ଭୁବନେଶ୍ୱର : ରାଜଧାନୀରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏବେ ପିଲା ଚିନ୍ତା ଘାରିଛି । ନିଜର ବିଦ୍ୟାଳୟ ସହିତ ଚାକିରି ବଞ୍ଚାଇବାପାଇଁ ଏବେ ଘରକୁ ଘର, ବିଶେଷକରି ବସ୍ତି ଅଞ୍ଚଳରେ ବୁଲି ପିଲାଙ୍କୁ ବୁଝାଇ ନିଜ ବିଦ୍ୟାଳୟକୁ ଆଣିବାରେ ଲାଗି ପଡିଛନ୍ତି ।
ବିଦ୍ୟାଳୟରେ ଏବେ ନାମଲେଖା ଋତୁ ଚାଲିଥିବାବେଳେ ରାଜ୍ୟର ସହରାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ ପିଲା ମିଳୁନାହାନ୍ତି । ଖୋଦ ରାଜଧାନୀରେ ଏବେ ଏହି ସମସ୍ୟା ଉତ୍କଟ ହୋଇଛି । ପ୍ରାଥମିକ ଶ୍ରେଣୀରେ ପିଲାଏ କିଭଳି ନାମ ଲେଖାଇବେ ସେଥିପାଇଁ ଶିକ୍ଷୟତ୍ରୀମାନେ ଲାଗି ପଡିଛନ୍ତି । ନିଜ ନିଜ ଅଞ୍ଚଳରେ ଥିବା ବସ୍ତିପିଲାଙ୍କୁ ବୁଝାଇ ବିଦ୍ୟାଳୟକୁ ଆଣିବାପାଇଁ ନାନା ଉଦ୍ୟମ କରୁଛନ୍ତି ।
କାରଣ ଯଦି ପ୍ରାଥମିକଶ୍ରେଣୀରେ ଆବଶ୍ୟକ ଛାତ୍ରଛାତ୍ରୀ ନହେବେ ତେବେ ସରକାର ବିଦ୍ୟାଳୟରେ ତାଲା ଝୁଲାଇବା ଏକ ପ୍ରକାର ଥୟ । ବିଦ୍ୟାଳୟ ବନ୍ଦ ହେଲେ ଏଠାରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ ଦୂର ଦୂରାନ୍ତକୁ ବଦଳି କରିବେ । ତେଣୁ ବଦଳି ଭୟରେ ଏବେ ଶିକ୍ଷୟତ୍ରୀମାନେ ଘରକୁ ଘର ବୁଲୁଥିବା ଲକ୍ଷ୍ୟ କରାଯାଉଛି ।
ତେବେ ରାଜଧାନୀରେ ଛତୁ ଫୁଟିଲା ଭଳି ଗଢି ଉଠିଥିବା ଘରୋଇ ବିଦ୍ୟାଳୟ ସହିତ ଶିକ୍ଷା ଅଧିକାର ଆଇନ୍ ବଳରେ ନାମୀ ଦାମୀ ବିଦ୍ୟାଳୟରେ ଗରିବ ପିଲା ନାମ ଲେଇବାର ସୁଯୋଗ ପାଉଥିବାରୁ ସେମାନେ ଆଉ ସରକାରୀ ବିଦ୍ୟାଳୟକୁ ଆସିବାକୁ ରାଜି ନୁହନ୍ତି । ତେଣୁ ଦିନକୁ ଦିନ ରାଜଧାନୀରେ ଥିବା ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି ।
ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ସହିତ ମାଗଣା ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦିଆଯାଉଛି । ନବମ ଶ୍ରେଣୀରେ ଝିଅମାନଙ୍କୁ ସରକାର ସାଇକେଲ ଯୋଗାଇ ଦେଉଛନ୍ତି । ଏହାଛଡା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ଷ୍ଟାଇପେଣ୍ଡ ପାଉଛନ୍ତି । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଆଦୌ ଫି ଦେବାକୁ ପଡୁନାହିଁ ।
କେବଳ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମାଗଣା ଯୋଜନାରେ ସାମିଲ କରାଯାଇନାହିଁ, ସରକାରୀ ବିଦ୍ୟାଳୟରେ ତାଲିମପ୍ରାପ୍ତ ଅଭିଜ୍ଞ ଶିକ୍ଷକମାନେ ମଧ୍ୟ ଶିକ୍ଷାଦାନ କରୁଛନ୍ତି । ଏତେ ସବୁ ସତ୍ୱେ ବି ବସ୍ତି ଅଞ୍ଚଳର ପିଲାଏ ସରକାରୀ ବିଦ୍ୟାଳୟକୁ ଆସିବାକୁ ରାଜି ନୁହନ୍ତି । ଘରୋଇ ବିଦ୍ୟାଳୟରେ ପଢିବାର ମନୋଭାବ ଯୋଗୁଁ ଏବେ ରାଜ୍ୟରେ ଥିବା ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୫ଲକ୍ଷକୁ ଅତିକ୍ରମ କରିଗଲାଣି । ଅବସ୍ଥା ଏଭଳି ହୋଇଛି ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀ ତ ଦୂରରକଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପିଲାଏ ବି ପାଠ ପଢିବାକୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ଦେଖିବାକୁ ମିଳୁନାହିଁ ।
ସ୍ଥିତି ଗମ୍ଭୀର ହେବା ସହିତ ବଦଳି ଭୟରେ ଏବେ ଶିକ୍ଷୟତ୍ରୀମାନେ ଯେଭଳି ଘରକୁ ଘର ବୁଲି ପିଲା ଖୋଜୁଛନ୍ତି ସେମାନେ ସେଥିରେ କେତେଦୂର ସଫଳ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ ବରିଷ୍ଠ ଶିକ୍ଷାବିତ୍ମାନେ କହୁଛନ୍ତି ଯେ ଯେପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟର ଫଳାଫଳ ଉନ୍ନତମାନର ନହୋଇଛି ଏବଂ ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପିଲାମାନେ ଏଠାରେ ନାମ ଲେଖାଇ ନାହାନ୍ତି ସେପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିବନାହିଁ । (ତଥ୍ୟ)