Home Health ଗ୍ରୀଷ୍ମ ଆରମ୍ଭରୁ ଗୁରୁତର ରକ୍ତ ସଙ୍କଟ

ଗ୍ରୀଷ୍ମ ଆରମ୍ଭରୁ ଗୁରୁତର ରକ୍ତ ସଙ୍କଟ

ଭୁବନେଶ୍ୱର : ତାପମାତ୍ରା ବୃଦ୍ଧି ସହ ସ୍ୱେଚ୍ଛାକୃତ ରକ୍ତଦାନ କମୁଥିବାରୁ ଏବେ ରାଜଧାନୀ ସମେତ ରାଜ୍ୟର ପ୍ରାୟ ସବୁ ଡାକ୍ତରଖାନାଗୁଡିକରେ ରୋଗୀଙ୍କ ପାଇଁ ରକ୍ତ ସମସ୍ୟା ଗୁରୁତର ହେବାରେ ଲାଗିଛି ।

ଓଡିଶା ପାଇଁ ବାର୍ଷିକ ୫ଲକ୍ଷ ୟୁନିଟ୍‍ରୁ ଅଧିକ ରକ୍ତ ଆବଶ୍ୟକ ପଡୁଥିବାବେଳେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କ ଠାରୁ ୩ଲକ୍ଷ ୟୁନିଟ୍‍ରୁ ଅଧିକ ରକ୍ତ ସଂଗୃହୀତ ହୋଇଥାଏ । ଅବଶିଷ୍ଟ ରକ୍ତ ସମ୍ପର୍କୀୟ ଓ ଅନ୍ୟମାନଙ୍କ ଠାରୁ ସଂଗ୍ରହ କରାଯାଇଥାଏ । ତେବେ ଖରାଦିନେ ଜଳକଷ୍ଟ ଭଳି ରକ୍ତଭଣ୍ଡାରଗୁଡିକରେ ରକ୍ତ ଅଭାବ ଜନିତ ପରିସ୍ଥିତି ଦେଖା ଦେଇଥାଏ ।

ଏବେ ବର୍ଷକୁ ବର୍ଷ ରାଜ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାଛଡା ରକ୍ତହୀନତା ଓ ପୁଷ୍ଟିହୀନତା ମଧ୍ୟ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି । ବିଭିନ୍ନ ମଣିଷ କୃତ, ପରିବେଶଗତ ଓ ଅନ୍ୟାନ୍ୟ କାରଣରୁ କର୍କଟ, ଯକୃତ, ବୃକକ୍‍, ହୃତ୍‍ପିଣ୍ଡ, ସ୍ନାୟବିକ ଆଦି ରୋଗ ବଢିବାରେ ଲାଗିଛି । ମଶା କାମୁଡା ଯୋଗୁଁ ବି ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗ ହେଉଛି । ଏ ପରିପ୍ରେକ୍ଷୀରେ ରକ୍ତହୀନତା ଓ ପୁଷ୍ଟିହୀନତାରେ ପୀଡିତ ରୋଗୀଙ୍କ ସମେତ ଏଭଳି ଗୁରୁତର ରୋଗୀମାନଙ୍କ ଚିକିତ୍ସା ଏବଂ ବିଭିନ୍ନ ଧରଣର ଅସ୍ତ୍ରୋପଚାର ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଉପଚାର ପାଇଁ ପ୍ରଚୁର ପରିମାଣର ରକ୍ତ, ପ୍ଲାଜମା ଓ ପ୍ଲାଟଲେଟ୍‍ ଆଦି ଆବଶ୍ୟକ ପଡୁଛି ।

ପୂର୍ବ ସରକାର ସମୟରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ଜୀବନବିନ୍ଦୁ କାର୍ଯ୍ୟକ୍ରମ ଦଳୀୟ ଭିତ୍ତିରେ ଚାଲୁଥିଲା । ଜୀବନବିନ୍ଦୁ ମାଧ୍ୟମରେ ପ୍ରଚୁର ପରିମାଣର ରକ୍ତ ସଂଗ୍ରହ କରାଯାଉଥିଲା ଏବଂ ଏଥିଯୋଗୁଁ ରକ୍ତଭଣ୍ଡାରଗୁଡିକ ଉପରେ ଚାପ କମ୍‍ ରହୁଥିଲା । ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ମୋ ପରିବାର, ଜୀବନବିନ୍ଦୁ ଆଦି କାର୍ଯ୍ୟକ୍ରମ ଆଉ ଦେଖିବାକୁ ମିଳୁନାହିଁ । ଫଳରେ ରକ୍ତ ସଂଗ୍ରହ ଆଶାତୀତ ଭାବେ ହ୍ରାସ ପାଇଛି ।

ମିଶନ ରକ୍ତଦାନ, ରୋଟାରୀ, ଲାୟନ୍ସ ଭଳି ବିଭିନ୍ନ ସଂସ୍ଥା ବର୍ଷ ତମାମ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି । ଏମିତିକି ଏହି ସଂଗଠନଗୁଡିକ ଡାକ୍ତରଖାନାରେ ରୋଗୀଙ୍କ ଉପଚାର ପାଇଁ ରକ୍ତଦାତା ସଂଗ୍ରହ କରି ତ୍ୱରିତ ସମସ୍ୟାର ସମାଧାନ କରିଥାନ୍ତି । ଏଥିଯୋଗୁଁ ଥାଲାସେମିଆ ଭଳି ରୋଗୀମାନେ ବିଶେଷ ଉପକୃତ ହୋଇଥାନ୍ତି । ରକ୍ତଦାନ ଶିବିରରେ ଯୁବ ଓ ଛାତ୍ରଗୋଷ୍ଠି ଅଧିକ ସଂଖ୍ୟାରେ ରକ୍ତଦାନ କରିଥାନ୍ତି । ସେଥିଲାଗି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକ ଉପରେ ରକ୍ତସଂଗ୍ରହକାରୀ ସସ୍ଥାମାନେ ବିଶେଷ ଗୁରୁତ୍ୱଆରୋପ କରିଥାନ୍ତି ।

ଏବେ ମାର୍ଚ୍ଚ ମାସ ଆରମ୍ଭ ହେବା ବେଳକୁ ଖୋଦ ରାଜଧାନୀର ସରକାରୀ ଡାକ୍ତରଖାନାଗୁଡିକରେ ଥିବା ରକ୍ତଭଣ୍ଡାରଗୁଡିକ ଅଧିକାଂଶ ସମୟରେ ଶୁଶ୍କ ଅବସ୍ଥାରେ ରହୁଛନ୍ତି । ଫଳରେ ଯେଉଁ ରୋଗୀମାନେ ରକ୍ତଦାତା ଯୋଗାଡ କରିପାରୁ ନାହାନ୍ତି ସେମାନେ ନାହିଁ ନଥିବା ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଶିକ୍ଷାନୁଷ୍ଠାନଗୁଡିକର ଗ୍ରୀଷ୍ମାବକାଶ ହେବାକୁ ଥିବା ଏବଂ ପରୀକ୍ଷା ପାଖେଇ ଆସୁଥିବା ଦୃଷ୍ଟିରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରୁ ରକ୍ତ ସଂଗ୍ରହ ହ୍ରାସ ପାଉଛି ।

ରକ୍ତଭଣ୍ଡାରର ପୁରୁଖା କର୍ମଚାରୀମାନେ କହୁଛନ୍ତି ଯେ ବର୍ଷାଦିନ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ । ଏବେ ରାଜଧାନୀର ତାପାମାତ୍ରା ୩୪ ଡିଗ୍ରୀରେ ପହଞ୍ଚି ଥିବାବେଳେ ଆଗକୁ ଉତ୍ତାପ ଢେର ବଢିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବାନୀ ଦେଉଛନ୍ତି । ଅଂଶୁଘାତ ସମସ୍ୟା ଉପୁଜିବା ପୂର୍ବରୁ ରକ୍ତ ସଂଗ୍ରହ ହ୍ରାସ ପାଉଛି । ଏ ପରିପ୍ରେକ୍ଷୀରେ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ରାଜନୈତିକଦଳ ଓ ଧାର୍ମିକ ସଂଗଠନମାନେ ରକ୍ତଦାନ ଅଭିଯାନକୁ ବ୍ୟାପକ କଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ । (ତଥ୍ୟ)