦ୍ୟାଳୟରେ ବଢୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ମନଲୋଭା ମାଗଣା ଯୋଜନା ସତ୍ୱେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ଷକୁ ବର୍ଷ କମୁଥିବାବେଳେ ଘରୋଇ ବିଦ୍ୟାଳୟରେ ଏମାନଙ୍କ ସଂଖ୍ୟା ତାଳଦେଇ ବଢିବାରେ ଲାଗିଛି । ସରକାରୀ ବିଦ୍ୟାଳୟରେ କେବଳ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁନାହିଁ, ସରକାରୀ ବିଦ୍ୟାଳୟର ସଂଖ୍ୟା ବି କମିବାରେ ଲାଗିଛି ।

ସରକାରୀ ସୂଚନାରୁ ଜଣାଯାଇଛି ଯେ ୨୦୨୨-୨୩ ବର୍ଷ ବେଳକୁ ରାଜ୍ୟରେ ୫୪,୬୭୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଥିବାବେଳେ ଏଥିରେ ୬୧,୨୨,୫୧୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ରାଜ୍ୟର ମୋଟ୍‍ ଛାତ୍ରଛାତ୍ରୀଙ୍କର ୮୧ ପ୍ରତିଶତ । ଏହା ପରବର୍ଷ ଅର୍ଥାତ୍‍ ୨୦୨୩-୨୪ ବର୍ଷରେ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୧ଲକ୍ଷ ତଳକୁ ହ୍ରାସ ପାଇଥିବାବେଳେ ବିଦ୍ୟାଳୟ ସଂଖ୍ୟା ମଧ୍ୟ ୫୪,୪୬୮କୁ କମିଥିଲା ।

୨୦୨୪-୨୫ ବର୍ଷରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙକ ସଂଖ୍ୟା ୬୦ଲକ୍ଷ ତଳକୁ ହ୍ରାସ ପାଇଥିବାବେଳେ ବିଦ୍ୟାଳୟ ସଂଖ୍ୟା ୫୪,୩୮୨କୁ କମି ଆସିଛି । ସେହିଭଳି ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମୋଟ୍‍ ହାର ମଧ୍ୟ ୭୯ ପ୍ରତିଶତକୁ ଆସିଛି ।

ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ଷକୁ ବର୍ଷ କମୁଥିବାବେଳେ ଘରୋଇ ବିଦ୍ୟାଳୟରେ କିନ୍ତୁ ଏମାନଙ୍କ ସଂଖ୍ୟା ବଢି ଚାଲିଛି । ୨୦୨୨-୨୩ ବର୍ଷରେ ରାଜ୍ୟର ଥିବା ୭୨୧୬ଟି ଘରୋଇ ଏବଂ ଅନ୍ୟାନ୍ୟ ବିଦ୍ୟାୟରେ ୧୪,୧୦,୮୨୦ ଜଣ ଛାତ୍ରଛାତ୍ରୀ ପଢୁଥିଲେ । ଏମାନଙ୍କ ସଂଖ୍ୟା ରାଜ୍ୟର ମୋଟ୍‍ ଛାତ୍ରଛାତ୍ରୀଙ୍କର ୧୯ ପ୍ରତିଶତ ରହିଥିଲା । ତେବେ ୨୦୨୩-୨୪ ବର୍ଷରେ ଘରୋଇ ବିଦ୍ୟାଳୟ ସଂଖ୍ୟା ୭୧୨୮କୁ ହ୍ରାସ ପାଇଥିବାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କିନ୍ତୁ ୧୪,୯୫,୨୫୭ ରେ ପହଞ୍ଚିଥିଲା । ୨୦୨୪-୨୫ରେ ଘରୋଇ ବିଦ୍ୟାଳୟ ସଂଖ୍ୟା ୭୦୮୫ରେ ପହଞ୍ଚିଥିବାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୫ଲକ୍ଷ ୬୦ହଜାରର ନିକଟବର୍ତ୍ତୀ ହୋଇଥିଲା ।

ସରକାରୀ ବିଦ୍ୟାଳୟରେ ଅଧାରୁ ପାଠପଢା ଛାଡୁଥିବା ପିଲାଙ୍କୁ ନେଇ ସରକାର ଚିନ୍ତାରେ ପଡିବା ସହିତ ପିଲାମାନଙ୍କୁ ବୁଝାଇ ସୁଝାଇ ସରକାରୀ ବିଦ୍ୟାଳୟକୁ ଆଣୁଥିବାବେଳେ ଘରୋଇ ବିଦ୍ୟାଳୟରେ କାହିଁକି ପିଲାଙ୍କ ସଂଖ୍ୟା ବଢୁଛି ତାହାର କିନ୍ତୁ ସମୀକ୍ଷା କରୁନାହିଁ । ସରକାରୀ ବିଦ୍ୟାଳୟର ସମସ୍ତ ପ୍ରକାର ଉନ୍ନତ ଭିତ୍ତିଭୂମି, ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହିତ ମଧ୍ୟାହ୍ନଭୋଜନ, ମାଗଣା ପାଠ୍ୟପୁସ୍ତକ, ମାଗଣା ସାଇକେଲ, ଛାତ୍ରବୃତ୍ତି ଆଦି ଯୋଗାଇ ଦିଆଯାଉଛି । ଏହା ସତ୍ୱେ ବି ଅଭିଭାବକମାନେ ସେମାନଙ୍କ ମୋଟା ଅଙ୍କର ଅର୍ଥ ଖର୍ଚ୍ଚକରି ସେମାନଙ୍କ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ପଢାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

କମ୍‍ ସଂଖ୍ୟକ ଉପସ୍ଥାନ ଯୋଗୁଁ ରାଜ୍ୟ ସରକାର ୫ହଜାରରୁ ଅଧିକ ସରକାରୀ ବିଦ୍ୟାଳୟରେ ତାଲା ଝୁଲାଇଥିବାବେଳେ ବହୁ କଷ୍ଟରେ ସେଥିରୁ ୪୬ଟିର ତାଲା ଖୋଲିଛନ୍ତି । ନିଜ ଘର ପାଖରୁ ସରକାରୀ ବିଦ୍ୟାଳୟ ବନ୍ଦ ଯୋଗୁଁ କିଛି ପିଲା ଅନିଚ୍ଛା ସତ୍ୱେ ଘରୋଇ ସ୍କୁଲ ଯାଉଥିବା ବି ଶିକ୍ଷାବିତ୍‍ମାନେ ମତ ଦେଉଛନ୍ତି । ତେଣୁ ରାଜ୍ୟ ସରକାର କାଳ ବିଳମ୍ବ ନକରି ଘରୋଇ ବିଦ୍ୟାଳୟ ମୁହାଁ ହେଉଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସଂକ୍ରାନ୍ତରେ ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)