ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ମାଗଣାରେ ବିଭିନ୍ନ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟରେ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ସଂଖ୍ୟା କିନ୍ତୁ ବଢି ବଢି ଚାଲିଛି । ବର୍ତ୍ତମାନ ଏହି ସଂଖ୍ୟା ହଜାରେ ପାଖାପାଖି ପହଞ୍ଚିଥିବାବେଳେ ସରକାରୀ ଡାକ୍ତରଖାନା ଆଖପାଖରେ ଏମାନଙ୍କର ସଂଖ୍ୟା ଅଧିକ ପରିଲକ୍ଷିତ ହେଉଛି ।
ସରକାରୀ ହିସାବରେ ରାଜ୍ୟରେ ଏବେ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ସଂଖ୍ୟା ଏବେ ୯୯୩ରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରୁ ସର୍ବାଧିକ ରହିଛନ୍ତି କଟକରେ । କଟକରେ ୨୪୧ଟି ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଅଛି ୧୫୭ଟି । ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ । ଏହି ଜିଲ୍ଲାରେ ରହିଛି ୯୧ଟି । ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ଗୋଟିଏ ହେଲେ ଘରୋଇ ଡାକ୍ତରଖାନା କିମ୍ବା ନର୍ସିଂ ହୋମ୍ ନଥିବା ସରକାରୀ ଭାବେ କୁହାଯାଇଛି ।
ତେବେ ଯେତେସବୁ ଘରୋଇ ନର୍ସିଂହୋମ୍ ଓ ଡାକ୍ତରଖାନା ଗଢି ଉଠିଛନ୍ତି ସେଥିରୁ ଅଧିକାଂଶ ସରକାରୀ ଡାକ୍ତରଖାନା ଆଖପାଖରେ ରହିଛି । କଟକ ବଡ ଡାକ୍ତରଖାନା ହେଉ କିମ୍ବା ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ଏହାର ଆଖପାଖରେ ଛତୁ ଫୁଟିଲା ଭଳି ଘରୋଇ ଚିକିତ୍ସାଳୟମାନ ଗଢି ଉଠିଛି । ପ୍ରତିଦିନ ନୂଆ ନୂଆ ନିର୍ସିଂହୋମ୍ ବି ସ୍ଥାପନ ହେଉଛି । ଏଠାରେ ଗଢି ଉଠିବାର ମୁଖ୍ୟ କାରଣ ହେଲା ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଏଠାକୁ ଆଣି ଚିକିତ୍ସା ଯୋଗାଇବା । ଏଥିପାଇଁ ବିଭିନ୍ନ ଘରୋଇ ଡାକ୍ତରଖାନା ପକ୍ଷରୁ ଦଲାଲ ନିଯୁକ୍ତ ହେଉଥିବାବେଳେ ପୁଲିସ୍ ସେମାନଙ୍କୁ ମଝିରେ ମଝିରେ ଗିରଫ କରୁଛି ।
ରାଜ୍ୟ ସରକାର ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଚିକିତ୍ସାସେବା ଯୋଗାଇ ଦେଉଥିବାବେଳେ ରୋଗୀଙ୍କ ପାଇଁ ବର୍ଷକୁ ୬୦୦ କୋଟି ଟଙ୍କାର ଔଷଧ କିଣୁଛନ୍ତି । ଯେଉଁ ଔଷଧ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେଉନାହିଁ ତାହାକୁ ବଜାରରୁ କିଣି ରୋଗୀଙ୍କୁ ଯୋଗାଇଦେବାକୁ ଅର୍ଥ ପ୍ରଦାନ କରାଯାଉଛି । ଏହାବାଦ୍ ପ୍ରାୟ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପାଇଁ ଘରୋଇ ସଂସ୍ଥାଙ୍କ ସହିତ ରାଜିନାମା ହୋଇଛି । ସିଟିସ୍କାନ୍ ଠାରୁ ଆରମ୍ଭକରି ଏକ୍ସ-ରେ ପର୍ଯ୍ୟନ୍ତ ସବୁକିଛି ସରକାରୀ ଡାକ୍ତରଖାନାରେ ମାଗଣାରେ ଯୋଗାଯାଉଛି ।
ଏତେ ସବୁ ସତ୍ୱେ ସରକାରୀ ଡାକ୍ତରଖାନା ନିକଟରେ ଏତେ ସଂଖ୍ୟାରେ କିଭଳି ଘରୋଇ ଚିକିତ୍ସାଳୟ ଗଢି ଉଠୁଛି ଓ ରୋଗୀମାନେ ସେଠାରେ ପଇସା ଦେଇ ଚିକିତ୍ସିତ ହେଉଛନ୍ତି ସରକାରୀ ସ୍ତରରେ ଏହାର ତର୍ଜମା ପାଇଁ ମତପ୍ରକାଶ ପାଉଛି । ତେବେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବାପରେ ଓ ବିଭିନ୍ନ କ୍ଷେତ୍ରରେ ସ୍ୱାସ୍ଥ୍ୟବୀମା ଲାଗୁ ହେବାପରେ ଏବେ ଘରୋଇ ଚିକିତ୍ସାକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ଡାକ୍ତରଖାନାକୁ ଯାଇ ଧାଡିରେ ଅପେକ୍ଷା କରିବା ବଳଦରେ ବୀମା ଅର୍ଥରେ ବିନା ଧାଡିରେ ଚିକିତ୍ସିତ ହେବାକୁ ଲୋକେ ପସନ୍ଦ କରୁଛନ୍ତି ।
ତେବେ ଏହିସବୁ ଘରୋଇ ଚିକିତ୍ସାଳୟରେ କେଉଁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି ତାହା ବି ତଦନ୍ତ ସାପେକ୍ଷ । କାରଣ ସରକାରୀ ଡାକ୍ତରମାନେ ଘରୋଇ ଚିକିତ୍ସାରେ ମାତିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ଶତାଧିକ ସରକାରୀ ଡାକ୍ତର ଦୀର୍ଘଦିନ ଧରି ଛୁଟିରେ ରହିବା ଏବେ ସନ୍ଦେହକୁ ଅଧିକ ଘନୀଭୂତ କରୁଛି । କେତେକ ଘରୋଇ ଡାକ୍ତରଖାନାର ଚିକିତ୍ସା ତାଲିକାରେ ସରକାରୀ ଡାକ୍ତରଙ୍କ ନାମ ପ୍ରଦର୍ଶିତ ହେଉଥିବାବେଳେ ସେମାନେ ସେଠାରେ କେଉଁ ସମୟରେ କାହାକୁ ଚିକିତ୍ସା କରୁଛନ୍ତି ତାହାର ନିୟମିତ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)