ଭୁବନେଶ୍ୱର : ମାସେରୁ ଅଧିକ ସମୟ ଧରି ଆଇନ୍ ଅଦାଲତଗୁଡିକରେ ଗ୍ରୀଷ୍ମାବକାଶ ଚାଲିଥିବାବେଳେ ହାଇକୋର୍ଟରେ ଓକିଲ ଓ ମହକିଲମାନଙ୍କ ଗହଳି ଚହଳି କମିଛି । ତେବେ ଏହି ଅବକାଶରେ ଅନେକ ବିଚାରପତି ସଂରକ୍ଷିତ ରଖିଥିବା ମାମଲାଗୁଡିକର ଚୂଡାନ୍ତ ରାୟ ପ୍ରକାଶ କରିବା କାମରେ ଲାଗିଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖନୀୟ ଯେ ସୁପ୍ରିମ୍କୋର୍ଟ ଓ ହାଇକୋର୍ଟ ଭଳି ଉଚ୍ଚ ଆଇନ୍ ଅଦାଲତଗୁଡିକରେ ଦୀର୍ଘ ସମୟ ଧରି ଗ୍ରୀଷ୍ମାବକାଶ କରାଯିବା ଘଟଣାକୁ ନେଇ ସାରା ଦେଶରେ ବିତର୍କ ଚାଲିଛି । ଏମିତିକି କେନ୍ଦ୍ର ଆଇନ୍ ମନ୍ତ୍ରୀ ମଧ୍ୟ ସୁଦୀର୍ଘ ଗ୍ରୀଷ୍ମାବକାଶ ସପକ୍ଷରେ ନାହାନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ସମୟରେ ସୁପ୍ରିମ୍କୋର୍ଟର କେତେକ ବିଚାରପତି ଅଦାଲତର ସମୟ ନିର୍ଘଣ୍ଟ ବଢାଇବା ସପକ୍ଷରେ ମତଦେଇ ଆସିଛନ୍ତି ।
ସାଧାରଣତଃ ସୁପ୍ରିମ୍କୋର୍ଟ ଓ ହାଇକୋର୍ଟ ସମେତ ଅନ୍ୟ ଅଦାଲତର ବିଚାରପତିମାନେ ବର୍ଷ ତମାମ ମାମଲା ଶୁଣାଣିରେ ବ୍ୟସ୍ତ ରହିଥାନ୍ତି । ଅନେକ ମାମଲାର ଶୁଣାଣି ପରେ ପରେ ସେହିଦିନ କୋର୍ଟରେ ବିଚାରପତିମାନେ ଆଦେଶ ଡାକିଥାନ୍ତି ଏବଂ ଆଉ କେତେକ କ୍ଷେତ୍ରରେ ସ୍ୱଳ୍ପଦିନ ସମୟ ବ୍ୟବଧାନରେ ରାୟ ପ୍ରକାଶ ପାଇଥାଏ । ତେବେ ଅନ୍ୟ କେତେକ ଜଟିଳ ମାମଲାରେ ଶୁଣାଣି ସରିଥିଲେ ମଧ୍ୟ କେତେକ କୋର୍ଟରେ ମାସ ମାସ ଧରି ରାୟ ପ୍ରକାଶ ପାଇନଥାଏ । ଗ୍ରୀଷ୍ମାବକାଶ ଭଳି ଲମ୍ବା ଛୁଟି ସମୟରେ ଅନେକ ବିଚାରପତି ଏହି ପୁରୁଣା ମାମଲାଗୁଡିକର ରାୟ ଚୂଡାନ୍ତ କାମରେ ଲାଗିଥାନ୍ତି ।
ନିମ୍ନ ଅଦାଲତଗୁଡିକରେ ଗ୍ରୀଷ୍ମାବକାଶ ଖୁବ୍ କମ୍ଦିନ ପାଇଁ ହୋଇଥାଏ । ଏହାଛଡା ଦୁର୍ଗାପୂଜା ଓ ବଡଦିନ ସମୟରେ ବି ଉପରୁ ତଳ ପର୍ଯ୍ୟନ୍ତ ଅଦାଲତଗୁଡିକରେ ଲମ୍ବା ଛୁଟି ରହିଥାଏ । କେତେକ ଆଇନ୍ଜୀବୀ ଓ ବିଭିନ୍ନ ମହଲ ଦୀର୍ଘ ଛୁଟିର ବିରୋଧ କରିଥାନ୍ତି । ସେମାନଙ୍କର ମତ ହେଉଛି ଯେ ଅତୀତରେ ବ୍ରିଟିଶ ଶାସନ ସମୟରେ ଭାରତର ରୌଦ୍ରତାପରୁ ନିସ୍ତାର ପାଇବାଲାଗି ବ୍ରିଟିଶ ବିଚାରପତିମାନେ ଖରାଦିନେ କାମ କରିବା କଷ୍ଟକର ହେଉଥିବାରୁ ଏହି ସମସ୍ୟାକୁ ଆଖିଆଗରେ ରଖି ମାସାଧିକକାଳ ଗ୍ରୀଷ୍ମାବକାଶ ଦିଆଯାଇଥିଲା । ଏବେ ଅଧିକାଂଶ କୋର୍ଟ କଚେରୀ ଶୀତତାପନିୟନ୍ତ୍ରିତ ବ୍ୟବସ୍ଥାରେ ଥିବାବେଳେ ଦୀର୍ଘ ଛୁଟିର ଆବଶ୍ୟକତା ନାହିଁ ବୋଲି ଏହି ମହଲ ଯୁକ୍ତି କରୁଥିବାବେଳେ ଆଉଗୋଟିଏ ମହଲ କିନ୍ତୁ ବାକି ପଡିଥିବା ମାମଲା ଗୁଡିକର ପରିସମାପ୍ତି ପାଇଁ ଦୀର୍ଘ ଗ୍ରୀଷ୍ମାବକାଶ ସପକ୍ଷରେ ଯୁକ୍ତି ବାଢୁଛନ୍ତି ।
କେଉଁ ବିଚାରପତି କେତେକ ମାମଲା ଶୁଣୁଛନ୍ତି, କେତେ ମାମଲା ଫଏସଲା କରୁଛନ୍ତି ଓ କେତେ ମାମଲାର ରାୟ କେତେଦିନ ଧରି ସଂରକ୍ଷିତ କରି ରଖୁଛନ୍ତି ସେ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କ ନିକଟରେ ତଥ୍ୟ ରହୁଛି । ଏହି ଆଧାରରେ ଅସ୍ଥାୟୀ ବିଚାରପତିମାନଙ୍କ କାର୍ଯ୍ୟଶୈଳୀର ଗୁଣବତ୍ତା ସୁପ୍ରିମ୍କୋର୍ଟ ନିର୍ଦ୍ଧାରଣ କରିଥାନ୍ତି ।
ଓଡିଶା ହାଇକୋର୍ଟର ଅଭିଜ୍ଞ ଓକିଲମାନେ ମତ ଦେଇଛନ୍ତି ଯେ ଦେଶର ଅନ୍ୟ ବହୁ ହାଇକୋର୍ଟ ତୁଳନାରେ ଓଡିଶା ହାଇକୋର୍ଟରେ ରୁଜୁ ହେଉଥିବା ମାମଲା ତୁଳନାରେ ଫଏସଲା ହାର ଅଧିକ ରହୁଛି । ଏହା ସତ୍ୱେ ବି ଓଡିଶା ହାଇକୋର୍ଟ ଉପରେ ପ୍ରାୟ ଦେଢ ଲକ୍ଷ ମାମଲାର ବୋଝ ରହିଛି । ବିଶେଷକରି ସ୍ୟାଟ୍ ଉଚ୍ଛେଦ ପରେ ପ୍ରାୟ ୭୦ହଜାର ମାମଲାର ବୋଝ ହାଇକୋର୍ଟ ଉପରେ ଚାପିହୋଇ ଯାଇଥିବାବେଳେ ବହୁ ବିଚାରପତି ପଦବୀ ଖାଲି ପଡିଥିବାରୁ ମାମଲା ଫଏସଲାରେ ଅବଶ୍ୟ ସମସ୍ୟା ଉପୁଜୁଛି । ଏହା ସତ୍ୱେ ବି ବହୁ ବିଚାରପତି ଧୈର୍ଯ୍ୟର ସହ ମାମଲା ଶୁଣୁଛନ୍ତି ଓ ତାହାର ପରିସମାପ୍ତି ଘଟାଉଛନ୍ତି । ତେବେ ଯେଉଁ କେତେକ ମାମଲା ରାୟ ଛଅମାସ କିମ୍ବା ତାହା ପୂର୍ବରୁ ସଂରକ୍ଷିତ ରହିଛି ସେଗୁଡିକର ରାୟ ଗ୍ରୀଷ୍ମାବକାଶ ମଧ୍ୟରେ ପ୍ରକାଶ ପାଇବାର ସମ୍ଭାବନା ଅଛି । (ତଥ୍ୟ)