ଭୁବନେଶ୍ୱର : ରାଷ୍ଟ୍ରାୟତ ସଂସ୍ଥା ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ)ର ଦୁର୍ବଳ ସେବାପାଇଁ ଏହାର ଗ୍ରାହକମାନେ ପୁଣିଥରେ ଘରୋଇ କମ୍ପାନୀ ମୁହାଁ ହେଉଛନ୍ତି । ଖୋଦ୍ ରାଜଧାନୀରେ ଗ୍ରାହକମାନଙ୍କର ଏଭଳି ଅବସ୍ଥା ଏବେ ବିଏସ୍ଏନଏଲ୍ର ନିମ୍ନମାନର ସେବାକୁ ଦର୍ଶାଉଛି ।
ବିଏସଏନଏଲ୍ ପକ୍ଷରୁ ୪-ଜି ସେବା ଆରମ୍ଭ ନେଇ ଘୋଷଣା କରାଯିବା ପରେ ରାଜଧାନୀରେ ମୋବାଇଲ୍ ସେବାରେ ବିଭ୍ରାଟ ଦେଖାଦେଇଛି । ଯେଉଁସ୍ଥାନରେ ପୂର୍ବରୁ ଭଲଭାବେ ମୋବାଇଲ୍ ସଙ୍କେତ ମିଳୁଥିଲା ସେଠାରେ ଏବେ ସହଜରେ କଥାବାର୍ତ୍ତା କରିହେଉ ନାହିଁ । କେତେବେଳେ ଫୋନ୍ ଲାଗୁନାହିଁ ତ ଆଉ କେତେବେଳେ ଫୋନ୍ ଲାଗିଲେ କଥାବାର୍ତ୍ତା ସହଜରେ କରିହେଉନାହିଁ । ସବୁଠାରୁ ବଡକଥା ହେଲା ମୋବାଇଲ ସେବାରେ ଏଭଳି ବିଭ୍ରାଟକୁ ଖୋଦ୍ ରାଜଧାନୀରେ ସମାଧାନ କରାଯାଇ ପାରୁନାହିଁ ।
ସେହିଭଳି ରାଜଧାନୀର ପ୍ରମୁଖ ଅଞ୍ଚଳରେ ଥିବା ମୋବାଇଲ୍ ଟାୱାରରେ ବ୍ୟାକ୍ଅପ୍ ସୁବିଧା ନଥିବାରୁ ସେହି ଅଞ୍ଚଳରେ ବିଦ୍ୟୁତ୍ କଟିଲେ ମୋବାଇଲ ଇଣ୍ଟରନେଟ୍ ସେବା ଅଚଳ ହୋଇଯାଉଛି । ଏ ସଂକ୍ରାନ୍ତରେ ଅଭିଯୋଗ କଲେ ମଧ୍ୟ ବିଏସଏନଏଲର ଗ୍ରାହକସେବା କେନ୍ଦ୍ର ଅଭିଯୋଗ ରଖିବା ବଦଳରେ ସ୍ଥାନୀୟ ବିଏସଏନଏଲ୍ ଦପ୍ତରରେ ଯାଇ ଅଭିଯୋଗ କରିବାକୁ ପରାମର୍ଶ ଦେଉଛନ୍ତି । ଗ୍ରାହକ ବାଧ୍ୟ କଲେ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ଖରାପ ବୋଲି ଦର୍ଶାଉଛନ୍ତି ।
ରାଜ୍ୟରେ ବିଏସଏନଏଲ୍ର ଏଭଳି ଦୁର୍ବଳ ସେବା ଯୋଗୁଁ ଏହି ସରକାରୀ ମୋବାଇଲ୍ ସେବାକୁ ଆପଣେଇ ଥିବା ଗ୍ରାହକମାନେ ଏବେ ପୁଣିଥରେ ଘରୋଇ କମ୍ପାନୀ ମୁହାଁ ହୋଇଛନ୍ତି । ଏହାର ଭରପୂର ଫାଇଦା ବି ଘରୋଇ କମ୍ପାନୀ ଉଠାଇବାରେ ଲାଗିଛନ୍ତି । ଗ୍ରାହକଙ୍କ ବିକଳିଆ ଅବସ୍ଥା ଦେଖି ରାଜ୍ୟରେ ଥିବା କେତେକ ଘରୋଇ ମୋବାଇଲ କମ୍ପାନୀ ଏବେ ସେମାନଙ୍କର ଶସ୍ତା ପ୍ଲାନକୁ ବନ୍ଦ କରିଦେଉଛନ୍ତି । ଯାହା ଫଳରେ ଓଡିଶାର ଗ୍ରାହକମାନେ ଅଧିକ ଖର୍ଚ୍ଚାନ୍ତ ହେବାରେ ଲାଗିଛନ୍ତି ।
ଉଲ୍ଲେଖନୀୟ ଯେ ରାଷ୍ଟ୍ରାୟତ ସଂସ୍ଥା ବିଏସଏନ୍ଏଲ୍ର ଦର ଅନ୍ୟ ଘରୋଇ କମ୍ପାନୀ ତୁଳନାରେ ଢେର କମ୍ ଥିବାରୁ ସଂଖ୍ୟାଧିକ ଗ୍ରାହକ ଏହାକୁ ଆପଣେଇ ନେଇଥିଲେ । ଏପରିକି ଅନ୍ୟ କମ୍ପାନୀର ଗ୍ରାହକମାନେ ବି ସେମାନଙ୍କ ସେବା ପ୍ରଦାନକାରୀ ବଦଳ ବ୍ୟବସ୍ଥାରେ ବିଏସଏନଏଲ୍ ସେବାକୁ ନେଇଥିଲେ । ହେଲେ ଏବେ ଖୋଦ୍ ରାଜଧାନୀରେ ଏହି ରାଷ୍ଟ୍ରାୟତ ସଂସ୍ଥା ଯେଭଳି ଦୁର୍ବଳ ସେବା ଯୋଗାଉଛି ଓ ଲୋକେ ହଟହଟା ହେଉଛନ୍ତି ତାହା ଯୋଗୁଁ ଗ୍ରାହକମାନେ ଏବେ ପୁଣିଥରେ ଘରୋଇ କମ୍ପାନୀ ମୁହାଁ ହେଉଛନ୍ତି । ଘରୋଇ ସେବା ପ୍ରଦାନକାରୀମାନେ ଏବେ ରାଜ୍ୟରେ ୫-ଜି ସେବା ଯୋଗାଉଥିବାବେଳେ ବିଏସ୍ଏନ୍ଏଲ୍ ବହୁ ବିଳମ୍ବରେ ଆରମ୍ଭ କରିଥିବା ୪-ଜି ସେବା ଏବେ ଗ୍ରାହକମାନଙ୍କୁ ନାକେଦମ କରିବାରେ ଲାଗିଛି । (ତଥ୍ୟ)