ଭୁବନେଶ୍ୱର : ପାଣି ବିଲ୍ ଠାରୁ ଆରମ୍ଭକରି ବିଜୁଳି ବିଲ୍ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ବ୍ୟବସ୍ଥାରେ ଅନଲାଇନ୍ରେ ପଇଠ ହେଉଥିବାବେଳେ ସାଧାରଣ ପ୍ରଶାସନ ବିଭାଗ ଆଦାୟ କରୁଥିବା ସରକାରୀ ଘରଭଡା କିନ୍ତୁ ଏଥିରେ ସାମିଲ ହୋଇପାରୁ ନାହିଁ । ଏଥିପାଇଁ କାର୍ଯ୍ୟ ଆରମ୍ଭର ଆଠବର୍ଷ ପରେ ଲୋକେ ଅନ୍ଲାଇନ୍ରେ ସେମାନଙ୍କର ଘର ଭଡାଦେବା ବଦଳରେ ଡ୍ରାଫ୍ଟ ଓ ଚେକ୍ ଧରି ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ରେଣ୍ଟ ସେକ୍ସନକୁ ଧାଉଁଛନ୍ତି ।
ସରକାରୀ ଘର, ବ୍ୟବସାୟ କେନ୍ଦ୍ର ଆଦିର ଭଡା ଅନ୍ଲାଇନ୍ରେ ଜରିଆରେ ଆଦାୟ ପାଇଁ ୨୦୧୭ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାହା ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ରାଜ୍ୟ ସରକାର ଏହି କାର୍ଯ୍ୟକୁ ଏନ୍ଆଇସିକୁ ଦେଇଥିବାବେଳେ ଏନ୍ଆଇସି ଏହାକୁ ଏବେ ବେସରକାରୀ ସଂସ୍ଥାକୁ ପ୍ରଦାନ କରିଛି । ସମ୍ପୃକ୍ତ ସଂସ୍ଥା ସମସ୍ତ ସରକାରୀ କ୍ୱାଟର୍ସ, ବ୍ୟବସାୟ କେନ୍ଦ୍ର ଆଦିର କାଗଜପତ୍ର ମଧ୍ୟ ସଂଗ୍ରହ କରିନେଇଛି ।
ହେଲେ ଆଠବର୍ଷ ପରେ କେବଳ ଡାଟା ପ୍ରସ୍ତୁତି ସମ୍ଭବ ହୋଇ ପାରିଛି । ରେଣ୍ଟ ବିଭାଗର କର୍ମଚାରୀମାନେ କମ୍ପ୍ୟୁଟରରେ ଏବେ କେବଳ ଘରର ଠିକଣ, ଦେୟ ପରିମାଣ ଆଦି ଦେଖିପାରୁଛନ୍ତି । ହେଲେ ଅନ୍ଲାଇନ୍ରେ ପଇଠ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନଥିବାରୁ କର୍ମଚାରୀମାନେ ପୂର୍ବଭଳି ହାତରେ ଲେଖିବାକୁ ବାଧ୍ୟ ହେଉଛନ୍ତି ।
ବର୍ତ୍ତମାନ ଯଦି ଜଣେ ନିଜର ଘର ଭଡା ପ୍ରଦାନ କରିବାକୁ ରେଣ୍ଟ ସେକ୍ସସନକୁ ଯାଉଛି ତେବେ ସେଠାରେ ଥିବା କର୍ମଚାରୀମାନେ ପ୍ରଥମେ ଗୋଟିଏ ଖାତାରେ ଚେକ୍/ଡ୍ରାଫ୍ଟର ନମ୍ବର ସହିତ ଦେୟର ସମ୍ପୂର୍ଣ୍ଣ ବିବରଣୀ ଲିପିବଦ୍ଧ କରୁଛନ୍ତି । ଏହାପରେ ହିତାଧିକାରୀଙ୍କୁ ପ୍ରାପ୍ୟ ରସିଦ ପ୍ରଦାନ ପାଇଁ ଆଉ ଗୋଟିଏ ରସିଦ୍ରେ ପୁର୍ନବାର ତାହାକୁ ଲେଖୁଛନ୍ତି । ଏଭଳି ଲେଖାପାଇଁ କେବଳ ସମୟ ଅପଚୟ ହେଉଛି ତାହା ନୁହେଁ କାଗଜଖର୍ଚ୍ଚ ବି ଅଧିକ ହେଉଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନ୍ଲାଇନ୍ରେ ଦେୟ ପଇଠ ବ୍ୟବସ୍ଥା ପାଇଁ କାମ ପାଇଥିବା ଘରୋଇ ସଂସ୍ଥାର ଅବହେଳାରୁ ଏଭଳି ସ୍ଥିତି ଉପୁଜିଛି । ମାଳ ମାଳ କମ୍ପ୍ୟୁଟର ଓ ଦକ୍ଷ କର୍ମଚାରୀ ଉପସ୍ଥିତ ରହି ମଧ୍ୟ ଅନ୍ଲାଇନ୍ରେ ଅର୍ଥ ଗ୍ରହଣ କରିପାରୁ ନାହାନ୍ତି କି ଡିଜିଟାଲ ରସିଦ ଦେଇପାରୁ ନାହାନ୍ତି ।
ବହୁଦିନ ପରେ ନିକଟରେ ସରକାର ଘରଭଡା ପଇଠ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ନିକଟକୁ ଚିଠି କରିଥିବାବେଳେ ଲୋକେ ବି ଘରଭଡା ପ୍ରଦାନ ପାଇଁ ଦପ୍ତରକୁ ଦଉଡୁଛନ୍ତି । ବିଜୁଳି ଓ ପାଣି ଭଳି ଯଦି ଅନ୍ଲାଇନ୍ରେ ଏହି ସରକାରୀ ଦେୟର ବ୍ୟବସ୍ଥାଥାନ୍ତା ତେବେ ଲୋକେ ଘରେ ବସି ଅର୍ଥ ପଇଠ କରିପାରନ୍ତେ ଓ ରାଜକୋଷକୁ ନିୟମିତ ଭାବେ ଅର୍ଥ ଆସିପାରନ୍ତା ବୋଲି କର୍ମଚାରୀମାନେ ମତ ଦେଉଛନ୍ତି । (ତଥ୍ୟ)

