Home Health ଘରୋଇ ଡାକ୍ତରଖାନାରେ ଚିକିତ୍ସା ବଢୁଛି

ଘରୋଇ ଡାକ୍ତରଖାନାରେ ଚିକିତ୍ସା ବଢୁଛି

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)ର ହିତାଧିକାରୀ ଘରୋଇ ଡାକ୍ତରଖାନାରେ ଅଧିକରୁ ଅଧିକ ସଂଖ୍ୟାରେ ଚିକିତ୍ସିତ ହେଉଛନ୍ତି । ୨୦୧୯ ମସିହାରେ ୩୩ହଜାର କାର୍ଡଧାରୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାବେଳେ ଗତବର୍ଷ ଏମାନଙ୍କ ସଂଖ୍ୟା ୩ ଲକ୍ଷକୁ ଟପିଯାଇଛି ।

ରାଜ୍ୟରେ ୪କୋଟି ୭୯ଲକ୍ଷ ବିଏସ୍‍କେୱାଇ କାର୍ଡଧାରୀଥିବାବେଳେ ଏମାନେ ୭୮୪ ଘରୋଇ ଡାକ୍ତରଖାନା ସମେତ ମୋଟ ୯୩୧୪ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଉଛନ୍ତି । ଘରୋଇ ଡାକ୍ତରଖାନା ମଧ୍ୟରୁ ୧୫୩ଟି ରାଜ୍ୟ ବାହାରେ ରହିଛି । ଯୋଜନାର ହିତାଧିକାରୀଭାବେ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଉଥିବାବେଳେ ମହିଳାମାନଙ୍କ ପାଇଁ ଏହି ସୀମା ୧୦ଲକ୍ଷ ଟଙ୍କା ରହିଛି ।

ବିଏସ୍‍କେୱାଇ ଚିକିତ୍ସା ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ମସିହାରେ ରାଜ୍ୟରେ ୨କୋଟି ୩୦ଲକ୍ଷ ହିତାଧିକାରୀ କେବଳ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏହା ପରବର୍ଷ ଅର୍ଥାତ୍‍ ୨୦୧୯ରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୬କୋଟିକୁ ଟପିଥିବାବେଳେ ଏମାନଙ୍କ ମଧ୍ୟରୁ ୩୩ ହଜାରରୁ ସାମାନ୍ୟ ଅଧିକା ରୋଗୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ୨୦୨୦ରେ ଚିକିତ୍ସିତ ମୋଟ ରୋଗୀଙ୍କ ସଂଖ୍ୟା ୫କୋଟି ୧୫ଲକ୍ଷକୁ ଟପିଥିବାବେଳେ ଏମାନଙ୍କ ମଧ୍ୟରୁ ୪୨ହଜାର ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇଥିଲେ ।

୨୦୨୧ରେ ରାଜ୍ୟରେ ବିଏସ୍‍କେୱାଇ ହିତାଧିକାରୀଙ୍କ ମଧ୍ୟରୁ ୫କୋଟି ୨୪ଲକ୍ଷ ଚିକିତ୍ସା ସୁବିଧା ପାଇଥିବାବେଳେ ଏମାନଙ୍କ ମଧ୍ୟରୁ ୧ଲକ୍ଷ ୩୪ହଜାର ଘରୋଇ ଡାକ୍ତରଖାନା ଗୁଡିକରେ ଚିକିତ୍ସା ସୁବିଧା ପାଇଥିଲେ । ଗତବର୍ଷ ଅର୍ଥାତ୍‍ ୨୦୨୨ରେ ରାଜ୍ୟରେ ୬କୋଟି ୫୬ଲକ୍ଷରୁ ଅଧିକ ସଂଖ୍ୟକ ରୋଗୀ ବିଏସ୍‍କେୱାଇ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇଥିବାବେଳେ ଏମାନଙ୍କ ମଧ୍ୟରୁ ୩ଲକ୍ଷ ୪୬ହଜାର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଚଳିତବର୍ଷ ସର୍ବଶେଷ ସୂଚନା ଅନୁଯାୟୀ ପ୍ରାୟ ୧କୋଟି ୮୦ଲକ୍ଷ ଲୋକ ବିଏସ୍‍କେୱାଇ କାର୍ଡରେ ଚିକିତ୍ସା ସୁବିଧା ପାଇସାରିଲେଣି । ଏମାନଙ୍କ ମଧ୍ୟରୁ ୨ଲକ୍ଷ ୨୯ହଜାରରୁ ଅଧିକ ଲୋକ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଘରୋଇ ଡାକ୍ତରଖାନା ଗୁଡିକରେ ଚିକିତ୍ସା ସୁବିଧା ପାଇଛନ୍ତି ।

ରାଜ୍ୟରେ ଥିବା ବିଏସ୍‍କେୱାଇ ହିତାଧିକାରୀଙ୍କ ମଧ୍ୟରୁ ଶୂନରୁ ଅଠର ବର୍ଷ ବୟସ୍କ ହିତାଧିକାରୀଙ୍କ ସଂଖ୍ୟା ୨୦.୨ ପ୍ରତିଶତ ଥିବାବେଳେ ୧୯ରୁ ୪୫ବର୍ଷ ବୟସର ୪୭.୮ ପ୍ରତିଶତ, ୪୬ରୁ ୬୦ବର୍ଷ ବୟସର ୧୮.୭ ପ୍ରତିଶତ ଏବଂ ୬୦ବର୍ଷ ବୟସରୁ ଅଧିକ ହିତାଧିକାରୀଙ୍କ ସଂଖ୍ୟା ୧୨.୩ ପ୍ରତିଶତ ରହିଛି ।

ତେବେ ଘରୋଇ ଡାକ୍ତରଖାନାରେ ବିଏସ୍‍କେୱାଇ କାର୍ଡ ବ୍ୟବହାର ଓ ଏ ବାବଦରେ ସରକାର କୋଟି କୋଟି ଟଙ୍କା ପଇଠ କରୁଥିବାବେଳେ କେତେକ ସ୍ଥାନରେ ଏ ସଂକ୍ରାନ୍ତୀୟ ଜାଲିଆତି ପଦାକୁ ଆସିଛି । ଅଭିଯୋଗ ଆସିବା ପରେ କଟକ ଜିଲ୍ଲାରେ କେତେକ ଘରୋଇ ଚିକିତ୍ସାଳୟ ସହିତ ହୋଇଥିବା ରାଜାନାମାକୁ କର୍ତ୍ତୃପକ୍ଷ ବାତିଲ କରିଥିବାବେଳେ ଏଭଳି ଅଭିଯୋଗରେ କିଛି ଡାକ୍ତରଖାନା କର୍ମଚାରୀ ମଧ୍ୟ ଜେଲ୍‍ ଯାଇଛନ୍ତି ।

ସେହିଭଳି ବିଏସ୍‍କେୱାଇ କାର୍ଡ ପାଇଁ ଘରୋଇ ଡାକ୍ତରଖାନା ଗୁଡିକରେ ଅଧିକ ସଂଖ୍ୟାରେ ଅସ୍ତ୍ରୋପଚାର ଜରିଆରେ ପିଲା ଜନ୍ମ ଅଭିଯୋଗ ଆସିବା ପରେ ଏବେ ସାରା ରାଜ୍ୟରୁ ପିଲାଜନ୍ମର ବିସ୍ତୃତ ବିବରଣୀ ଦେବାପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ କୁହାଯାଇଛି । (ତଥ୍ୟ)