Home Assembly ଘଣ୍ଟମାଡ ଯୋଗୁଁ ଚାଲିପାରିଲାନି ବିଧାନସଭା

ଘଣ୍ଟମାଡ ଯୋଗୁଁ ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର : କଂଗ୍ରେସ ସଦସ୍ୟଙ୍କ ଘଣ୍ଟାମାଡ, ତୂରୀ ଫୁଙ୍କା, ଗିନି ମାଡ ସହିତ ବଂଶୀ ବାଦନ ଯୋଗୁଁ ଆଜି ବିଧାନସଭାର ପ୍ରଥମାର୍ଦ୍ଧ ଚାଲିପାରି ନାହିଁ । ସମ୍ପୂର୍ଣ୍ଣ କଳାପୋଷାକ ପିନ୍ଧି ଓ ମୁଣ୍ଡରେ କଳା ପଟି ବାନ୍ଧି କଂଗ୍ରେସ ସଦସ୍ୟଙ୍କ ଏଭଳି ଅଭିନବ ପ୍ରତିାବଦ ସହିତ ବିଜେଡି ସଦସ୍ୟଙ୍କ ହଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି ।

ଆଜି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ନାରୀ ନିର୍ଯ୍ୟାତନାର ତଦନ୍ତ ପାଇଁ ଗୃହ କମିଟି ଗଠନ ଦାବିରେ କଳାପୋଷାକ ପିନ୍ଧିବା ସହିତ ଗୃହ ମଧ୍ୟକୁ ଘଣ୍ଟ ବଜାଇ ପ୍ରବେଶ କରିଥିଲେ । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହନିପତି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଚେୟାର ଉପରେ ଛିଡାହୋଇ ଘଣ୍ଟ ବଜାଉଥିବାବେଳେ ତାଙ୍କ ସହିତ କଂଗ୍ରେସ ସଦସ୍ୟ ମଙ୍ଗୁ ଖିଲ ତୂରୀ ଫୁଙ୍କୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ କଳା କପଡା ଘୋଡାଇ ହୋଇ ନିଜ ଆସନରେ ଛିଡାହୋଇ ପ୍ରତିବାଦ କରିଥିଲେ ।

କଂଗ୍ରେସ ସଦସ୍ୟ ପବିତ୍ର ପାଉଁତା, ଡକ୍ଟର ସି ଏସ ରାଜନ ଏକ୍କା ପ୍ରମୁଖ ମଧ୍ୟ ଘଣ୍ଟା ବଜାଉଥିଲେ । କଂଗ୍ରେସ ସଦସ୍ୟଙ୍କ ଘଣ୍ଟମାଡ ଓ ତୂରୀ ଶବ୍ଦରେ ବିଧାନସଭା ଗୃହ କମ୍ପୁଥିବାବେଳେ ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଗଣମାଧ୍ୟମକୁ ଫଟୋ ଉଠାଇବାର ସ୍ୱାଧୀନତା ଦେବାପାଇଁ ହଟଗୋଳ କରିଥିଲେ । ତେବେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବାପାଇଁ ବାଚସ୍ପତି ସୁରମା ପାଢୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଡାକିଥିଲେ ।

ମନ୍ତ୍ରୀ ତାଙ୍କ ଉତ୍ତର ରଖୁଥିବାବେଳେ ବିରୋଧି ସଦସ୍ୟମାନେ ହଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସସଦସ୍ୟମାନେ ଗୃହ ମଧ୍ୟଭାଗରେ ଘଣ୍ଟ ବଜାଇବା ସହିତ ବଂଶୀ ବାଦନ କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ସତ୍ୱେ ସେମାନେ ନିଜ ନିଜ ଆସନକୁ ନଫେରିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହିତ ଗୃହକୁ ଆଉ ୩୦ ମିନିଟ୍‍ ପାଇଁ ମୁଲତବି ରଖିଥିଲେ । ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହରେ ଅଧ୍ୟକ୍ଷତା କରିବା ସହିତ ତିନି ପର୍ଯ୍ୟାୟରେ ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।