ଭୁବନେଶ୍ୱର : ଚଳିତବର୍ଷ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତିକୁ ଚୁଡାନ୍ତରୂପ ଦିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ବନ୍ଧିତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଅନୁଷ୍ଠାନମାନଙ୍କରେ ଅଂଶୁଘାତ ଚିକିତ୍ସା, ବନାଗ୍ନି ନିରୋଧ ଆଦି ବ୍ୟବସ୍ଥାକୁ ପୁନଃ ପରଖିବା ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପାନୀୟ ଜଳ ଉତ୍ସର ବିଶୁଦ୍ଧିକରଣ ସହ ନିୟମିତ ଯାଞ୍ଚ୍ ଓ ଆବଶ୍ୟକ ସ୍ଥଳେ ଆଶୁ ମରାମତି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ନଳକୂପ ଓ କୁଅ ଆଦି ନିକଟରେ ପଶୁପକ୍ଷୀମାନଙ୍କ ନିମନ୍ତେ ଜଳକୁଣ୍ଡ ନିର୍ମାଣ, ଜଙ୍ଗଲରେ ବୋହୁଥିବା ଝରଣାରେ ବାଲି ବସ୍ତା ଦେଇ ଛୋଟ ଛୋଟ ଆଡିବନ୍ଧ ନିର୍ମାଣ, ଆବଶ୍ୟକସ୍ଥଳେ ଜଳକୁଣ୍ଡ ସ୍ଥାପନ ଆଦି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ସହର ଓ ଗ୍ରାମାଞ୍ଚଳରେ ନିଜ ନିଜ ବାସଗୃହ ନିକଟରେ ପଶୁ ପକ୍ଷୀଙ୍କ ପାଇଁ ଜଳକୁଣ୍ଡ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା ।
ଭାରତୀୟ ପାଣିପାଗ ବିଭାଗ ବରିଷ୍ଠ ଅଧିକାରୀ କହିଥିଲେ ଯେ ଯେତେବେଳେ କୌଣସି ସ୍ଥାନରେ ସର୍ବାଧିକ ତାପମାତ୍ରା ଲଗାକାରଭାବେ ୪୫ ଡିଗ୍ରୀ ସେଲସିଅସ୍ ରୁ ଅଧିକ ରହେ ସେତେବେଳେ ସାଧାରଣତଃ ଗ୍ରୀଷ୍ମପ୍ରବାହ ସ୍ଥିତି ସୃଷ୍ଟି ହୋଇଥାଏ । ଏଥି ପାଇଁ ପ୍ରତ୍ରେକ ପାଣିପାଗ ସବ୍ ଡିଭିଜନରେ ଦୈନିକ ତାପମାତ୍ରାର ଅନୁଧ୍ୟାନ କରାଯିବ । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୩୦ ଟି ସ୍ଥାନରେ ତାପମାତ୍ରା ରେକର୍ଡ଼ କରାଯାଉଛି ।
ଉନ୍ନୟନ କମିଶନର ଶ୍ରୀ ଜେନା ଜଣାଇଥିଲେ ଯେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ଫେବୃଆରୀ ମାସରୁ ଆରମ୍ଭ କରାଯାଇଛି । ଇତି ମଧ୍ୟରେ ୨୦୨୨ ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟଧାରା ପଦ୍ଧତି (ଏସ୍.ଓ.ପି) ସମସ୍ତ ବିଭାଗମାନଙ୍କୁ ପଠାଯାଇଛି । ସଂପୃକ୍ତ ବିଭାଗମାନେ ନିଜ ନିଜ ମୁକାବିଲା ଯୋଜନାର କାର୍ଯ୍ୟାନ୍ୱୟନ ଅଗ୍ରଗତି ବିଷୟରେ ନିୟମିତ ଭାବେ ସ୍ୱତନ୍ତ୍ର ରିଲିଫ୍ କମିଶନ ଅଫିସଙ୍କୁ ଅବଗତ କରାଇବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କର ବୈଠକକରି ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିପର୍ଯ୍ୟୟ ମୁକାବିଲା ଗ୍ରୁପ୍ ମାନେ ପ୍ରତି ଦିନ ବୈଠକ କରି ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତିର ଅନୁଶୀଳନ କରିବାକୁ କୁହାଯାଇଥିଲା । ଗ୍ରୀଷ୍ମ ପ୍ରବାହ ବିଷୟରେ ଆଗୁଆ ସତର୍କ ସୂଚନାର ଉପଯୁକ୍ତ ପ୍ରସାରଣ ନିମନ୍ତେ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।
ଗ୍ରୀଷ୍ମ ପ୍ରବାହ, ଓ ଅଂଶୁଘାତ ସମ୍ବନ୍ଧିତ ସତର୍କତା ଗୁଡିକ ବିଷୟରେ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ମାନଙ୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଳଗାତର ଜାରି ରଖିବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ଜିଲ୍ଲା ଓ ବ୍ଳକ୍ ସ୍ତରୀୟ ଅଧିକାରୀମାନଙ୍କୁ କହିଥିଲେ । ଏଥିରେ ଗଣମାଧ୍ୟମ, ସ୍ୱଚ୍ଛାସେବୀ ସଂଘ, ପଞ୍ଚାୟତିରାଜ ଅନୁଷ୍ଠାନ, ଗ୍ରାମ ସମୁଦାୟ ମାନଙ୍କୁ ସକ୍ରିୟଭାବେ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା, ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କ ପାଖରେ ଓ.ଆର.ଏସ୍ ପ୍ୟାକେଟ ମହଜୁଦ, ପଶୁପକ୍ଷୀମାନଙ୍କ ନିମନ୍ତେ ଜଳ ଓ ଚିକିତ୍ସା ବ୍ୟବସ୍ଥା, ଶ୍ରମିକ ମାନଙ୍କ ନିମନ୍ତେ କାର୍ଯ୍ୟସ୍ଥଳୀରେ ଜଳ ଓ ବିଶ୍ରାମ ସ୍ଥଳ ନିର୍ମାଣ, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡି ମାନଙ୍କରେ ସମୟ ନିର୍ଘଣ୍ଟରେ ଆବଶ୍ୟକୀୟ ପରିବର୍ତ୍ତନ, ଯାତ୍ରୀବାହି ଯାନବାହାନରେ ପାଣି ଓ ଅଧିକ ଭିଡ ନିୟନ୍ତ୍ରଣ, ଫାଷ୍ଟଏଡ୍ ବ୍ୟବସ୍ଥା, ନିରନ୍ତର ବିଦ୍ୟୁତ ଯୋଗାଣ, କେନାଳରେ ପାଣି ଛାଡିବା, ଅଂଶୁଘାତ ଆକ୍ରାନ୍ତ ଲୋକଙ୍କ ପାଇଁ ସହାୟତା ଆଦି ବିଷୟରେ ସବିଶେଷ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇଥିଲା ।