ଭୁବନେଶ୍ୱର : ରାଜ୍ୟରେ ଥିବା ଘରୋଇ ନିଦାନ କେନ୍ଦ୍ରଗୁଡିକ ଉପରେ ସରକାରଙ୍କର କର୍ତ୍ତୃତ୍ୱ ପ୍ରାୟତଃ ଶୂନ । ଫଳରେ ଛତୁ ଫୁଟିଲା ଭଳି ନିଦାନ କେନ୍ଦ୍ର ଗଢିବା ସହିତ ରୋଗୀଙ୍କ ଠାରୁ ମନଇଚ୍ଛା ଅର୍ଥ ଆଦାୟ କରୁଥିବାବେଳେ ବେଳେ ବେଳେ ଭୁଲ୍ ରିପୋର୍ଟ ଦେଇ ରୋଗୀଙ୍କ ଜୀବନ ସହିତ ଖେଳ ବି ଖେଳୁଛନ୍ତି ।
ରାଜ୍ୟରେ ପାଖପାଖି ହଜାରେ ଘରୋଇ ଡାକ୍ତରଖାନା ଥିବାବେଳେ ଏହାଠାରୁ ବହୁଗୁଣିତ ନିଦାନ କେନ୍ଦ୍ର ରହିଛି । ବିଶେଷକରି ସରକାରୀ ଡାକ୍ତରଖାନା ଆଖପାଖରେ ଏହାର ସଂଖ୍ୟା ଅଧିକ ଥିବାବେଳେ କେତେକ ଘରୋଇ ଡାକ୍ତରଖାନାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଦାନ କେନ୍ଦ୍ର ଖୋଲିଛି । ତେବେ ଅଧିକାଂଶ ଘରୋଇ ଡାକ୍ତରଖାନା ନିଜସ୍ୱ ନିଦାନ କେନ୍ଦ୍ର ଖୋଲିଛନ୍ତି । ହେଲେ ଏହିସବୁ ନିଦାନ କେନ୍ଦ୍ରରେ କେଉଁମାନେ ରୋଗୀଙ୍କ ନମୂନା ପରୀକ୍ଷା କରୁଛନ୍ତି ତାହାର ହିସାବ ସରକାରଙ୍କ ପାଖରେ ନାହିଁ । ଜଣେ ଚିକିତ୍ସକଙ୍କ ଡିଜିଟାଲ ଦସ୍ତଖତରେ ରୋଗୀଙ୍କୁ ପରୀକ୍ଷା ରିପୋର୍ଟ ଧରାଇ ଦିଆଯାଉଛି ।
ସୂଚନା ଅନୁଯାୟୀ ଅଧିକାଂଶ ନିଦାନ କେନ୍ଦ୍ର ଅଳ୍ପ ପଇସାରେ ତାଲିମ ନେଉଥିବା ପିଲାଙ୍କୁ ନିଯୁକ୍ତ କରୁଛନ୍ତି । ଏମାନେ କରୁଥିବା ପରୀକ୍ଷାର ରିପୋର୍ଟଙ୍କୁ ଜଣେ ବିଶେଷଜ୍ଞଙ୍କ ଦସ୍ତଖତ ଥିବା ପ୍ୟାଡ୍ରେ ରୋଗୀଙ୍କୁ ଧରାଇ ଦିଆଯାଉଛି । ଡାକ୍ତରମାନେ ଏହି ରିପୋର୍ଟ ଆଧାରରେ ଚିକିତ୍ସା କରୁଛନ୍ତି । ତେବେ ଅଧିକାଂଶ ସମୟରେ କର୍କଟ, ହେପାଟାଇଟସ୍ ଭଳି ଚିକିତ୍ସା ରିପୋର୍ଟକୁ ନେଇ ଦ୍ୱନ୍ଦ ଉପୁଜିବା ସହିତ ରୋଗୀଟି ଭୟଭୀତ ହୋଇ ଏକାଧିକ ସ୍ଥାନରେ ନିଜର ନମୂନା ପରୀକ୍ଷା କରି ଖର୍ଚ୍ଚାନ୍ତ ହେଉଛି । ବେଳେବେଳେ ମୂଳ ରିପୋର୍ଟ ଭୁଲ୍ ବି ପ୍ରମାଣିତ ହେଉଛି ।
ହେଲେ ଭୁଲ୍ ରିପୋର୍ଟ ଦେଇଥିବା ନିଦାନ କେନ୍ଦ୍ର ବିରୁଦ୍ଧରେ ରୋଗୀମାନେ ଅଭିଯୋଗ କରିବା କିମ୍ବା ଥାନାକୁ ଯିବା ବଦଳରେ ନିଜର ଅସୁସ୍ଥତା ଯୋଗୁଁ କାନମୁଣ୍ଡା ଆଉଁସି ରହୁଛନ୍ତି ।
ସେହିଭଳି ସମାନ ପରୀକ୍ଷାପାଇଁ ଗୋଟିଏ ସ୍ଥାନରେ ଗଢି ଉଠିଥିବା ଘରୋଇ ନିଦାନ କେନ୍ଦ୍ରଗୁଡିକ ଭିନ୍ନ ଭିନ୍ନ ଦର ନେଉଛନ୍ତି । ଏହା ଫଳରେ ଗରିବ ରୋଗୀମାନେ ଶୋଷଣର ଶିକାର ହେଉଛନ୍ତି । ସରକାରୀ ଡାକ୍ତରଖାନାଗୁଡିକରେ ଯଦିଓ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ମାଗଣାରେ ହେଉଛି ତଥାପି ତୁରନ୍ତ ରିପୋର୍ଟ ପାଇବା ଏବଂ କେତେକ କ୍ଷେତ୍ରରେ ଦଲାଲଙ୍କ ହାବୁଡରେ ପଡି ରୋଗୀମାନେ ଘରୋଇ ନିଦାନ କେନ୍ଦ୍ର ମୁହାଁ ହେଉଛନ୍ତି ।
ତେଣୁ ରାଜ୍ୟ ସରକାର ଘରୋଇ ନିଦାନକେନ୍ଦ୍ରଗୁଡିକୁ ଅନୁମତି ଦେବାବେଳେ ନିଦାନ କେନ୍ଦ୍ରର ବିଶେଷଜ୍ଞ, ପରୀକ୍ଷା କରୁଥିବା ଟେକ୍ନିସିଆନ ଆଦିଙ୍କ ନାମ ନିଦାନକେନ୍ଦ୍ର ବାହାରେ ସ୍ପଷ୍ଟଭାବେ ଉଲ୍ଲେଖ କରିବା ସହିତ କେଉଁ ପରୀକ୍ଷାପାଇଁ ସର୍ବାଧିକ କେତେ ଅର୍ଥ ନିଆଯାଇ ପାରିବ ତାହା ମଧ୍ୟ ଉଲ୍ଲେଖ କରିବାପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏଥି ସହିତ ସରକାରୀ ଡାକ୍ତରଖାନା ଆଖପାଖରେ ଗଢି ଉଠିଥିବା ଘରୋଇ ନିଦାନ କେନ୍ଦ୍ରକୁ ରୋଗୀମାନେ କାହିଁକି ଯାଉଛି ତାହାର ମଧ୍ୟ ତଦନ୍ତ କରାଇବାକୁ ମତପ୍ରକାଶ ପାଉଛି ।
ସେହିଭଳି ଘରୋଇ ନିଦାନ କେନ୍ଦ୍ରକୁ ରୋଗୀମାନଙ୍କୁ ପଠାଉଥିବା କିମ୍ବା ଯିବାପାଇଁ ପ୍ରୋତ୍ସାହିତ କରୁଥିବା ଚିକିତ୍ସକମାନଙ୍କ ଉପରେ କଡା ନଜର ରଖିବାପାଇଁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ମଧ୍ୟ ଦାବି ହେଉଛି । (ତଥ୍ୟ)