ଭୁବନେଶ୍ୱର : ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସିଧାସଳଖ ଭାବେ ଖାଉଟି ଓ ଦୋକାନୀମାନଙ୍କ ଉପରେ ପଡୁଛି । ଏହି ଯୁଦ୍ଧ ଯୋଗୁ ଗ୍ୟାସ୍ ସିଲିଣ୍ଡର ମିଳିବାରେ ସମସ୍ୟା ଉପୁଜିବା କାରଣରୁ ରାସ୍ତା କଡ଼ର ବହୁ ଉଠା ଜଳଖିଆ ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅନେକ କ୍ଷେତ୍ରରେ ଯେଉଁଠିିବି ଜଳଖିଆ ଦୋକାନ ଖୋଲା ରହିଛି ସେଠାରେ ଛଣାଛଣି ଜିନିଷର ଦର ବଢ଼ିଥିବା ନଜରକୁ ଆସିଛି । ରାସ୍ତାକଡ଼ ଦୋକାନରେ ଯେଉଁ ବରା ୫ଟଙ୍କାରେ ମିଳୁଥିଲା ଏବେ ତାହା ୭/୮ ଟଙ୍କା ହେଲାଣି । ଆଉ ଯେଉଁଠି ଦର ବଢ଼ିନାହିଁ, ସେଠାରେ ବରାର ଆକୃତି ଛୋଟ ହୋଇଯାଇଛି ।
ଅନେକ ରାସ୍ତାକଡ଼ ଢାବା ଓ ଛୋଟଛୋଟ ହୋଟେଲ ଗ୍ୟାସ ବଦଳରେ କାଠ ଚୁଲା ଓ କୋଇଲା ଆଞ୍ଚ ଉପରେ ଭରସା କରୁଛନ୍ତି । ତେବେ ଗ୍ୟାସ୍ ସଂକଟ ସହିତ ଜାଳେଣୀ କାଠ ଦର ଢେର ଉଚ୍ଚା ରହୁଥିବାରୁ ଦୋକାନୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।
ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ସିଲିଣ୍ଡର ମହଜୁଦ ଅଛି ଏବଂ ଏଥିଘେନି ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଗ୍ୟାସ୍ ପାଇଁ ଲୋକଙ୍କ ଧାଡ଼ି କମିବା ପରିବର୍ତ୍ତେ ବଢ଼ୁଛି । ଏ ପରିପ୍ରେକ୍ଷୀରେ ଗ୍ୟାସ୍ କଳାବଜାର ରୋକିବା ପାଇଁ ବି ଚଢ଼ଉ ଅଭିଯାନ ଜୋରଦାର ହେଉଛି ।
ରାଜଧାନୀରେ ଥିବା ଘରୋଇ ହଷ୍ଟେଲ୍ଗୁଡ଼ିକରେ ଗ୍ୟାସ୍ ସମସ୍ୟା ସ୍ପଷ୍ଟ ବାରି ହୋଇପଡୁଛି । ଅନେକ ଘରୋଇ ହଷ୍ଟେଲ୍କୁ ବାହାରର ବିଭିନ୍ନ ସଂସ୍ଥା ରନ୍ଧାଖାଦ୍ୟ ଯୋଗାଇଥାନ୍ତି । ଗ୍ୟାସ୍ ସମସ୍ୟା ଉପୁଜିବା ପରେ କେତେକ କ୍ଷେତ୍ରରେ ମିଲ୍ ପିଛା ରନ୍ଧାଖାଦ୍ୟ ଦର ଯୋଗାଣକାରୀମାନେ ବଢ଼ାଇଥିବା ଜଣାପଡିଛି । ଏହାଛଡ଼ା ଯେଉଁ ସରକାରୀ ଓ ବେସରକାରୀ ହଷ୍ଟେଲ୍ଗୁଡ଼ିକରେ ଗ୍ୟାସ୍ ମାଧ୍ୟମରେ ଖାଦ୍ୟ ରନ୍ଧାଯାଇଥାଏ ସେଥିରୁ ଅନେକରେ ଭଜା, ତରକାରୀ ଆଦି ସଂଖ୍ୟା କମାଇ ଦିଆଗଲାଣି ।
ହୋଟେଲ୍ ଭଳି ବ୍ୟବସାୟିକ ସଂସ୍ଥାନ ପାଇଁ କମର୍ସିଆଲ୍ ଗ୍ୟାସ୍ କନେକ୍ସନ୍ ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ଛୋଟ ଛୋଟ ସଂସ୍ଥା କଳାବଜାରରେ ମିଳୁଥିବା ଘରୋଇ ଗ୍ୟାସ୍ ଉପଯୋଗ କରିଆସୁଥିଲେ । ସେମାନେ ଏବେ ସମସ୍ୟାରେ ପଡ଼ି ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ସେହିଭଳି ବହୁ ସ୍ଥାନରେ କର୍ମଜୀବୀ ପୁରୁଷ ଓ ମହିଳାମାନେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଲାଗି ଛୋଟଛୋଟ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିଥାନ୍ତି । ଗ୍ୟାସ୍ ସରିଯିବା ପରେ ଏମାନେ ବିଭିନ୍ନ ସ୍ଥାନରୁ ପୁଣି ନିଜ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରାଇ ଆଣିଥାନ୍ତି । ଏବେ ଗ୍ୟାସ୍ ସଂକଟ ଉତ୍କଟତର ସ୍ଥିତିରେ ଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ ଚାଲିଥିବା ପରିପ୍ରେକ୍ଷୀରେ ଏଭଳି ଛୋଟଛୋଟ ସିଲିଣ୍ଡରଗୁଡ଼ିକୁ ଘରୋଇ ଭାବେ ରିଫିଲିଂ କରାଇବା କଷ୍ଟସାଧ୍ୟ ହୋଇପଡିଛି ।
କେତେକ ପରିବାର ଇତିମଧ୍ୟରେ ବିଦ୍ୟୁତ ଚାଳିତ ଇଣ୍ଡକ୍ସନ୍ ଚୁଲା ମାଧ୍ୟମରେ ରୋଷେଇ କରୁଛନ୍ତି । ବିଶେଷକରି ଆପାର୍ଟମେଣ୍ଟ ଓ ବହୁତଳ ବିଶିଷ୍ଟ କୋଠାଘରଗୁଡ଼ିକରେ କାଠଚୁଲିରେ ରୋଷେଇ କରିବା ଅସମ୍ଭବପର ହୋଇଥିବାରୁ ସେଠାରେ ଇଣ୍ଡକ୍ସନ୍ ଚୁଲାର ବ୍ୟବହାର ବଢ଼ୁଛି । କିନ୍ତୁ ଯେଉଁ ଘରଗୁଡ଼ିକରେ ବାଡ଼ି ରହିଛି ସେଠାରେ ଅସ୍ଥାୟୀ କାଠଚୁଲା ବ୍ୟବହୃତ ହେଉଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି । ତେବେ ବର୍ଷବର୍ଷ ଧରି ଗ୍ୟାସ୍ରେ ରୋଷେଇ କରିବା ବ୍ୟବସ୍ଥା ସହିତ ଅଭ୍ୟସ୍ତ ଥିବା ଲୋକେ ପୁଣି କାଠ ଓ କୋଇଲା ଚୁଲ ଯୁଗକୁ ଫେରିବାକୁ ଚାହୁଁନାହାନ୍ତି । ଯୁଦ୍ଧ ପରିସ୍ଥିତିରେ ବିରାମ ଆସିବା ସହ ଗ୍ୟାସ୍ ଆମଦାନି ବୃଦ୍ଧି ପାଇଲେ ଏହି ସମସ୍ୟାର କିଛିଟା ସମାଧାନ ହୋଇପାରେ । ତେବେ ବିବାହ, ବ୍ରତପୋନୟନ, ଶୁଦ୍ଧ ଘର ଆଦି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଗ୍ୟାସ୍ ବିନାଭୋଜିଭାତ କରିବା ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି । (ତଥ୍ୟ)

